ଭୁବନେଶ୍ବର: ଓଡ଼ିଶା ହାତୀଙ୍କ ପାଇଁ ଘାତକ ସାଜିଛି ବିଦ୍ୟୁତ୍‌ ତାର। ସମ୍ବଲପୁର, କଟକ, ଗଜପତି, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ପରି ଜିଲ୍ଲାରେ ବିଦ୍ୟୁତ୍‌ ଆଘାତରେ ବହୁ ସଂଖ୍ୟକ ହାତୀଙ୍କ ଜୀବନ ଯାଉଛି। କେବେ ଶିକାରୀଙ୍କ ଦ୍ବାରା ବିଝାଯାଇଥିବା ତାର ତ ଆଉ କେବେ ଝୁଲୁଥିବା ତାରରେ ଲାଗିବା ଦ୍ବାରା ହାତୀ ପରି ବିଶାଳ ପ୍ରାଣୀ ଟଳି ପଡ଼ୁଥିବା ନଜରକୁ ଆସିଛି। ବର୍ଷକୁ ବର୍ଷ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୬ ବର୍ଷର ତଥ୍ୟକୁ ଦେଖିଲେ ଓଡ଼ିଶାରେ କେବଳ ବିଦ୍ୟୁତ୍‌ ଆଘାତରେ ୧୦୪ଟି ହାତୀ ଟଳି ପଡ଼ିଛନ୍ତି। ୨୦୧୯-୨୦ରେ ୯ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ୨୦୨୦-୨୧ରେ ୮, ୨୦୨୧-୨୨ରେ ୧୩, ୨୦୨୨-୨୩ରେ ୨୬, ୨୦୨୩-୨୪ରେ ୧୫ ଓ ୨୦୨୪-୨୫ରେ ୩୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ଦେଶର କୌଣସି ବି ରାଜ୍ୟରେ ଏତେ ସଂଖ୍ୟାରେ ହାତୀଙ୍କ ମୃତ୍ୟୁ ହୋଇ ନ ଥିବା ଜଣାପଡ଼ିଛି।

Advertisment

୨୦୧୯-୨୦ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ହାତୀ-ମଣିଷ ଲଢ଼େଇରେ ଓଡ଼ିଶାରେ ସର୍ବାଧିକ ହାତୀଙ୍କ ଜୀବନ ଯାଇଛି। ଓଡ଼ିଶାରେ ୧୪୪ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ତଳକୁ ଆସାମରେ ୧୧୩, ତାମିଲନାଡ଼ୁରେ ୭୯, କର୍ଣ୍ଣାଟକରେ ୬୭, ପଶ୍ଚିମବଙ୍ଗରେ ୪୫, ଛତିଶଗଡ଼ରେ ୪୩, ଝାଡ଼ଖଣ୍ଡରେ ୩୯ଟି ହାତୀଙ୍କ ଜୀବନ ଯାଇଛି।  ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ୍‌ର ନିର୍ଦ୍ଦେଶକ ରମେଶ କୁମାର ପାଣ୍ଡେଙ୍କ କହିବାନୁଯାୟୀ ହାତୀ-ମଣିଷ ଲଢ଼େଇ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଦୁର୍ଘଟଣା, ବିଷକ୍ରିୟା ଓ ଶିକାରୀଙ୍କ ଦ୍ବାରା ମୁଖ୍ୟତଃ ହାତୀଙ୍କ ଜୀବନ ଯାଉଛି। ଏହି ୪ଟି କାରଣ ପାଇଁ ମୁଖ୍ୟତଃ ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ଓଡ଼ିଶାରେ ବିଦ୍ୟୁତ୍‌ ଆଘାତ ସବୁଠାରୁ ଅଧିକ ଚିନ୍ତାଜନକ। ପଶ୍ଚିମ, ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ବିଦ୍ୟୁତ୍‌ ଆଘାତରେ ଅଧିକ ହାତୀ ମରୁଛନ୍ତି। ଟ୍ରେନ୍‌ ଦୁର୍ଘଟଣା ନିୟନ୍ତ୍ରଣ ଭିତରେ ରହିଛି। ଗତ ୬ଟି ଆର୍ଥିକ ବର୍ଷରେ ଟ୍ରେନ୍‌ ଦୁର୍ଘଟଣାରେ ଓଡ଼ିଶାରେ ଯଥାକ୍ରମେ ୧, ୪, ୩, ୩, ୫ ଓ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ତେବେ ବିଷକ୍ରିୟା ଯୋଗୁଁ ୬ ବର୍ଷ ମଧ୍ୟରେ ଆଦୌ ହାତୀ ନ ମରିବା ଖୁସିର ବିଷୟ। ଅବଶ୍ୟ ଶିକାରୀଙ୍କ ପଞ୍ଝାରେ ପଡ଼ି କିଛି ହାତୀଙ୍କ ଜୀବନ ଯାଇଛି।

୬ ବର୍ଷରେ ଟଳିପଡ଼ିଲେଣି ୧୦୪ ହାତୀ
ହାତୀ-ମଣିଷ ଲଢ଼େଇ ରୋକିବାକୁ ପରାମର୍ଶ

ଓଡ଼ିଶାରେ କେବଳ ଯେ ହାତୀ ମରୁଛନ୍ତି ତାହା ନୁହେଁ, ମଣିଷ ମୃତ୍ୟୁରେ ବି ଓଡ଼ିଶା ଶୀର୍ଷରେ। ୨୦୨୧-୨୨ ଆର୍ଥିକ ବର୍ଷ ବ୍ୟତୀତ ଅନ୍ୟ ସମସ୍ତ ବର୍ଷରେ ଓଡ଼ିଶା ସାରା ଦେଶରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ୨୦୧୯-୨୦ରେ ଓଡ଼ିଶାରେ ୧୧୭ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୦୨୦-୨୧ରେ ୯୩, ୨୦୨୧-୨୨ରେ ୧୧୨, ୨୦୨୨-୨୩ରେ ୧୪୮, ୨୦୨୩-୨୪ରେ ୧୫୪, ୨୦୨୪-୨୫ରେ ୧୪୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୧-୨୨‌ରେ ଝାଡ଼ଖଣ୍ଡରେ ୧୩୩ଜଣଙ୍କ ଜୀବନ ଯାଇଥିଲା, ଯାହାକି ୨୦୨୪-୨୫ରେ ୮୧କୁ ଖସି ଆସିଥିବା ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି। ଏଥିସହ ଓଡ଼ିଶା କିଭଳି ଏହାର ମୁକାବିଲା କରିବ ସେଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଯଦି ଏସିଆ ମହାଦେଶରେ ହାତୀଙ୍କ ସ୍ଥିତି ଦେଖିବା, ତେବେ ଏମାନଙ୍କ ସଂଖ୍ୟା ୪୬,୭୨୬ରୁ ୪୯,୪୯୦ ମଧ୍ୟରେ ରହିଛି। ସେଥିମଧ୍ୟରୁ କେବଳ ଭାରତରେ ୨୯,୯୬୪ ରହିଥିବା ବେଳେ ଶ୍ରୀଲଙ୍କାରେ ୫,୮୭୯, ଥାଇଲାଣ୍ଡରେ ୪,୦୧୩-୪,୪୨୨, ମାଲେସିଆ, ମିଆଁମାର, ଇଣ୍ଡୋନେସିଆ, ଭୂଟାନ, କମ୍ପୋଡିଆ, ଚାଇନା, ବାଂଲାଦେଶ, ନେପାଳ, ଲାଓ ପିଡିଆର, ଭିଏତନାମା ପରି ଦେଶରେ ହାତୀ ରହିଛନ୍ତି। ମଣିଷ-ହାତୀ ଲଢ଼େଇ ଯୋଗୁଁ ପ୍ରତିବର୍ଷ ଏସିଆରେ ହାରାହାରି ୭୩୦ଜଣ ଲୋକଙ୍କ ପ୍ରାଣହାନି ଘଟୁଥିବା ବେଳେ ୩୩୬ଟି ହାତୀଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ଭାରତରେ ୭୩% ଓ ଶ୍ରୀଲଙ୍କାରେ ୧୭% ଘଟଣା ଘଟୁଛି। ଉଭୟ ଶ୍ରୀଲଙ୍କା ଓ ଭାରତରେ ୯୦% ଘଟଣା ହେଉଛି। ଏହା ତଳକୁ ଥାଇଲାଣ୍ଡ, ବାଂଲାଦେଶ ଓ ନେପାଳ ରହିଥିବା ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ ପକ୍ଷରୁ ସୂଚନା ମିଳିଛି।