ମୁଣ୍ଡ ଉପରେ ମୃତ୍ୟୁ ଫାଶ : ପାଦେ ପାଦେ ବିପଦ ଗଣୁଛି କୋରାପୁଟ

ବିପଦସଙ୍କୁଳ ସ୍ଥାନ ଚିହ୍ନଟ ପାଇଁ ବିଭାଗୀୟ ନିର୍ଦେଶ

କୋରାପୁଟ : କେଉଁଠି ଖୁଣ୍ଟ ବଙ୍କେଇ ହେଇ ପଡିଛି ତ କେଉଁଠି ତାର ଓହଳି ଯାଇଛି। କିଛି ଖୁଣ୍ଟର ଭିତ୍ତି ଉପୁଡି ଗଲାଣି। କିଛି ଜାଗାରେ ତାର ଗୁଡେଇ ଗୁଡେଇ ମୃତ୍ୟୁର ଫାଶ ବି ତିଆରି ହୋଇଛି। ଇଏ ହେଉଛି କୋରାପୁଟ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ବାସ୍ତବ ଚିତ୍ର। ଗାଁରୁ ସହର, ସବୁଠି ସମାନ ସ୍ଥିତି। ବାରମ୍ବାର ବିଦ୍ୟୁତ୍‌ଜନିତ ଅଘଟଣ ଘଟିବା ପରେ ବି ଏହି ଚିତ୍ରରେ ସାମାନ୍ୟ ସୁଧାର ଆସିନି। ବର˚ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ରାସ୍ତା ଉପରେ ଯାଇଥିବା ବିଦ୍ୟୁତ୍ ତାର ବହୁ ପୁରୁଣା ହୋଇ ଯାଇଥିବାରୁ ତାହା କେତେବେଳେ କାହା ମୁଣ୍ତରେ ବି ଛିଣ୍ତିବାର ଆଶଙ୍କା ସୃଷ୍ଟି ହୋଇଛି। କୋରାପୁଟରେ ସାଉଥ୍‌କୋ ମୃତ୍ୟୁର ଜାଲ ବିଛାଇ ନୀରବ ରହିଥିଲାବେଳେ ଜିଲ୍ଲାବାସୀ ପାଦେ ପାଦେ ବିପଦ ଗଣୁଛନ୍ତି। ଏପଟେ ଆଶଙ୍କା ବି ଉପୁଜିଛି, ବ୍ରହ୍ମପୁର ପରି ଅଘଟଣ କୋରାପୁଟରେ ହେବନି ତ !

ଜୟପୁର ପୌରପାଳିକା କାର୍ଯ୍ୟାଳୟ ନିକଟରେ ୪ ବର୍ଷ ତଳେ ଦଶହରା ଦିନ ବିଦ୍ୟୁତ୍ ତାର ଛିଣ୍ତି ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। କିଛି ଆହତ ମଧ୍ୟ ହୋଇଥିଲେ। ସହର ଭିତରେ ଯାଇଥିବା ୧୧କେଭି ତାର ଛିଣ୍ତିଯିବାରୁ ଏହି ଅଘଟଣ ଘଟିଥିଲା। ଏହାକୁ ନେଇ ସେତେବେଳେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଜୟପୁର ଟାଉନ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଏହି ଘଟଣାକୁ କିନ୍ତୁ ଏତେଟା ଗୁରୁତ୍ବ ଦେଇ ନ ଥିଲା ସାଉଥ୍‌କୋ। ଫଳରେ ଆଜି ବି ପ୍ରମୁଖ ସ୍ଥାନରେ ବିଜୁଳି ତାର ଝୁଲି ରହିଛି। ସବୁଠାରୁ ଉଦବେଗର ବିଷୟ ହେଉଛି, କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲା ବେଳେ ବାଟରେ ତାର ଝୁଲି ରହିଛି। ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଖୁଣ୍ଟିର ମୂଳ ଛିଣ୍ଡି ଗଲାଣି। ପୁଣି ଏହି ଖୁଣ୍ଟରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଆଡକୁ ଯାଇଥିବା ବିଦ୍ୟୁତ ତାର ଓହଳି ରହିଛି। ଏପରିକି ଏହି ରାସ୍ତାରେ ଉଚ୍ଚତା ବିଶିଷ୍ଟ ଗାଡି ଗଲେ ଏହା ଲାଗି ଯିବାର ଆଶଙ୍କା ରହିଛି। କୋର୍ଟ ପାଖରେ ବୁଢିଆଣି ଜାଲ ପରି ତାର ଟଣା ହୋଇଛି। ଏହି ରାସ୍ତା ଦେଇ ନିତି ହଜାର ହଜାର ଲୋକ ଯିବା ଆସିବା କରୁଥିଲେ ମଧ୍ୟ ଏହା ସାଉଥକୋ ଅଧିକାରୀଙ୍କ ଦୃଷ୍ଟିରେ ପଡୁନି। ଏଠାରେ ବଡ ଧରଣର ଅଘଟଣ ହୋଇ ନ ଥିବାରୁ କର୍ତ୍ତୃପକ୍ଷ ହାତ ବାନ୍ଧି ଅଘଟଣକୁ ଅପେକ୍ଷା କରିଛନ୍ତି।

ଜିଲ୍ଲା ମୁଖ୍ୟାଳୟରେ ଏମିତି ଚିତ୍ର ଦେଖିବାକୁ ମିଳୁଥିଲାବେଳେ ଗାଁ ଗହଳିରେ ସ୍ଥିତି କ’ଣ ହୋଇଥିବ ତାହା ସହଜରେ ଅନୁମାନ କରାଯାଉଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଭାଗ ପକ୍ଷରୁ ବିଜୁଳି ତାର ଟାଣି ଦିଆଯାଇଛି, ହେଲେ ଏହାର ରକ୍ଷଣାବେକ୍ଷଣ କରାଯାଉନି। ତେଣୁ କେଉଁଟି ଏଲଟି ଲାଇନ ତ କେଉଁଠି ୧୧ କେଭି ତାର ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଉପରେ ଯାଇଥିବା ବିଦ୍ୟୁତ୍ ତାର ବହୁ ପୁରୁଣା ହୋଇ ଯାଇଥିଲାବେଳେ ଏହା ବଦଳା ଯାଉନି। ତାରଗୁଡିକରେ ବହୁତଗୁଡିଏ ଜଏଣ୍ଟ ମଧ୍ୟ ରହିଛି। ଏହା ସହ ୧୧କେଭି ବିଦ୍ୟୁତ୍ ତାର ତଳେ ଗାଡି˚ର ବ୍ୟବସ୍ଥା କରିବାର ନିୟମ ରହିଥିଲାବେଳେ ଏହାକୁ ସମ୍ପୂର୍ଣ ଅଣଦେଖା କରାଯାଇଛି। କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥ ଓ ଅନ୍ୟ ପ୍ରମୁଖ ରାସ୍ତା ଉପରେ ୧୧କେଭି ବିଦ୍ୟୁତ୍ ତାର ଯାଇଛି। ଏହାକୁ ବି ମୁକୁଳା ଛାଡି ଦେଇଛି ସାଉଥ୍‌କୋ। ନାରାୟଣପାଟଣାରୁ ନନ୍ଦପୁର, ପଟାଙ୍ଗୀରୁ ପାଡୁଆ ସବୁଠି ଏମିତି ଅବସ୍ଥା। ବିଜୁଳି ତାର ଯମ ଦଉଡି ଭଳି ବିପଦକୁ ହାତ ଠାରି ଡାକୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାକୁ ସଜାଡିବା ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଉଛି।

ଏପଟେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟଗୁଡିକ ମଧ୍ୟରୁ ଅନେକଗୁଡିଏ ବଙ୍କା ହୋଇଯାଇଛି। କିଛି ସ୍ଥାନରେ ଖୁଣ୍ଟ ପାଇଁ ଥିବା ଭିତ୍ତି ନଷ୍ଟ ହୋଇଯାଇଛି। ଖୁଣ୍ଟରେ ତାର ଗୁଡେଇ ଗୁଡେଇ ହୋଇ ରହିଥିବା ବେଳେ କେତେବେଳେ ମଧ୍ୟ ଖୁଣ୍ଟ ଉପୁଡିବାର ଆଶଙ୍କା ରହିଛି। କିଛି ଖୁଣ୍ଟରେ ୧୧କେଭି ସହ ଏଲଟି ଲାଇନ ମଧ୍ୟ ଯାଇଥିବାରୁ ଭାର ସହି ନ ପାରି ଏହା ବଙ୍କା ହୋଇଗଲାଣି। ପବନ ହେଲେ ତାରକୁ ତାର ଲାଗି ସ୍ପାର୍କି˚ ମଧ୍ୟ ହେଉଛି। ଏହା ଅ˚ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇ ଦେଉଛି। ତଥାପି ଏହାକୁ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଗୁରୁତ୍ୱ ଦେଉନି ସାଉଥ୍‌କୋ। ବର˚ ଲୋକଙ୍କୁ ଭାଗ୍ୟ ଭରସାରେ ଛାଡି ଦେଇଛି। ଅଘଟଣ ହେଲେ କେତେବେଳେ ଚଢେଇକୁ ତ କେତେବେଳେ ତାର ଜଏଣ୍ଟକୁ ଦୋଷ ଦେଇ ନିଜ ମୁଣ୍ତରୁ ଅଠା ଛଡାଇ ଦେଉଛି। ଏଥିନେଇ ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା କହିଛନ୍ତି ଯେ, କୋରାପୁଟରେ ବିଛା ହୋଇଥିବା ୧୧କେଭି ବିଦ୍ୟୁତ୍ ତାର ନେଇ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। କେଉଁଠି ଏହା ବିପଦଜନକ ଅବସ୍ଥାରେ ରହିଛି ଓ କେଉଁଠି ନିର୍ଧାରିତ ଉଚ୍ଚତାରୁ କମ ଉଚ୍ଚରେ ତାର ଟଣା ହୋଇଛି ତାହା ଯାଂଚ କରାଯାଉଛି। ଏହି ରିପୋର୍ଟ ଆସିବା ପରେ ତାର ବଦଳାଇବା ପାଇଁ ବିଭାଗ ତରଫରୁ ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯିବ। ଏଥିସହ ଖୁଣ୍ଟଗୁଡିକର ମରାମତି ଓ ଭିତ୍ତି ତିଆରି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର