ଆବେଦନ ବାତିଲ୍ ଦାବି କଲେ ରମେଶ ଶତପଥୀ, ଆର ପି ମହାପାତ୍ର, ୟୁସିସିଆଇ, ଅଶୋକ ନନ୍ଦ
ରାଜ୍ୟର ସବୁଠି ଲୋ ଭୋଲଟେଜ୍, ଘନ ଘନ ବିଦ୍ୟୁତ କାଟ୍ ବି ଚାଲିଛି
ଭିତ୍ତିଭୂମି କେଳେଙ୍କାରୀ ନେଇ ଆପତ୍ତି କରିଛନ୍ତି ସିଏଜି, ଟାଟାପାଓ୍ୱାର
କାହିଁକି ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି?

Advertisment

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ ଷ୍ଟେସନ ଓ ଭିତ୍ତିଭୂମିର ସୁଦୃଢୀକରଣ ଲାଗି ପାଖାପାଖି ୨୦ ହଜାର କୋଟି ଟଙ୍କା ଗତ ଦଶବର୍ଷରେ ଖର୍ଚ୍ଚ ହୋଇଛି। ହେଲେ ଏହାର ସୁଫଳ ରାଜ୍ୟବାସୀ ଏଯାଏ ଅନୁଭବ କରିପାରିଲେ ନାହିଁ। କାହିଁକି କେଉଁ କାରଣରୁ ବିଦ୍ୟୁତ ଉପଭୋକ୍ତାମାନେ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ ପାଇପାରୁନାହାନ୍ତି?

୨୦୨୨-୨୩ବର୍ଷ ଲାଗି ବିଦ୍ୟୁତ ଦରବୃଦ୍ଧି ସଂକ୍ରାନ୍ତରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ ଚାଲିଥିବା ଜଣାଶୁଣାଣିର ତୃତୀୟ ବୈଠକରେ ଆଜି ଏହି ରହସ୍ୟ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ଅନ୍ୟମାନେ। ଓଡ଼ିଶା ଶକ୍ତି ପରିବହନ ନିଗମ ଲିମିଟେଡ (ଓପିଟିସିଏଲ୍) ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ପକ୍ଷଭୁକ୍ତ ଆପତ୍ତିକର୍ତ୍ତା (ଅବଜେକ୍ଟର) ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଆଳରେ ଯେଉଁ ଷଡ୍‌ଯନ୍ତ୍ରର ସରଞ୍ଚନା ହୋଇଛି, ତାହା ଇତିମଧ୍ୟରେ ସାମ୍ନାକୁ ଆସିଲାଣି। ଉଭୟ ସିଏଜି ଏବଂ ଟାଟା ପାଵାର ଭିତ୍ତିଭୂମିର ମାନ ନେଇ ପ୍ରଶ୍ନ ଉଠାଇଲେଣି। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଯେଉଁ ଲକ୍ଷ୍ୟ ନେଇ ବିପୁଳ ଅର୍ଥ‌ ଖର୍ଚ୍ଚ କରି ଭିତ୍ତଭୂମି ନିର୍ମାଣ କରାଯାଇଥିଲା ସେଥିରୁ ଆଶାନୁରୂପ ଫଳ ମିଳିନାହିଁ। ସେହିଭଳି ଟାଟା କଂପାନି ନିଜେ ଆୟୋଗଙ୍କୁ ଜଣାଇ ସାରିଛି ଯେ ଭିତ୍ତିଭୂମି ଠିକ୍ ଠାକ୍ ନାହିଁ।

publive-image BizEncyclopedia

ଏହାକୁ ନିରେଖି ଦେଖିଲେ ଜଣାପଡୁଛି ଯେ ବିଦ୍ୟୁତ ସରବରାହ ଭିତ୍ତିଭୂମି ଅବମୂଲ୍ୟାୟନ କରାଯାଇଛି। ଯେଉଁ ପୁଞ୍ଜି ବିନିଯୋଗ ହୋଇଛି, ତାହା କାହା ଆକାଉଣ୍ଟରେ ଦେଖାଯାଇଛି, ସେ ନେଇ ଆଗକୁ ଆୟୋଗଙ୍କ ସାମ୍ନାକୁ ଅନେକ ତଥ୍ୟ ଆସିବ। କିନ୍ତୁ ଆଜି ଏତିକି କହିହେବ ଯେ ଏହି କାରଣରୁ ମାତ୍ର ୭ଶହ କୋଟି ଟଙ୍କାରେ ବିଦ୍ୟୁତ ଆବଣ୍ଟନକାରୀ ସଂସ୍ଥା ଟାଟା ପାଵାର ୫୧ପ୍ରତିଶତ ମାଲିକାନା ସ୍ବତ୍ତ୍ବ ହାସଲ କରିଛନ୍ତି। କେବଳ ସେତିକି ନୁହେଁ, ଏହି ଆଧାରରେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ଉଲ୍ଲେଖନୀୟ ସ୍ତରକୁ ନ ଖସାଇବା ଲାଗି ମଧ୍ୟ ସେମାନଙ୍କୁ ଗୋଟିଏ ଗଳା ବାଟ ମିଳିଯାଇଛି। ଆୟୋଗ ଏସବୁ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଦରକାର।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ପକ୍ଷରୁ ଦାୟିତ୍ବରେ ଥିବା ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି ପୂର୍ବାହ୍ନରେ ଓପିଟିସିଏଲ୍ ଏବଂ ଅପରାହ୍ନରେ ଏସଏଲ୍‌ଡିସି ସଂକ୍ରାନ୍ତରେ ଜନଶୁଣାଣି କରିଥିଲେ। ଉଭୟ ସଂସ୍ଥା ବିଦ୍ୟୁତ ଦର ବୃଦ୍ଧି ଲାଗି ଦାବି ରଖିଥିବା ବେଳେ କମିସନଙ୍କ ଦ୍ବାରା ନିଯୁକ୍ତ ୱାର୍ଲଡ ଇନଷ୍ଟିଚ୍ୟୁଟ ଅଫ୍ ସଷ୍ଟେନବଲ୍ ଏନର୍ଜି (ଵାଇଜ୍) ପୁନେ ଏହାର ତର୍ଜମା କରିଥିଲେ। ଭର୍ଚୁଆଲରେ ହୋଇଥିବା ଏହି ଶୁଣାଣିରେ ଭାଗ ନେଇ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, କେନ୍ଦ୍ରୀୟ ବିଦ୍ୟୁତ ଆଇନକୁ ଓପିଟିସିଏଲ୍‌ ପାଳନ କରୁଥିବା ମନେ ହେଉନାହିଁ। ଓପିଟିସିଏଲ୍‌ ଉଭୟ ସରବରାହ ଓ ଲୋଡ୍‌ ଡେସ୍‌ପାଚ୍‌ କାମ କରୁଛି। ଏସ୍‌ଏଲ୍‌ଡିସି ମଧ୍ୟ ସମାନ କାମ କରୁଛି। ଏଣୁ ‘ଟ୍ରୁଇଙ୍ଗ୍‌ ଅପ୍‌’ ସମୟରେ ଦ୍ବନ୍ଦ୍ବ ଦେଖାଦେଉଛି।

publive-image Sarkari360.com

ଉଦ୍‌ବେଗର ବିଷୟ ହେଲା, ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ରିପୋର୍ଟକୁ ଓପିଟିସିଏଲ୍‌ ଗ୍ରହଣ କରୁନାହିଁ। ଓପିଟିସିଏଲ୍‌ ହାଇବ୍ରିଡ୍‌ ପ୍ରଣାଳୀରେ ମଧ୍ୟ କାମ କରୁନାହିଁ। ଅନେକ ବୈଷୟିକ ବିନ୍ଦୁ ରହିଛି, ଯେଉଁ ସବୁ କଥା ଉପରେ ଆୟୋଗ ଶୁଣାଣି ସମୟରେ ଦୃଷ୍ଟି ଦେବା ଉଚିତ୍। ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣ କରିପାରୁନଥିବା ଏହି ସଂସ୍ଥା କେବଳ ବିଦ୍ୟୁତ୍‌ ଦର ବୃଦ୍ଧି ଲାଗି ତତ୍ପରତା ଦେଖାଉଥିବା ଅଭିଯୋଗ କରି ଶ୍ରୀ ପଟ୍ଟନାୟକଙ୍କ ସମେତ ଅନ୍ୟ ଆପତ୍ତିକର୍ତ୍ତା ଓପିଟିସିଏଲ୍ ଆବେଦନକୁ ଖାରଜ କରିବା ଲାଗି କହିଥିଲେ।

ଜନଶୁଣାଣିରେ ଭାଗ ନେଇ ରମେଶ ଚନ୍ଦ୍ର ଶତପଥୀ କହିଥିଲେ ଯେ ଓପିଟିସିଏଲ ସଂସ୍ଥା ଖାଲି ନୂଆ ଯୋଜନା କରି ଟଙ୍କା ଲୁଟିବାକୁ ଯୋଜନା କରିଛି। ଓଡ଼ିଶାରେ ଯେତିିକି ବିଦ୍ୟୁତ୍‌ ଆବଶ୍ୟକ ସେତିକି ଭିତ୍ତିଭୂମି ସୃଷ୍ଟି ହୋଇସାରିଲାଣି। ଏବେ ତାପଜ ବିଦ୍ୟୁତ୍ ଉପରେ କଟକଣା ଲାଗିଲାଣି। ଏଭଳି ସମୟରେ ଏମାନେ ଅଧିକ ସବ୍‌ଷ୍ଟେସନ ଆଦି କରିବା ଲାଗି କାହିଁକି ଉତ୍ସାହିତ? ବରଂ ଯେଉଁ ଭିତ୍ତିଭୂମି ଅଛି ତାହାକୁ ସଜାଡ଼ିବା ଦରକାର। କାରଣ ଓପିଟିସିଏଲ୍‌ର ୧୧ଟି ସବ୍‌ଷ୍ଟେସନ ୫୦ ବର୍ଷରୁ ଅଧିକ ସମୟର ପୁରୁଣା। ୧୦ ଟି ୪୦ରୁ ୫୦ ବର୍ଷ ପୁରୁଣା ଓ ୫ଟି ୪୫ରୁ ୫୦ ବର୍ଷ ସମୟର ପୁରୁଣା ସବ୍‌ଷ୍ଟେସନ। ଏଣୁ ପୁରୁଣା ଭିତ୍ତିଭୂମି ସଜାଡ଼ନ୍ତୁ, ନୂଆ କରି କୌଣସି ଅତିରିକ୍ତ ଖର୍ଚ୍ଚ କରନ୍ତୁ ନାହିଁ।

ଶ୍ରୀ ଶତପଥୀ ଆହୁରି କହିଥିଲେ, ଓପନ୍‌ ଆକ୍ସେସ୍‌ (ଲଙ୍ଗ୍‌ଟର୍ମ)ରେ ୨୯ଟି ଆଇପିପି (ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ରଡ୍ୟୁସର) ଏମ୍‌ଓୟୁ ଦସ୍ତଖତ କଲେ; ହେଲେ ଆସିଲେ ମାତ୍ର ୩ଟି। କୁଆଡ଼େ ଗଲେ ବାକି ସବୁ? କ’ଣ ପଦକ୍ଷେପ ନେଲେ ଓପିଟିସିଏଲ୍‌? ଏହି ସଂସ୍ଥା ୩.୧୫ ପ୍ରତିଶତ ‘ପରିବହନ କ୍ଷତି’ ମଞ୍ଜୁର କରିବାକୁ ଆବେଦନ କରିଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତଭୂମି ପ୍ରସ୍ତୁତ କଲେ ମଧ୍ୟ କାହିଁକି ପୂର୍ବଭଳି ପରିବହନ କ୍ଷତି ହେଉଛି?
ଶ୍ରୀ ଶତପଥୀ ଆଉ ପାଦେ ଆଗକୁ ଯାଇ କହିଥିଲେ ଯେ ଓଡ଼ିଶାକୁ ଜାଳି ପୋଡ଼ି ଦେବା ଲାଗି ଗୋଟିଏ ବଡ଼ ଷଡ଼୍‌ଯନ୍ତ୍ର ଚାଲିଛି। ଯଦି ସରକାର ଅନ୍ୟ ଅଫିସରଙ୍କୁ ଭିଜିଲାନ୍ସ ତଦନ୍ତ ଫାଶରେ ପକାଇ ବାନ୍ଧି ପାରୁଛନ୍ତି, ବିଦ୍ୟୁତ ଭିତ୍ତିଭୂମି କ୍ଷେତ୍ରରେ ଏ ଯେଉଁ କେଳେଙ୍କାରୀ ହୋଇଛି ଏ ନେଇ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଯେଉଁ ଅପାରଗ ଅଧିକାରୀଙ୍କ ଯୋଗୁ ସାଧାରଣ ଲୋକଙ୍କ ଉପରେ ବିଦ୍ୟୁତ ବୋଝ ବଢ଼ିବାରେ ଲାଗିଛି ସେମାନଙ୍କୁ ଖୋଜି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଆୟୋଗଙ୍କ ନିକଟରେ ଦାବି କରିଥିଲେ।

publive-image

ଆଜିର ଶୁଣାଣିରେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ମତକୁ ପ୍ରାୟ ସବୁ ଆପତ୍ତିକର୍ତ୍ତା (ଅବ୍‌ଜେକ୍ଟର) ସମର୍ଥନ କରିଥିଲେ। ଶକ୍ତି ବିଶେଷଜ୍ଞ ଆର୍‌ ପି ମହାପାତ୍ର ଜନଶୁଣାଣିରେ ସାମିଲ ହୋଇ କହିଥିଲେ, ଓଡ଼ିଶା ତୁଳନାରେ ଅନ୍ୟ ରାଜ୍ୟମାନେ ଉନ୍ନତ ସେବା ଓ ସୁବିଧା ଦେଉଥିବା ବେଳେ ଓଡ଼ିଶାରେ ସଂସ୍ଥାମାନେ କାହିଁକି ଉପଭୋକ୍ତାଙ୍କ ଉପରେ ବୋଝ ଲଦୁଛନ୍ତି, ଆୟୋଗ ସେ କାରଣ ଖୋଜନ୍ତୁ।

ସେହିଭଳି ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ ପକ୍ଷରୁ ବିଶେଷଜ୍ଞ ସଦସ୍ୟ ବିଭୁପ୍ରସାଦ ସ୍ବାଇଁ ଶୁଣାଣିରେ ସାମିଲ ହୋଇ ଓପିଟିସିଏଲ୍‌ର ଆବେଦନ ଖାରଜ କରିବାକୁ ଦାବି କରିଥିଲେ। ଶ୍ରୀ ପଟ୍ଟନାୟକ ଉଠାଇଥିବା ଆପତ୍ତିକୁ ସମର୍ଥନ କରିବା ସହ ସେ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଉପରେ ଜୋର ଦେଇଥିଲେ। ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଉନ୍ନତମାନର ସେବା ମିଳୁନାହିଁ କାହିଁକି ବୋଲି ପ୍ରଶ୍ନ କରିବା ସହିତ ଲୋକଙ୍କ ଉପରୁ ବୋଝ କମିବା ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି ବୋଲି ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀ ସ୍ବାଇଁ।

ଦ୍ବିତୀୟାର୍ଦ୍ଧରେ ଏସ୍‌ଏଲ୍‌ଡିସି (ଷ୍ଟେଟ୍‌ ଲୋଡ୍‌ ଡେସ୍‌ପ୍ୟାଚ୍‌ ସେଣ୍ଟର)ର ଆବେଦନ ଉପରେ ଶୁଣାଣି ହୋଇଥିଲା। ଆସନ୍ତା ଆର୍ଥିକ ବର୍ଷରେ ସଂସ୍ଥା ୧୪କୋଟି ୩୩ଲକ୍ଷ ଟଙ୍କା ରାଜସ୍ବ ଆୟ ଯୋଜନା ରଖିଥିବା ଦର୍ଶାଇଥିଲା। ଏହା ‘ଇଣ୍ଟ୍ରା-ଷ୍ଟେଟ୍‌ ଟ୍ରାନ୍‌ସ୍‌ମିସନ ନେଟ୍‌ୱର୍କ’ ବ୍ୟବହାରକାରୀଙ୍କ ଠାରୁ ଆଦାୟ ହେବ। ପୂର୍ବବର୍ଷ ୧୦କୋଟି ୪୬ ଲକ୍ଷକୁ ଅନୁମୋଦନ ମିଳିଥିଲା। ଏହାକୁ ନେଇ ମଧ୍ୟ ବିରୋଧ ହୋଇଥିଲା‌। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଏବଂ ଅଶୋକ ନନ୍ଦ ପ୍ରମୁଖ ଏହା ଉପରେ ଆପତ୍ତି ଉଠାଇଥିଲେ। କହିଥିଲେ ଯେ ଏସ୍‌ଏଲ୍‌ଡିସି ଏକ ସ୍ବତନ୍ତ୍ର ସଂସ୍ଥା ନୁହଁ। ଏହାର ଅଡିଟେଡ୍‌ ଆକାଉଣ୍ଟ ନାହିଁ। ଏଣୁ ଏହାର ଆବେଦନକୁ ମଞ୍ଜୁର କରାଯିବା ଉଚିତ୍ ନୁହେଁ। ଶ୍ରୀ ମହାପାତ୍ର କହିଥିଲେ ଯେ ସ୍ଥାପିତ କ୍ଷମତାଠାରୁ ଯଥେଷ୍ଟ କମ୍ କ୍ଷମତାରେ ଚାଲୁ କରାଯାଉଥିବାରୁ ଗୁଣାତ୍ମକ ମାନ କମୁଛି ଓ ଲୋ-ଭୋଲ୍‌ଟେଜ୍‌ ହେଉଛି।

publive-image

ଓଇଆର୍‌ସିର ଅନ୍ୟତମ ସଦସ୍ୟ ସୁଶାନ୍ତ ରାୟ ମହାପାତ୍ର ବିଦ୍ୟୁତ୍‌ ସରବରାହ, ସାଇବର ସୁରକ୍ଷା ବାବଦରେ ଏସ୍‌ଏଲ୍‌ଡିସିଠାରୁ ଉତ୍ତର ତଲବ କରିଥିଲେ। ଆସନ୍ତା ୧୯ ତାରିଖ ଦିନ ଗ୍ରିଡ୍‌କୋର ଆବେଦନ ଉପରେ ଶୁଣାଣି ରହିଛି।

ଉଲ୍ଲେଖଥାଉକି, ଓପିଟିସିଏଲ୍‌ ଆସନ୍ତା ବର୍ଷ ୧୨୪୭.୧୪କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିବା କମିସନଙ୍କ ନିକଟରେ ଉପସ୍ଥାପନ କରିଛି। ଟ୍ରାନ୍‌ସ୍‌ମିସନ ଦେୟ ୟୁନିଟ୍‌ ପିଛା ୪୩.୭୩ପଇସା ହେଲେ ଏହି ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ସଂସ୍ଥା ଯୁକ୍ତି ବାଢ଼ିଛି। ଚଳିତବର୍ଷ ଏହି ସଂସ୍ଥାକୁ କମିସନ ୟୁନିଟ୍ ପିଛା ୨୮ ପଇସା ମଞ୍ଜୁର କରିଛନ୍ତି। ୨୦୨୨-୨୩ ବର୍ଷ ଲାଗି ଏହି ଦର ୧୬ ପଇସା ବୃଦ୍ଧି ଲାଗି ସେମାନେ ଦାବି କରିଛନ୍ତି।