ବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି?

ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ

ଭୁବନେଶ୍ବର : ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ବୋଲି ବାରମ୍ବାର କୁହାଯାଉଛି। କିନ୍ତୁ ଜାତୀୟ ହାର ଠାରୁ ଏଠାରେ ବିଜୁଳି ଦର ଅଧିକ କାହିଁକି? ସାଧାରଣ ଉପଭୋକ୍ତାଙ୍କ ଉପରେ କାହିଁକି ସରକାର ବୋଝ ଲଦି ଦେଉଛନ୍ତି? ଦିଲ୍ଲୀରେ ୨୦୦ ୟୁନିଟ୍‌ ଯାଏ ବିଜୁଳି ମାଗଣା ଦିଆଯାଉଥିବା ବେଳେ ଓଡ଼ିଶାରେ କାହିଁକି ସମ୍ଭବ ହେଉନାହିଁ? ଚାଷୀଙ୍କୁ ବିଜୁଳି ବିଲ୍‌ ଛାଡ଼ କରାଯାଉ ନାହିଁ କାହିଁକି? ଆଜି ବିଧାନସଭାରେ ଏମିତି ପ୍ରଶ୍ନବାଣରେ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ। ଅଭିଯୋଗ କରିଥିଲେ ଯେ ଗତ ୨୨ ବର୍ଷରେ ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି। ଭିତ୍ତିଭୂମି ବାବଦକୁ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି ଟଙ୍କାର ହିସାବ ସରକାର ଦିଅନ୍ତୁ।

ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ‘ବିଦ୍ୟୁତ ସଂସ୍କାର ଆଳରେ ଉପଭୋକ୍ତାଙ୍କୁ ମହଙ୍ଗାମାଡ଼। ଘନ ଘନ ପାୱାର୍‌ କଟ୍‌, ଲୋ-ଭୋଲ୍‌ଟେଜ୍, ଚୁଲିକି ଗଲାଣି ପିଲାଙ୍କ ପାଠ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ ଯେ ରାଜ୍ୟରେ ଜଳ ବିଦ୍ୟୁତ ଉତ୍ପାଦନ ବଢ଼ୁନି। ଏ ସରକାର ୨୨ ବର୍ଷ ଭିତରେ ଉପଭୋକ୍ତାଙ୍କୁ ଯେମିତି ଆଶ୍ବସ୍ତି ଦେବା କଥା ତାହା ଦେଇପାରି ନାହାନ୍ତି। ଅନ୍ୟ ରାଜ୍ୟ ସହ ତୁଳନା‌ କଲେ ଓଡ଼ିଶାରେ ବିଜୁଳି ଦର ଅଧିକ ରହୁଛି। ଏପରିକି ଜାତୀୟ ହାର ଠାରୁ ମଧ୍ୟ ଅଧିକ। ଗୁଣାତ୍ମକ ବିଜୁଳି ଯୋଗାଣ ବି ହେଉନି। ସଂସ୍କାର ପରେ ଭିତ୍ତିଭୂମି ଉନ୍ନତି ବାବଦକୁ ସରକାର ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କଲେଣି। କିନ୍ତୁ ୯୦% ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହେଲା ପରି ଲାଗୁନି। ତାହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ବିଜେଡି ସରକାର କ୍ଷମତାକୁ ଆସିଲା ପରେ ବିଜୁଳି ଦର ୧୩୭% ବୃଦ୍ଧି ପାଇଛି। ଘରୋଇ ଉପଭୋକ୍ତାଙ୍କ ଉପରେ ଅଧିକ ଚାପ ପକାଯାଉଛି। ଓଇଆର୍‌ସି କାହିଁକି ଅଛି ବୁଝାପଡ଼ୁ ନାହିଁ।

ବିଦ୍ୟୁତ କ୍ଷେତ୍ରରେ ପରିଚାଳନାଗତ ବିଭ୍ରାଟ ଦେଖାଦେଇଛି। ଏଟି ଆଣ୍ଡ ସି କ୍ଷତି ଆଖିଦୃଶିଆ ଭାବେ ହ୍ରାସ ପାଇନି।

Vox

ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଥିଲେ ଯେ ଓଡ଼ିଶା ବଳକା ରାଜ୍ୟ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ଠିକ୍ ଭାବେ ହେଉନାହିଁ। ବିତରଣ କମ୍ପାନି ସହ ଚୁକ୍ତିନାମାରେ ତ୍ରୁଟି ରହିଛି। ଗତ ୨୨ ବର୍ଷରେ ସବୁଠାରୁ ବଡ଼ ଦୁର୍ନୀତି ବିଦ୍ୟୁତ କ୍ଷେତ୍ରରେ ହୋଇଛି। ସବୁଜ ଶକ୍ତି ଉତ୍ପାଦନ ବଢ଼ାଇବା ପାଇଁ ଆମେ ଠୋସ୍ ପଦକ୍ଷେପ ନେଉ ନାହୁଁ। ୨୪ ଘଣ୍ଟିଆ ଗୁଣାତ୍ମକ ବିଜୁଳି ଯୋଗାଣ ଏ ଯାଏ ହେଇପାରି ନାହିଁ। ସନାତନ ବିଜୁଳି କହିଲେ ଯେ ଚଳିତ ଶତାବ୍ଦୀରେ ସବୁଠାରୁ ବଡ଼ ଦୁର୍ନୀତି ବିଜୁଳି ବିଭାଗରେ ହୋଇଛି। ବିଦ୍ୟୁତ ଉତ୍ପାଦନରେ ଆମେ ବଳକା ରାଜ୍ୟ ହୋଇଥିଲା ବେଳେ ବିଜୁଳି ଦର ଜାତୀୟ ହାର ଠାରୁ ଅଧିକ। ବିଜୁଳି ବିଭାଗରେ ଏବେ ତଳ ସ୍ତରରେ କର୍ମଚାରୀ ନାହାନ୍ତି। ଲାଇନ୍ କଟିଗଲେ କେତେବେଳେ ଆସିବ, ତାହାର ଉତ୍ତର କାହା ପାଖରେ ନାହିଁ।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ବାରମ୍ବାର ଶୁଣୁଛୁ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ। କିନ୍ତୁ ପିକ୍‌ ସମୟରେ ବିଜୁଳି ମିଳୁନି। ପିଲାମା‌ନେ ପାଠପଢ଼ାରେ ଅସୁବିଧା ଭୋଗୁଛନ୍ତି। ଜେ ବି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଜୁଳିର ଘରୋଇକରଣ କରାଯାଇଥିଲା। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଘରୋଇକରଣ ପନ୍ଥା ଆପଣାଇଥିଲା। ଦିଲ୍ଲୀ ଦ୍ବିତୀୟରେ ଥିଲା। ଉଦ୍ଦେଶ୍ୟ ଥିଲା ରାଜକୋଷ ଉପରେ ବୋଝ ପଡ଼ିବନି। କିନ୍ତୁ ବର୍ତ୍ତମାନର ସରକାର ଏହି ବ୍ୟବସ୍ଥାର ଠିକ୍ ପରିଚାଳନା କରିପାରୁ ନାହାନ୍ତି। ଓଇଆର୍‌ସି ମାଧ୍ୟମରେ ସରକାର ବିଜୁଳି ଦର ବଢ଼ାଇ ଚାଲିଛନ୍ତି। ଏକ ବିଜୁଳି ବଳକା ରାଜ୍ୟରେ ଜାତୀୟ ହାର ଠାରୁ ଦର କିପରି ଅଧିକ ହେବ ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ କହିଲେ ଯେ ଚାଷୀଙ୍କ ପାଇଁ ସରକାର ସବୁବେଳେ କାନ୍ଦୁଛନ୍ତି। କିନ୍ତୁ ସେମାନଙ୍କୁ ବିଜୁଳି ବିଲ୍‌ ସମ୍ପୂର୍ଣ୍ଣ ଛାଡ଼ କରାଯାଉନି। ବିଲ୍‌ ନ ଦେବାରୁ ଉଠା ଜଳସେଚନ ପଏଣ୍ଟଗୁଡ଼ିକରେ ଲାଇନ୍ କାଟିଦିଆଯାଉଛି।

My Sambalpur

ତେବେ ବିରୋଧୀଙ୍କ ଏପରି ଯୁକ୍ତିକୁ ଶାସକ ଦଳ ସଭ୍ୟ ଗ୍ରହଣ କରି ନ ଥିଲେ। ଉମାକାନ୍ତ ସାମନ୍ତରାୟ କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଜୁଳି ଭିତ୍ତିଭୂମିକୁ ୨୪ ଘଣ୍ଟା ଭିତରେ ସଜାଡ଼ି ଦିଆଯାଉଛି। ଆଗରୁ ପ୍ରତି ପଞ୍ଚାୟତରେ ୧/୨ଟି ଟ୍ରାନ୍ସଫର୍ମର୍‌ ଥିଲା ବେଳେ ଏବେ ପ୍ରତି ଗାଁରେ ଦୁଇଟି ଲେଖାଏଁ ଟ୍ରାନ୍ସଫର୍ମର୍‌ ଲାଗିଛି। ସରକାର ଭିତ୍ତିଭୂମି ବାବଦକୁ ୨୦ ହଜାର କୋଟି କିପରି ଖର୍ଚ୍ଚ କରିଛନ୍ତି, ଏହା ତାହାର ପ୍ରମାଣ। ସୁଧୀର ସାମଲ କହିଥିଲେ, ପ୍ରତି ଘରକୁ ଉନ୍ନତମାନର ବିଜୁଳି ସେବା ଦିଆଯାଉଛି। ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଫିଡ଼ର୍‌ ଦିଆଯାଉଛି। ଦୁର୍ନୀତି ହୋଇଥିଲେ ନବୀନ ପଟ୍ଟନାୟକ ୫ ଥର ଜିତି ମୁଖ୍ୟମନ୍ତ୍ରୀ ହୋଇ ନ ଥା’ନ୍ତେ। ଧ୍ରୁବ ଚରଣ ସାହୁ କହିଥିଲେ ଯେ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆସିଛି। ଲୋ-ଭୋଲ୍‌ଟେଜ୍ ସମସ୍ୟା ଦୂର ହୋଇଛି। ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ ଯେ ବିଦ୍ୟୁତ ସଂସ୍କାର ଓଡ଼ିଶାରେ ସଫଳ ହୋଇଛି। ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧିତ ଖବର