ଭୁବନେଶ୍ବର: ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ତଥା ବୈଷୟିକ ଓ ବାଣିଜ୍ୟିକ (ଏଟି ଆଣ୍ଡ ସି) କ୍ଷତି ହ୍ରାସ ଲକ୍ଷ୍ୟରେ ରାଜ୍ୟ ସରକାର ଗତ ୧୦ ବର୍ଷରେ ପ୍ରାୟ ୨୦ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜି ଖଟାଇଛନ୍ତି। ସରକାରଙ୍କ ରେକର୍ଡ କହୁଛି, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଅର୍ଥରେ ଏହି ଭିତ୍ତିଭୂମି ସୃଷ୍ଟି କରାଯାଇଛି। ହେଲେ ଯେଉଁ ପ୍ରସଙ୍ଗଟି ଏବେ ଶକ୍ତି ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ସାଧାରଣ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆନ୍ଦୋଳିତ କଲାଣି, ତାହା ହେଲା ଏତେ ପରିମାଣର ଅର୍ଥ ବିନିଯୋଗ ପରେ ବି ଏହାର ପ୍ରଭାବ ଗ୍ରାହକ ଅନୁଭବ କରିପାରୁନାହାନ୍ତି। ନା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିଲା ନା ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ ପାଇଲା। ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ ମଧ୍ୟ ଏଯାଏ ସମ୍ଭବ ନୋହିଲା। ଓଲଟା ଟାଟା ପାଵାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ନିକଟରେ ଦରଖାସ୍ତ କରି ସିଧା ସିଧା ଭିତ୍ତିଭୂମିର ମାନ ଉପରେ ପ୍ରଶ୍ନ ଉଠାଇବା ସହିତ ଏସବୁ ଖରାପ ସ୍ଥିତିରେ ଥିବା ଜଣାଇଛନ୍ତି। ସଂପୃକ୍ତ ଘରୋଇ କଂପାନି ସରକାରଙ୍କ କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ପ୍ରତି ଆଙ୍ଗୁଠି ଉଠାଇଛନ୍ତି।

Advertisment

ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟ ମୁଖ୍ୟତଃ ସରକାରୀ ସଂସ୍ଥା ଓଡ଼ିଶା ଶକ୍ତି ସରବରାହ ନିଗମ ଲିମିଟେଡ ବା ଓପିଟିସିଏଲ ଦ୍ବାରା କରାଯାଇଛି। ଅଥଚ ଟାଟା ପାଵାର ଆଣିଥିବା ଅଭିଯୋଗକୁ ସରକାର କିମ୍ବା ଓପିଟିସିଏଲ୍‌ କେହି ବି ଖଣ୍ଡନ କରିନାହାନ୍ତି। ଏହାର ପ୍ରତିବାଦ ବି କରାଯାଇନାହିଁ। ସରକାର ନିଜଆଡୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ଲାଗି ମଧ୍ୟ ପଛଘୁଞ୍ଚା ଦେଇଛନ୍ତି। ସେହିଭଳି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଟାଟା କଂପାନିଠାରୁ ଏଭଳି ନିର୍ଦିଷ୍ଟ ଅଭିଯୋଗ ପାଇବା ପରେ ସରକାର କିମ୍ବା କୌଣସି ନିରପେକ୍ଷ ସଂସ୍ଥାଙ୍କ ଦ୍ବାରା ତଦନ୍ତ ପାଇଁ ନିର୍ଦେଶ କିମ୍ବା ପରାମର୍ଶ ନ ଦେଇ ଚୁପ୍ ରହିବା ଅଧିକ ବିସ୍ମୟଜନକ ମନେହେଉଛି।ଳଫଳରେ ସରକାର ଓ ଆବଣ୍ଟନ କଂପାନି ଏବଂ ଆୟୋଗଙ୍କ ଇନ୍ଦ୍ରଜାଲରେ ସାଧାରଣ ଉପଭୋକ୍ତା ପୂର୍ବରୁ ଯେମିତି ଶୋଷଣର ଶିକାର ହେଉଥିଲା, ଏବେ ବି ସେମିତି ଶୋଷିତ ହେଉଛି।

ଉଲ୍ଲେଖଥାଉକି, ଗ୍ରାହକଙ୍କ ଉପରେ ଆବଣ୍ଟନ ଓ ବୈଷୟିକ କ୍ଷତି ବାବଦରେ ପ୍ରତିବର୍ଷ ପ୍ରାୟ ୩୧୨୪ କୋଟି ଟଙ୍କାର ଅତିରିକ୍ତ ତଥା ଅଯଥାର୍ଥ ବୋଝ ଲଦି ଦିଆଯାଉଛି। ଶକ୍ତି ସମୀକ୍ଷକମାନେ ଏଟି ଆଣ୍ଡ ସି କ୍ଷତିର ଏକ ପ୍ରତିଶତକୁ ପ୍ରାୟ ୧୪୨ କୋଟି ଟଙ୍କା ହିସାବ କରୁଥିବା ପରିପ୍ରେକ୍ଷୀରେ ଆୟୋଗ ଅନୁମତି ଦେଇଥିବା ୨୨ ପ୍ରତିଶତ କ୍ଷତି ପାଇଁ ଏହି ଅତିରିକ୍ତ ତଥା ବିଶାଳ ବୋଝ ଗ୍ରାହକ ମୁଣ୍ଡାଇବାକୁ ବାଧ୍ୟ ହେଉଛନ୍ତି।

ଆବଣ୍ଟନ କମ୍ପାନିଙ୍କ ବାଲାନ୍‌ସ ସିଟ୍‌ରେ ମାତ୍ର ୯୦୦ କୋଟିର ସଂପତ୍ତି
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ କ୍ଷତି ହ୍ରାସ ପାଇଁ ଖର୍ଚ୍ଚ କରିଥିଲେ ସରକାର
ଖର୍ଚ୍ଚ ପ୍ରଭାବହୀନ; ଗ୍ରାହକଙ୍କ ମୁଣ୍ଡକୁ ଯାଉଛି ବାର୍ଷିକ ୩ହଜାର କୋଟି
ଶକ୍ତି ବିଭାଗର ଦୋମୁହାଁ ନୀତି; ସରକାର-ଆୟୋଗଙ୍କ ଭୂମିକା ବି ସନ୍ଦେହରେ

ଅନ୍ୟପକ୍ଷରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପୁଞ୍ଜିନିବେଶ ପ୍ରସଙ୍ଗଟି ଭିନ୍ନ କାରଣରୁ ବିତର୍କ ଭିତରକୁ ଆସିଲାଣି। ନିକଟରେ ଶେଷ ହୋଇଥିବା ବିଧାନସଭା ବଜେଟ୍‌ ଅଧିବେଶନରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏସଂକ୍ରାନ୍ତ ଏକ ପ୍ରଶ୍ନରେ ସରକାର ଯେଉଁ ଉତ୍ତର ଦେଇଛନ୍ତି ତାହା ତାଜୁବ୍ କରିବା ଭଳି। ଶକ୍ତି ବିଭାଗ ଏଥିରେ ବିତଣ୍ଡା ଯୁକ୍ତି ଦର୍ଶାଇଛନ୍ତି ଯେ ଯେଉଁ ଭିତ୍ତିଭୂମି ଇତିମଧ୍ୟରେ ସୃଷ୍ଟି କରାଯାଇଛି, ସେସବୁର ମାଲିକାନା ସରକାରଙ୍କ ପାଖରେ ରହିଛି। ବଣ୍ଟନ କଂପାନି ଏହାର ବ୍ୟବହାର ଏବଂ ରକ୍ଷଣାବେକ୍ଷଣ କରୁଛନ୍ତି। ସରକାର ବିଦ୍ୟୁତ ନିୟାମକ ଆୟୋଗରେ ଭେଷ୍ଟିଂ ଅର୍ଡରର ସାହାରା ନେଇ ଆହୁରି କହିଛନ୍ତି ଯେ ବଳକା ସଂପତ୍ତି ପର୍ଯ୍ୟାୟକ୍ରମେ ଆବଣ୍ଟନ କଂପାନିମାନଙ୍କୁ ହସ୍ତାନ୍ତର କରାଯିବ। ସରକାରଙ୍କ ତଥ୍ୟକୁ ବିଶ୍ବାସ କଲେ ପ୍ରାୟ ୨୦ ହଜାର କୋଟି ଟଙ୍କାର ଭିତ୍ତିଭୂମି ବାବଦ ବ୍ୟୟରୁ ମାତ୍ର ୯୨୨ କୋଟି ଟଙ୍କାର ସଂପତ୍ତି ବଣ୍ଟନ କଂପାନିମାନେ ନିଜ ବାର୍ଷିକ ଆୟ ବ୍ୟୟ ବିବରଣୀ (ବାଲାନ୍‌ସ ସିଟ୍‌)ରେ ଦର୍ଶାଉଛନ୍ତି। ଅର୍ଥାତ୍ ବଳକା ସଂପତ୍ତି ଏଯାଏ ଆବଣ୍ଟନ କଂପାନିକୁ ହସ୍ତାନ୍ତର କରାଯାଇନାହିଁ।
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ତାଙ୍କ ଭେଷ୍ଟିଂ ଅର୍ଡରରେ ମଧ୍ୟ ଏଭଳି ଅଯୌକ୍ତିକ ଆଦେଶ କିଭଳି ପ୍ରଦାନ କଲେ? ଯଦି ସରକାରଙ୍କ ଟଙ୍କାରେ ସୃଷ୍ଟି ସଂପତ୍ତିକୁ ବଣ୍ଟନ କଂପାନିମାନଙ୍କ ଖାତା କିମ୍ବା ବାଲାନ୍‌ସ ସିଟ୍‌ରେ ସ୍ଥାନୀତ କରାଯିବ ନାହିଁ, ତେବେ ଏହାକୁ କିଭଳି ଅଂଶଧନ ରୂପରେ ହସ୍ତାନ୍ତର କରାଯିବ? ସରକାରୀ ସଂପତ୍ତିକୁ ଘରୋଇ କଂପାନିଙ୍କ ଅଂଶଧନରେ ପରିବର୍ତ୍ତନ ଓ ହସ୍ତାନ୍ତର କରିବାକୁ ହେଲେ ସେହି ସଂପତ୍ତି ମୂଲ୍ୟକୁ ପ୍ରଥମେ ବାଲାନ୍‌ସ ସିଟ୍‌ରେ ସ୍ଥାନୀତ କରାଯିବାର ବିଧି ବ୍ୟବସ୍ଥା ରହିଛି। କିନ୍ତୁ ଏମିତି ନ କରି ହସ୍ତାନ୍ତର ଆଦେଶ କିପରି ଜାରି କରାଗଲା? ସାଧାରଣ ଉପଭୋକ୍ତା ମନରେ ସୃଷ୍ଟି ହେଉଥିବା ଏଭଳି ପ୍ରଶ୍ନର ଉତ୍ତର ନା ଆୟୋଗ ଦେଉଛନ୍ତି ନା ରାଜ୍ୟ ସରକାର।

ବିଦ୍ୟୁତ ଦର ନିର୍ଧାରଣ ସଂକ୍ରାନ୍ତରେ ହୋଇଥିବା ଜନଶୁଣାଣିରେ ଆପତ୍ତିକାରୀଙ୍କ ନିର୍ଦିଷ୍ଟ ଅଭିଯୋଗରେ ଶକ୍ତି ବିଭାଗ ମଧ୍ୟ ସରକାରୀ ଟଙ୍କାରେ ସୃଷ୍ଟି ସଂପତ୍ତି ବାଲାନ୍‌ସ ସିଟ୍‌ରେ ସ୍ଥାନୀତ କରାଯାଉ ବୋଲି ଯୁକ୍ତି ବାଢ଼ିଥିଲେ। ଅଥଚ ବିଧାନସଭାରେ ସେହି ସରକାର ଏହାର ବିପରୀତ ଉତ୍ତର ପ୍ରଦାନ କରିଛନ୍ତି। ସରକାରଙ୍କ ଏଭଳି ଦୋମୁହାଁ ନୀତି ପଛରେ କି ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାରେ ଆହୁରି ପ୍ରଶ୍ନ ଉଠୁଛି ଯେ ଭିତ୍ତିଭୂମି ବାବଦରେ ବ୍ୟୟ ୨୦ ହଜାର କୋଟି ଟଙ୍କାରୁ ଅବଶିଷ୍ଟ ୧୯ ହଜାର କୋଟିରୁ ଅଧିକ ଟଙ୍କାର ସଂପତ୍ତି ଏବେ କେଉଁଠି ଏବଂ କିଭଳି ରହିଛି ସେ ତଥ୍ୟ ବି କେହି ଦେଉନାହାନ୍ତି। ଏହି ସଂପତ୍ତି ଯଦି ଆବଣ୍ଟନ କଂପାନିଙ୍କ ବ୍ୟବହାରରେ ଲାଗୁଛି, ତେବେ ସରକାର ଜୋର ଦେଇ ଯୁକ୍ତି ଉପସ୍ଥାପନ କରିବାକୁ କିଏ ରୋକୁଛି? ପୂରା ଭିତ୍ତିଭୂମି ବାବଦ ଖର୍ଚ୍ଚ ଆବଣ୍ଟନ କଂପାନିଙ୍କ ଖାତାକୁ ହସ୍ତାନ୍ତର ନ ହେବା ଦ୍ବାରା ଘରୋଇ କଂପାନି ଗ୍ରିଡକୋର ୫୧ ପ୍ରତିଶତ ଅଂଶଧନକୁ ମାତ୍ର ୭୫୨ କୋଟି ଟଙ୍କାରେ ନେବାକୁ ସଫଳ ହେଲା ବୋଲି କୁହାଯାଉଛି। ଏଥିସହିତ ରାଜ୍ୟର ଏଭଳି ବିପୁଳ କ୍ଷତି ପଛରେ ଏକ ବଡ ଧରଣର କେଳେଙ୍କାରୀ ଲୁଚି ରହିଛି ବୋଲି ଅଭିଯୋଗ କ୍ରମଶଃ ଘନୀଭୂତ ହେଲାଣି।

ଶକ୍ତି ସମୀକ୍ଷକ ଆହୁରି କହୁଛନ୍ତି ଯେ ଏକ ପକ୍ଷରେ ରାଜ୍ୟ ସରକାରଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଭିତ୍ତିଭୂମି ଅକାମୀ ବୋଲି ଆବଣ୍ଟନ କଂପାନି ଦର୍ଶାଉଛନ୍ତି। ଯଦି ଏହା ସତ୍ୟ, ତେବେ କେଉଁ ସଂପତ୍ତିକୁ ଆଧାର କରି ଆବଣ୍ଟନ କଂପାନି ମରାମତି ଓ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ହିସାବରେ ୯୦୯ କୋଟି ଟଙ୍କାର ପ୍ରସ୍ତାବ ବାର୍ଷିକ ରାଜସ୍ବ ଆବଶ୍ୟକତା ଆବେଦନରେ ଜଣାଇଲେ?

ଏଭଳି ପ୍ରସ୍ତାବ ଅଯୌକ୍ତିକ ମନେ ହେଉଥିବା ବେଳେ ସେ ସଂପର୍କରେ ଉଭୟ ସରକାର ଏବଂ ଆୟୋଗ କାହିଁକି ନିରବ ରହିଲେ ତାହା ସମୁଦାୟ ପ୍ରସଙ୍ଗକୁ ଅଧିକ ରହସ୍ୟମୟ କରିଦେଉଛି। ସେହିଭଳି ୯୦ ପ୍ରତିଶତରୁ ଅଧିକ ଭିତ୍ତିଭୂମି ଯେବେ ସରକାରଙ୍କ ପାଖରେ ଅଛି ଏବଂ ହସ୍ତାନ୍ତର ହୋଇନାହିଁ, ତେବେ କେଉଁ ସଂପତ୍ତି ଉପରେ ଆବଣ୍ଟନ କଂପାନି ଏତେ ବଡ ପରିମାଣର ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରସ୍ତାବ ଦେଲେ, ତାହା ମଧ୍ୟ ଏହି ପ୍ରସଙ୍ଗର ଗମ୍ଭୀରତା ବଢ଼ାଇଦେଇଛି। ବିଶେଷଜ୍ଞଙ୍କ ମତରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କେଉଁ କେଉଁ ଭିତ୍ତିଭୂମି ଆବଶ୍ୟକ ତାହାର ବ୍ୟୟ ଅଟକଳ ନା ଆୟୋଗଙ୍କ ପାଖରେ ଅଛି ନା ସରକାର ପ୍ରସ୍ତୁତ କରିଛନ୍ତି। ଏପରିକି ଆବଣ୍ଟନ କଂପାନିମାନେ ଏ ସଂକ୍ରାନ୍ତ ନିର୍ଦିଷ୍ଟ ପ୍ରସ୍ତାବ ମଧ୍ୟ ରଖିନାହାନ୍ତି। ଏଭଳି ବିବାଦୀୟ ସ୍ଥିତିରେ ଆବଣ୍ଟନ କଂପାନିଗୁଡିକ ନୂତନ ପୁଞ୍ଜି ବିନିଯୋଗ ଅଟକଳ କିଭଳି କଲେ, ଏହାକୁ ନିୟାମକ ଆୟୋଗ କିଭଳି ଅନୁମୋଦନ ଦେଲେ ତାହା ଉଭୟ ସରକାର ଏବଂ ଆୟୋଗଙ୍କ ସଂସ୍କାରମୁଖୀ ଆଭିମୁଖ୍ୟ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।