ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ଅଚଳାବସ୍ଥା ଦୂର; ତାଳଚେର ଥର୍ମାଲ୍‌ରୁ ପୁଣି ବିଜୁଳି ଉତ୍ପାଦନ ଆରମ୍ଭ

ମାର୍ଚ୍ଚ ୩୧ ପରେ କ’ଣ ହେବ?

ଥର୍ମାଲ୍ : ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଲେଖିବାର କେଇଟା ଘଣ୍ଟା ଭିତରେ ବନ୍ଦ ଥିବା ତାଳଚେର ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ (ଟିଟିପିଏସ୍‌)ରୁ ଆରମ୍ଭ ହୋଇଛି ବିଦ୍ୟୁତ୍‌ ଉତ୍ପାଦନ। ଟିଟିପିଏସ୍‌ କର୍ତ୍ତୃପକ୍ଷ ୬୦ମେଗାୱାଟ୍ କ୍ଷମତା ବିଶିଷ୍ଟ ୟୁନିଟ୍-୩କୁ ଗତକାଲି ରାତିରୁ ଚାଲୁ କରିଛନ୍ତି। ୟୁନିଟ୍-୩ରୁ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଅନ୍ୟ ୟୁନିଟ୍‌ ଗୁଡ଼ିକ କେବେ ଚାଲିବ ଏବଂ ମାର୍ଚ୍ଚ ୩୧ତାରିଖ ପରେ ଚାଲିବ କି ନାହିଁ, ତାହା କିଛି ସ୍ପଷ୍ଟ ହୋଇନାହିଁ।

ପ୍ରଦୂଷଣ ବୋର୍ଡର ମଂଜୁରି ନ ଥିବା ଦର୍ଶାଇ ମାର୍ଚ୍ଚ ୩୧ ତାରିଖରୁ ଏନଟିପିସି ଦ୍ବାରା ପରିଚାଳିତ ଏହି ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ କର୍ତ୍ତୃପକ୍ଷ ଗତ ୨୩ ତାରିଖରେ ଏହାକୁ ବନ୍ଦ କରି ଦେଇଥିଲେ। ପ୍ରଥମେ ୧ନମ୍ବର ଓ ୬ ନମ୍ବର ୟୁନିଟରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ବନ୍ଦ କରି ଦିଆଯାଇଥିଲା। ଅବଶିଷ୍ଟ ୪ୟୁନିଟକୁ ମଧ୍ୟରାତ୍ରରୁ ବନ୍ଦ କରାଗଲା। ପ୍ଲାଣ୍ଟ କର୍ତ୍ତୃପକ୍ଷ କୋଇଲା ଓ ଶ୍ରମିକ ଅଭାବର ଥିବା ଦର୍ଶାଇ ଏହାକୁ ବନ୍ଦ କରି ଦେଇଥିବା କହିଥିଲେ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଇଥିଲେ ଅଞ୍ଚଳବାସୀ। ପ୍ରତ୍ୟକ୍ଷ ଭାବେ ୧୪ଶହ ଠିକା କର୍ମଚାରୀ ଏବଂ ପରୋକ୍ଷରେ ହଜାର ହଜାର ପରିବାର ଏହା ଦ୍ବାରା ପ୍ରଭାବିତ ହେବେ ବୋଲି କୁହାଯାଇଥିଲା। ଘଟଣାକୁ ନେଇ ବିରୋଧାଭାସ ଦେଖା ଦେବାପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଟିଟିପିଏସ୍‌ କାରଖାନାକୁ ବନ୍ଦ କରିବା ପରିବର୍ତ୍ତେ ତୁରନ୍ତ ଏହାର ସମ୍ପ୍ରସାରଣ କାମ ଆଗେଇ ନେବାକୁ ଅନୁରୋଧ କରିଥିଲେ। ଏଥିପାଇଁ ଓଡ଼ିଶା ସରକାର ସବୁ ପ୍ରକାର ସହାୟତା କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବାର କେଇ ଘଣ୍ଟା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୂପ ଭାବେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଟିଟିପିଏସ୍ ବନ୍ଦ ହେବ ନାହିଁ ଏବଂ ଏହାର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ତ୍ବରାନ୍ବିତ ହେବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତିର କେଇ ଘଣ୍ଟା ଭିତରେ ଟିଟିପିଏସ୍‌ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିବା କାରଖାନାର ଗୋଟିଏ ୟୁନିଟ୍‌କୁ ଗତକାଲି ରାତିରୁ ଚଳାଇଛନ୍ତି। ୬୦ମେଗାୱାଟ୍ ବିଶିଷ୍ଟ ୟୁନିଟ୍-୩ରୁ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହୋଇଛି। ତେବେ, ଟିଟିପିଏସ୍‌ ଏ ପ୍ରକାର ଉତ୍ପାଦନ ସବୁଦିନ ପାଇଁ କରିବ ନା ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସୀମିତ ରଖିବ ତାହାକୁ ନେଇ ଶ୍ରମିକ ମହଲ ଏବେ ବି ସନ୍ଦେହରେ ଅଛନ୍ତି।

ସମ୍ବନ୍ଧିତ ଖବର