ଗଜରାଜକୁ ଏବେ ବି ବିଦ୍ୟୁତ୍ ବିପଦ
୬୯୦ କୋଟି ସରିଲାଣି, ଏବେ ଆଉ ୫୦ କୋଟି, ଭିତ୍ତିଭୂମି ସୁଦୃଢ଼ କରିବାକୁ ଆହୁରି ୩ ମାସ
ଭୁବନେଶ୍ବର : ବିଦ୍ୟୁତ୍ ଆଘାତରେ ଟଳି ପଡ଼ୁଛନ୍ତି ହାତୀ। ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ହାତୀ କରିଡର ଓ ଚଳପ୍ରଚଳ କରୁଥିବା ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ବନ ବିଭାଗ ଓ ଶକ୍ତି ବିଭାଗ ମିଳିତ ଭାବେ ପଦକ୍ଷେପ ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଚୂଡ଼ାନ୍ତ ରୂପ ନେଇପାରି ନାହିଁ। ଯେଉଁଥିପାଇଁ ଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ୍ ଆଘାତରେ ୪୩ଟି ହାତୀଙ୍କ ଜୀବନ ଯାଇଛି। ଶିକାରୀମାନେ ସୁଚିନ୍ତିତ ଭାବେ ବିଦ୍ୟୁତ୍ ତାର ବିଛାଇ ୬୧ଟିକୁ ହତ୍ୟା କରିଛନ୍ତି। ଜୁନ୍ ମାସ ସୁଦ୍ଧା ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟ ଶେଷ କରିବାକୁ ଶକ୍ତି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ହାତୀ କରିଡରରେ ଭିତ୍ତିଭୂମି ସୁଦୃଢ଼ ଲାଗି ଏବେ ସୁଦ୍ଧା ୬୯୦ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ତା’ସତ୍ତ୍ବେ ବି ସୁଫଳ ମିଳୁନି। ତେଣୁ ୨୦୨୩-୨୪ ଆର୍ଥିକ ବଜେଟ୍ରେ ଏଥିପାଇଁ ପୁଣି ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ନେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ବିଭିନ୍ନ କାରଣ ଲାଗି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହୋଇଥାଏ। ତେଣୁ ହାତୀ ଯେଉଁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି ସେଠାକାର ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ କରିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତାହାକୁ ଦୃଷ୍ଟିରେ ରଖି ହାତୀ କରିଡର ଓ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଥିବା ଖୁଣ୍ଟରେ କଣ୍ଟାବାଡ଼ ଲଗାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଏବେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ କାର୍ଯ୍ୟ ଲାଗି ଫାଣ୍ଠି ମଞ୍ଜୁର ହୋଇଯାଇଛି। ୩୩ କେଭି ଓ ୧୧ କେଭି ଖୁଣ୍ଟ କାମ ୬୯% ସରିଛି। ଏଲ୍ଟି(ଲୋ ଟେନ୍ସନ୍) କ୍ଷେତ୍ରରେ ୭୦% ଲାଗିଛି। ଖୋଲାଥିବା କଣ୍ଡକ୍ଟରକୁ କଭର କରିବା କ୍ଷେତ୍ରରେ ଏଚ୍ଟି(ହାଇପାୱାର ଟେନ୍ସନ୍)ରେ ୩୦% ଓ ଏଲ୍ଟିରେ ୪୦% କାମ ଶେଷ ହୋଇଛି। ଜୁନ୍ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ।
ପିସିସିଏଫ୍(ବନ୍ୟପ୍ରାଣୀ) ସୁଶିଲ କୁମାର ପୋପଲି କହିଛନ୍ତି ଯେ ବନ ବିଭାଗ ପକ୍ଷରୁ ଦୁଇ ପ୍ରକାର ପଏଣ୍ଟ ଆମେ ଚିହ୍ନଟ କରୁଛୁ। ଗୋଟିଏ କେବଲିଂ ଓ ଅନ୍ୟଟି କଣ୍ଡକ୍ଟର ଲଗାଇବା। ଏଲ୍ଟି ଲାଇନ୍ରେ ବଞ୍ଚ କେବଲିଂ କରୁଛୁ। ୧୧ କେଭିରେ ଇନ୍ସ୍ୟୁଲେଟେଡ୍ କଣ୍ଡକ୍ଟର ଓ ୩୩ କେଭିରେ ବେୟାର କଣ୍ଡକ୍ଟର ପକାଯାଉଛି। ପ୍ରଥମ ପର୍ଯ୍ୟାୟରେ ୩,୮୦୦ରୁ ଅଧିକ କିମି ଟାର୍ଗେଟ୍ ଶକ୍ତି ବିଭାଗକୁ ଦେଇଥିଲୁ। ସେଥିମଧ୍ୟରୁ ସେମାନେ ପାଖାପାଖି ୨୫୦୦ କିମିରେ କେବଲିଂ ଓ କଣ୍ଡକ୍ଟର କରିସାରିଛନ୍ତି। ଦୁର୍ବଳ ଥିବା ସ୍ଥାନ ଚିହ୍ନଟ କରି ତାହାର ଉନ୍ନତିକରଣ କରିବାକୁ ଆମେ ପ୍ରସ୍ତାବ ରଖିଥିଲୁ। ଏଭଳି ୧୩ହଜାର ପଏଣ୍ଟ ଚିହ୍ନଟ କରି ତାଙ୍କୁ ତାଲିକା ଦେଇଥିଲୁ। ସେଥିରୁ ୯ହଜାର ସ୍ଥାନରେ ସୁଦୃଢ଼ କରାଯାଇ ସାରିଛି। ଜୁନ୍ ସୁଦ୍ଧା ବାକି କାମ ସରିବ ବୋଲି ସେମାନେ କହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି ସ୍ଥାନ ଚିହ୍ନଟ କରିବା ଦିଗରେ ଆମେ ପଦକ୍ଷେପ ନେଇଛୁ।