ଶକ୍ତି ଉତ୍ପାଦନ ବଢ଼ିଛି, କିନ୍ତୁ ବିଜୁଳି କାହିଁକି କଟୁଛି

ଅଧିକ ଜଳ ବିଦ୍ୟୁତ ଉତ୍ପାଦନ ଉପରେ ଗୁରୁତ୍ବ

ଭୁବନେଶ୍ବର : ସରକାର ସବୁବେଳେ କହୁଛନ୍ତି ଆମ ରାଜ୍ୟରେ ଅଧିକ ବିଜୁଳି ଉତ୍ପାଦନ ହେଉଛି। ଖର୍ଚ୍ଚ କଲା ପରେ ବି ବଳକା ରହିଛି। ତେବେ ରାଜ୍ୟରେ କାହିଁକି ବାରମ୍ବାର ବିଜୁଳି କାଟ ହେଉଛି ? ଆଉ କୋରାପୁଟରେ ତ ବିଜୁଳି କଟିବା ସୀମା ଲଂଘିଗଲାଣି। ଆଜି ପ୍ରଶ୍ନକାଳରେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ରାଜ୍ୟରେ ଜଳ ବିଦ୍ୟୁତ ସ୍ଥିତି ନେଇ ଶ୍ରୀ ବାହିନୀପତିଙ୍କ ମୂଳ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ‌େଦଇଥିଲେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୭ଟି କ୍ଷୁଦ୍ର ଜଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ ପାଇଁ ସର୍ଭେ କରାଯାଇଛି। ତାହା ମଧ୍ୟରେ କୋରାପୁଟରେ ୧୭ଟି ଅଛି। ରାଜ୍ୟରେ ନୂଆ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ସରକାର ୨୦୧୬ ମସିହାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହି ନୀତି ଅନୁସାରେ ବିଡିଂ ମାଧ୍ୟମରେ ଘରୋଇ ଉଦ୍ୟୋଗୀମାନଙ୍କ ଦ୍ବାରା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତାବ ଅଛି। ଏହି ନୀତି ଅନୁସାରେ ଜମି ଅଧିଗ୍ରହଣ, ଅନ୍ତଃସମନ୍ବୟ ବ୍ୟବସ୍ଥା, ବିଜୁଳି ଶକ୍ତିର ବିକ୍ରୟ, ଦେୟ ଓ ଶୁଳ୍କ ଇତ୍ୟାଦି କ୍ଷେତ୍ରରେ ରିହାତି ପ୍ରଦାନ କରି କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନା ପାଇଁ ଉଦ୍ୟୋଗୀମାନଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଯାଉଛି।

ଶ୍ରୀ ବାହିନୀପତି ଅତିରିକ୍ତ ପ୍ରଶ୍ନ ପଚାରି କହିଥିଲେ, କିଛି ଜଳ ବିଦ୍ୟୁତ ପ୍ରକଳ୍ପ ନେଇ ୨୫ ବର୍ଷ ହେଲା ଶୁଣୁଛି। କିନ୍ତୁ କାମ ଆଗଉନି। କୋଲାବ ଓ ମାଛକୁଣ୍ଡରୁ ବିଜୁଳି ଉତ୍ପାଦନ ହେଉଥିଲେ ବି ତାହାର ଚାରିପାଖେ ରହୁଥିବା ଲୋକମାନଙ୍କୁ ବିଜୁଳି ସଂଯୋଗ ଦିଆଯାଇନି। ମୀନାକ୍ଷି ପାୱାର୍ ପ୍ରୋଜେକ୍ଟ ଦ୍ବାରା କିପରି ହଜାର ହଜାର ଗଛ କଟାଯାଇଛି, ସେ ସମ୍ପର୍କରେ ଶ୍ରୀ ବାହିନୀପତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରଘୁରାମ ପଦାଲ, ମଉଷଧି ବାଗ, ଭାଗୀରଥି ସେଠୀ ଓ ସୁରେଶ ରାଉତରାୟ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର