ବିଦ୍ୟୁତ୍‌ ଦରବୃଦ୍ଧି: ଗ୍ରିଡ୍‌କୋ, ଆୟୋଗଙ୍କୁ ଘେରିଲେ

ଚାପରେ ଆସିଲା ଶକ୍ତି ବିଭାଗ, ବିଦ୍ୟୁତ୍ ଦର ବୃଦ୍ଧି କରାନଯାଉ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍‌ ଦର ନିର୍ଧାରଣ କ୍ଷେତ୍ରରେ ଚାରିଜଣ ହିତାଧିକାରୀଙ୍କ ଭୂମିକା ସ୍ପଷ୍ଟ ଭାବେ ବୁଝିହେଉଛି। ସେମାନେ ହେଲେ ଉତ୍ପାଦନକାରୀ କଂପାନି ବା ସଂସ୍ଥା, ବିଦ୍ୟୁତ୍‌ ସରବରାହ ସଂସ୍ଥା, ବିଦ୍ୟୁତ୍‌ ଆବଣ୍ଟନକାରୀ କଂପାନି ଏବଂ ଉପଭୋକ୍ତା। ଏଥିରେ ଗ୍ରିଡ୍‌କୋ କେଉଁଠୁ ଆସିଲା? ବିଦ୍ୟୁତ୍‌ ଦର ଶୁଣାଣିରେ ତାର ବୈଧତା ଅଛି କି? କାହିଁକି ଓ କାହା ସ୍ବାର୍ଥରେ ଗ୍ରିଡ୍‌କୋ ଶୁଣାଣି ପ୍ରକ୍ରିୟାରେ ଭାଗ ନେବ? କାହିଁକି ଏହି ସଂସ୍ଥାର ଅପରିଣାମଦର୍ଶୀ କାର୍ଯ୍ୟ ଯାଗୁଁ ହଜାର ହଜାର କୋଟିର କ୍ଷତି ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ମୁଣ୍ଡାଇବେ? ୨୦୨୨-୨୩ବର୍ଷ ଲାଗି ବିଦ୍ୟୁତ୍‌ ଦରବୃଦ୍ଧି ସଂକ୍ରାନ୍ତରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗରେ ଚାଲିଥିବା ଜନଶୁଣାଣିର ଚତୁର୍ଥ ବୈଠକରେ ଆଜି ଏଭଳି ଏକ ସଙ୍ଗିନ୍ ପ୍ରଶ୍ନ ଉଠାଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ଶକ୍ତି ବିଶେଷଜ୍ଞ ରାମ ପ୍ରସାଦ ମହାପାତ୍ର।
କେବଳ ସେତିକି ନୁହେଁ, ଓଡ଼ିଶା ବିଦ୍ୟୁତ୍‌ ଆଇନର ଧାରା ୮୬(୧)(କ)ର ଯେଉଁ ବ୍ୟବସ୍ଥାକୁ ଆୟୁଧ କରି ଗ୍ରିଡ୍‌କୋକୁ ଆୟୋଗ ବର୍ଷ ପରେ ବର୍ଷ ଶୁଣାଣି ପ୍ରକ୍ରିୟାରେ ସାମିଲ କରି ଆସୁଛନ୍ତି, ସେଥିରେ ଏମିତି କିଛି ବି ଉଲ୍ଲେଖ ନାହିଁ ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ। ମାଳ ମାଳ ପ୍ରଶ୍ନ ଓ ପୁଳା ପୁଳା ତଥ୍ୟ ରଖି ଶ୍ରୀ ପଟ୍ଟନାୟକ ଆୟୋଗଙ୍କୁ ଜଣାଇଛନ୍ତି ଯେ କେଉଁ ଅଧିକାର ବଳରେ ଗ୍ରିଡ୍‌କୋ ବାର୍ଷିକ ରାଜସ୍ବ ଆବଶ୍ୟକତା ରିପୋର୍ଟ ଆୟୋଗଙ୍କ ସାମ୍ନାକୁ ଆଣୁଛନ୍ତି ଏବଂ ଆୟୋଗ ତାହାକୁ ଶୁଣି ଏହାକୁ ଉପରେ ରାୟ ଶୁଣାଉଛନ୍ତି, ତାହା ବୁଝାପଡ଼ୁନାହିଁ। ବରଂ ଗ୍ରିଡ୍‌କୋ ଓ ଓଇଆରସିର ଖେଳ ଏବଂ ବଣ୍ଟନ କଂପାନିଙ୍କ କାର୍ଯ୍ୟ ଏବେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ସ୍ଥିତିକୁ ସଙ୍ଗିନ୍ କରିସାରିଲାଣି। ଏମିତି ଯେ ରାଜ୍ୟର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଘରୋଇକରଣ ଏବେ ଆଶ୍ବସ୍ତି ଆଣିବା ପରିବର୍ତ୍ତେ ଘାତକ ସାଜିଛି। ନିୟମ ଅନୁସାରେ ମୁଖ୍ୟ ଚାରିଜଣ ଭାଗିଦାରଙ୍କୁ ବାଦ୍ ଦେଲେ ପଞ୍ଚମ ଭାଗିଦାରଭାବେ ଗ୍ରିଡ୍‌କୋ ସାମ୍ନାକୁ ଆସୁଛି। ତାର କାମ କହିଲେ, ଉତ୍ପାଦନକାରୀଙ୍କ ଠାରୁ ବିଦ୍ୟୁତ୍‌ ଆଣିବ ଏବଂ ବଣ୍ଟନ କଂପାନିଙ୍କୁ ବିକ୍ରି କରିବ। ଏଥିପାଇଁ ଓଇଆର୍‌ସି ତାଙ୍କୁ ବ୍ୟାବସାୟିକ ଅନୁମତି ପ୍ରଦାନ କରିଛନ୍ତି।

ଯେହେତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରିଡ୍‌କୋ ଏହି କାରବାର କରୁଛି, ଏଣୁ ରାଜ୍ୟ ସରକାର ଏସଂସ୍ଥାର ଖର୍ଚ୍ଚ ବହନ କରିବା କଥା। ବୋଝ ମୁଣ୍ଡାଇବା କଥା। ଅଥଚ ଲୋକ ମୁଣ୍ଡାଉଛନ୍ତି। ସେହିଭଳି କେଉଁ ପରିସ୍ଥିତିରେ ଗ୍ରିଡ୍‌କୋ ଓଇଆରସି ଶୁଣାଣି ପ୍ରକ୍ରିୟାରେ ଭାଗ ନେବ, ଏଥିପାଇଁ ଓଡ଼ିଶା ବିଦ୍ୟୁତ୍‌ ଆଇନରେ କେଉଁଠାରେ ଉଲ୍ଲେଖ ରହିଛି ତାହା ବି ବୁଝାପଡୁନାହିଁ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ପକ୍ଷରୁ ଦାୟିତ୍ବରେ ଥିବା ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି ପୂର୍ବାହ୍ନରେ ଗ୍ରିଡ୍‌କୋ ଆବେଦନ ଉପରେ ଜନଶୁଣାଣି କରିଥିଲେ। ଆୟୋଗଙ୍କ ଦ୍ବାରା ନିଯୁକ୍ତ ଵାର୍ଲଡ୍ ଇନଷ୍ଟିଚ୍ୟୁଟ ଅଫ୍ ସଷ୍ଟେନବଲ୍ ଏନର୍ଜି (ଵାଇଜ୍) ପୁନେ ଆବେଦନର ତର୍ଜମା କରିଥିଲେ। ଭର୍ଚୁଆଲରେ ହୋଇଥିବା ଏହି ଶୁଣାଣିରେ ଭାଗ ନେଇ ଗ୍ରିଡ୍‌କୋ ଚଳିତବର୍ଷ ତୁଳନାରେ ୧୩% ଅଧିକ ଦର ବୃଦ୍ଧି ସପକ୍ଷରେ ଯୁକ୍ତି ରଖିଥିଲା। ସଂସ୍ଥାର ଏଭଳି ଦାବିକୁ ନେଇ ଆଜି ଜନଶୁଣାଣିରେ ଏକପ୍ରକାର ଝଡ ସୃଷ୍ଟି େହାଇଥିଲା। ଅଧିକାଂଶ ଆପତ୍ତିକାରୀ(ଅବ୍‌ଜେକ୍ଟର) ଅସନ୍ତୋଷ ଝାଡ଼ିବା ସହିତ ଗ୍ରିଡ୍‌କୋର ଆବେଦନ, ପ୍ରଦର୍ଶନ, ଓଇଆର୍‌ସିଙ୍କ ଭୂମିକା ଏବଂ ବଣ୍ଟନ କଂପାନିଙ୍କ ପାରଦର୍ଶିତାକୁ ନେଇ ଗର୍ଜନ ତର୍ଜନ କରିଥିଲେ।

ଗ୍ରିଡ୍‌କୋ ଆବେଦନର ବୈଧତା ଉପରେ ପ୍ରଶ୍ନ ଉଠାଇଲେ ସୌମ୍ୟରଂଜନ
ଆଉ କାହା କ୍ଷତି ଉପଭୋକ୍ତାଙ୍କ ଉପରେ ଲଦିଲେ ବରଦାସ୍ତ କରିବୁନି
ଓଡ଼ିଶା ଦ୍ବିତୀୟ ବିଦ୍ୟୁତ ସଂସ୍କାର ପାଇଁ ପଦକ୍ଷେପ ନେବା ଦରକାର
ଗ୍ରିଡ୍‌କୋ ପ୍ରଦର୍ଶନ ନେଇ ଗର୍ଜିଲେ ଶକ୍ତି ସମୀକ୍ଷକ ରାମପ୍ରସାଦ, ରମେଶ ଶତପଥୀ
ଓଡ଼ିଶା ବଳକା ବୋଲି ଆୟୋଗଙ୍କ ମନ୍ତବ୍ୟରୁ ପରଦା ହଟାଇଲେ ପି କେ ପ୍ରଧାନ

ବିଧାୟକ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରାୟ ସବୁ ରାଜ୍ୟରେ ଗ୍ରିଡ୍‌କୋ ଭଳି ସଂସ୍ଥାମାନେ ଅଛନ୍ତି, ଅଥଚ ଓଡ଼ିଶା ଭଳି ସ୍ଥିତି ଅନ୍ୟ କେଉଁଠି (ଅନ୍ୟମାନେ ବାର୍ଷିକ ରାଜସ୍ବ ଆବଶ୍ୟକତା ଭରଣା ପାଇଁ ଆବେଦନ କରନ୍ତି ନାହିଁ) ନାହିଁ। ଏଠାରେ ଏହି ସଂସ୍ଥା ବିନା ଲାଭରେ ବିଦ୍ୟୁତ ବ୍ୟବସାୟ କଥା କହୁଛି। ଅଥଚ ବିଦ୍ୟୁତ୍‌ ଦର ବୃଦ୍ଧିରେ ଏମାନଙ୍କ ବଡ ଭୂମିକା ପରିଲକ୍ଷିତ ହେଲାଣି। ସବୁଠାରୁ ସାଂଘାତିକ କଥା ହେଲା ଯେ ଗ୍ରିଡ୍‌କୋ ବିଦ୍ୟୁତ୍‌ ବିକ୍ରି କରୁଛି, ଅଥଚ ଶତପ୍ରତିଶତ ଦେୟ ଆଦାୟ କରିପାରୁନାହିଁ। ଉପଭୋକ୍ତାଟିଏ ଟଙ୍କାଟିଏ ଦେୟ ବାକି ରଖିଲେ ତା’ ଉପରେ ଜରିମାନା କଷି ଦିଆଯାଉଛି। ହେଲେ ଆବଣ୍ଟନକାରୀ ସଂସ୍ଥାଙ୍କୁ ମାଫ୍‌ କାହିଁକି? ଏ ବୋଝ ବି ଉପଭୋକ୍ତା ସହିବେ? ଏହି ବୋଝ କୌଣସି ପରିସ୍ଥିତିରେ ଉପଭୋକ୍ତାଙ୍କ ଉପରେ ଲଦି ଯାଇ ପାରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇଦେଇଛନ୍ତି। ସେହିଭଳି ଜଣେ ସଚ୍ଚା ଉପଭୋକ୍ତା ଠିକ୍ ସମୟରେ ବିଦ୍ୟୁତ ଦେୟ ପୈଠ କରିବ, ଅଥଚ ସେ ଖିଲାପୀକାରୀଙ୍କ ପାଇଁ କ୍ଷତି ସହିବ କାହିଁକି?

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ବିଦ୍ୟୁତ୍‌ କ୍ଷେତ୍ରରେ ଓଡ଼ିଶା ଦିନେ ଅଭାବୀ ରାଜ୍ୟ ଭାବରେ ପରିଗଣିତ ହେଉଥିଲା। କିନ୍ତୁ ହଠାତ୍‌ ବଳକା‌ ରାଜ୍ୟ ବୋଲି ଦାବି କରାଯାଉଛି। ଯଦି ବଳକା ବିଦ୍ୟୁତ୍‌ ରହିଛି; ତାହା ଖୋଲା ବଜାରରେ ଭଲ ଦରରେ ବିକ୍ରି କରିବା ଜରୁରୀ। ହେଲେ ଆମେ ବଳକା ବିଦ୍ୟୁତ୍‌କୁ ଶସ୍ତାରେ ବିକି ମହଙ୍ଗା ଦରରେ ବିଦ୍ୟୁତ୍‌ କିଣୁଛେ। ଯେଉଁଥିପାଇଁ ଏହି ବଳକା ବିଦ୍ୟୁତ୍‌ ଏବେ ଉପଭୋକ୍ତାଙ୍କ ଉପକାର କରିବା ପରିବର୍ତ୍ତେ ବୋଝ ହେଲାଣି। କେବଳ ସେତିକି ନୁହେଁ, ୨୫ ବର୍ଷ ତଳେ ଯେଉଁ ରାଜିନାମା ହୋଇଥିଲା ସେହି ଆଧାରରେ ଏବେ ମହଙ୍ଗା ବିଦ୍ୟୁତ୍‌ କିଣା ଚାଲିଛି। ଏହି ଚୁକ୍ତିନାମା ଏବେ ଅପ୍ରାସଙ୍ଗିକ ହୋଇପଡ଼ିଲାଣି। ଏଟିସି (ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି) ମଧ୍ୟ କମିପାରୁନି। ଫଳରେ ଦେଶରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆରମ୍ଭ କରିଥିବା ପ୍ରଥମ ରାଜ୍ୟ ଓଡ଼ିଶା ଏବେ ବିଦ୍ୟୁତ କ୍ଷେତ୍ରରେ ବିଭ୍ରାଟର ଜାଲରେ ଛନ୍ଦି ହୋଇଗଲାଣି। ମୋର ହୃଦ୍‌ବୋଧ ହେଉଛି ଯେ ଏସବୁକୁ ଦୂର କରି ଗୋଟିଏ ବିଦ୍ୟୁତ କ୍ଷେତ୍ରରେ ଗୋଟିଏ ଆଗୁଆ ରାଜ୍ୟ ହେବାକୁ ହେଲେ ସମ୍ଭବତଃ ରାଜ୍ୟ ସରକାର ଦ୍ବିତୀୟ ବିଦ୍ୟୁତ୍‌ ସଂସ୍କାର ପାଇଁ ପଦକ୍ଷେପ ନେବା ଦରକାର।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଯେଉଁ କଥାଟି ସବୁଠାରୁ ଅଧିକ ବିସ୍ମିତ କରୁଛି, ତାହା ହେଲା, କେନ୍ଦ୍ରୀୟ ସୂତ୍ରରୁ କିଣାଯାଉଥିବା ବିଦ୍ୟୁତ୍ ଅତ୍ୟନ୍ତ ମହଙ୍ଗା। ଏପଟେ ଖୋଲା ବଜାର‌ରେ ଶସ୍ତାରେ ବିଜୁଳି ଉପଲବ୍ଧ ଅଛି। ଏଣୁ ବଡ଼ ବଡ଼ ଉପଭୋକ୍ତାମାନେ ଗ୍ରିଡ୍‌କୋକୁ ମୁହଁମୋଡ଼ି ତଥା ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖୋଲାବଜାରରୁ ଶସ୍ତାରେ ବିଦ୍ୟୁତ୍‌ କିଣୁଛନ୍ତି। ଏଣୁ ଗ୍ରିଡ୍‌କୋ ପାଖରେ ବିଜୁଳି ବଳକା ରହିଯାଉଛି। ଏହା କିଭଳି ଭଲ ଦରରେ ବିକ୍ରି ହେବ ସେ ନେଇ ଉଦ୍ୟମ ନ କରି ବଳକା ରାଜ୍ୟ ବୋଲି ସମସ୍ତେ ଡିଣ୍ଡିମ ପିଟୁଛନ୍ତି। ଏପଟେ ବେଦାନ୍ତ ଭଳି ଏକାଧିକ ଆଇପିପି ଏବେ ସବୁ ଲାଭ ଉଠାଇ ସାରିବା ପରେ ସିପିପି ବା ନିଜସ୍ବ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଭାବେ ମାନ୍ୟତା ହାସଲ କରିନେଉଛନ୍ତି।

ଏଠାରେ କଣ ଚାଲିଛି? ମାତ୍ର ଗୋଟିଏ ଦିନ ଆବେଦନରେ ବିଳମ୍ବ ହେବାରୁ ଆୟୋଗ ଗ୍ରିଡକୋର ଆବେଦନକୁ ଖାରଜ କରି ରାଜ୍ୟବାସୀଙ୍କୁ ଶସ୍ତା ବିଦ୍ୟୁତରୁ ବଞ୍ଚିତ କରିଦେଲେ? କାହା ପାଇଁ ଆୟୋଗ କାମ କରୁଛନ୍ତି? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଅନ୍ୟତମ ଆପତ୍ତିକାରୀ ତଥା ଉପଭୋକ୍ତା ମହାସଂଘ ପକ୍ଷରୁ ଯୁକ୍ତି ବାଢି ରମେଶ ଶତପଥୀ ଅକ୍ଷୟ ଶକ୍ତି ଉତ୍ପାଦନରେ ଓଡ଼ିଶାର ବିଫଳତା ଉପରୁ ରହସ୍ୟ ଖୋଲିଥିଲେ। କୁସୁମ ଯୋଜନା ଫେଲ୍‌ ମାରିବା ପାଇଁ କାହାକୁ ଦାୟୀ କରାଗଲା ବୋଲି ଆୟୋଗଙ୍କୁ ପ୍ରଶ୍ନ କରିଥିଲେ। ଅକ୍ଷୟଶକ୍ତି ବିନିଯୋଗ ଉପରେ ଗୁରୁତ୍ବ ଦିଆନଯିବା ଦୁର୍ଭାଗ୍ୟଜନକ ବୋଲି ମତ ଦେଇ ଶ୍ରୀ ଶତପଥୀ ଗ୍ରିଡ୍‌କୋ ପ୍ରଦର୍ଶନ ସମୀକ୍ଷା କରିବାକୁ ଦାବି କରିଥିଲେ। ଯେଉଁ ଅଧିକାରୀଙ୍କ ଅପାରଗତା କାରଣରୁ ପାଖାପାଖି ୮ହଜାର କୋଟିର ବୋଝ ଏବେ ଉପଭୋକ୍ତାଙ୍କ ମୁଣ୍ଡକୁ ଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଥିଲେ। ଶକ୍ତି ବିଶେଷଜ୍ଞ ପ୍ରଶାନ୍ତ କୁମାର ପ୍ରଧାନ ଶ୍ରୀ ପଟ୍ଟନାୟକଙ୍କ ଯୁକ୍ତିକୁ ଅଧିକ ବଳିଷ୍ଠ କରି ସିଧା ସିଧା କହିଥିଲେ ଯେ ଆୟୋଗ ଓଡ଼ିଶା କ୍ଷେତ୍ରରେ ବଳକା ବୋଲି କହୁଛନ୍ତି।

ରାଜ୍ୟରେ ପାଖାପାଖି ବାର୍ଷିକ ୭ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ବଳକା ରହିବ ବୋଲି ଆକଳନ କରାଯାଉଛି। କିନ୍ତୁ ରାଜ୍ୟବାସୀ ଜାଣିରଖନ୍ତୁ ଯେ ଗତମାସରେ କେବଳ ୭୨୦୦ ନିୟୁତ ୟୁନିଟ୍ ବିଭିନ୍ନ ଉପଭୋକ୍ତା ରାଜ୍ୟ ସରକାରଙ୍କ ଠାରୁ ନ କିଣି ଶସ୍ତାରେ ପାଇଲେ ବୋଲି ଖୋଲାବଜାରରୁ କିଣିଛନ୍ତି। ଏଥିରୁ କଣ ବୁଝାପଡୁଛି! ଓଡ଼ିଶା ବଳକା ରାଜ୍ୟ ନା ନିଅଣ୍ଟିଆ? ଉଚ୍ଚା ଦର ଲାଗି ଉପଭୋକ୍ତା ମୁହଁ ଫେରାଉଥିବା ପ୍ରସଙ୍ଗକୁ ଆୟୋଗ ଅଣଦେଖା କଲେ ଆଗକୁ ପରିସ୍ଥିତି ବିଷମ ହୋଇପାରେ ବୋଲି ସେ ସତର୍କ କରିବା ସହିତ ବେଦାନ୍ତ ସଂକ୍ରାନ୍ତରେ ଆୟୋଗଙ୍କ ନିର୍ଦେଶକୁ ଖୋଲା ବିରୋଧ କରିଥିଲେ। ଶକ୍ତି ବିଶେଷଜ୍ଞ ଆରପି ମହାପାତ୍ର ଗ୍ରିଡ୍‌କୋର ଶୁଣାଣିର ବୈଧତା ନେଇ ସିଧାସଳଖ ପ୍ରଶ୍ନ କରିଥିଲେ। ସେ ଟ୍ରେଡିଂ କରୁଥିବା କାରଣରୁ ତା ବାବଦ ପ୍ରାପ୍ୟ ପାଇପାରେ। କିନ୍ତୁ କୌଣସି ପରିସ୍ଥିତିରେ ତାର ବାର୍ଷିକ ଆବଶ୍ୟକତା ଆସିବା କଥା ନୁହେଁ। ଏହିଠାରୁ ହିଁ ବିଭ୍ରାଟ ସୃଷ୍ଟି ହେଉଛି। ଆୟୋଗ ଏହା ଉପରେ ଠୋସ୍ ପଦକ୍ଷେପ ନିଅନ୍ତୁ।

ଉତ୍କଳ ଚାମ୍ବର ଅଫ୍ କମର୍ସ ପକ୍ଷରୁ ବିଭୁପ୍ରସାଦ ସ୍ବାଇଁ ଇଲେକ୍ଟ୍ରିସିଟି ଡ୍ୟୁଟି କାହା ସ୍ବାର୍ଥରେ ଖର୍ଚ୍ଚ ହେଉଛି ପ୍ରଶ୍ନ କରିଥିଲେ। ସେହିଭଳି ବିଦ୍ୟୁତ୍ ଉପଭୋକ୍ତାଙ୍କ ସପକ୍ଷରେ ଅଶୋକ ନନ୍ଦ, ଶକ୍ତି ବିଶେଷଜ୍ଞ ଅଲେଖ ମଲ୍ଲିକ ଏବଂ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ପ୍ରମୁଖ ଯୁକ୍ତି ବାଢ଼ି ଗ୍ରିଡ୍‌କୋ ଆବେଦନକୁ ଖାରଜ କରିବା ପାଇଁ ଯୁକ୍ତି ବାଢ଼ିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜ ପକ୍ଷରୁ ଯୋଗେନ୍ଦ୍ର ବେହେରା, ବେଦାନ୍ତ ଲିମିଟେଡ୍‌ ଏହିଭଳି ମୋଟ ୧୩ ଜଣ ଆପତ୍ତିକାରୀ ଆଲୋଚନାରେ ଭାଗ ନେଇଥିଲେ।

ଚାପରେ ଆସିଲା ଶକ୍ତି ବିଭାଗ, ବିଦ୍ୟୁତ୍ ଦର ବୃଦ୍ଧି କରାନଯାଉ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ହଇଚଇ ସୃଷ୍ଟି ହେବା ସହିତ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ଜନଶୁଣାଣି ପ୍ରକ୍ରିୟାରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଆଜି ଏକ ବଡ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଭୀଷଣ ଚାପରେ ଆସି ଆଜି ଆୟୋଗଙ୍କ ଶୁଣାଣି ପ୍ରକ୍ରିୟାରେ ଭାଗ ନେଇ ସ୍ପଷ୍ଟ ମତ ରଖିଛି ଯେ କୌଣସି ବି ପରିସ୍ଥିତିରେ ୨୦୨୨-୨୩ ବର୍ଷରେ ରାଜ୍ୟର ଉପଭୋକ୍ତାଙ୍କ ଲାଗି ଉର୍ଦ୍ଦିଷ୍ଟ ରିଟେଲ୍ ବିଦ୍ୟୁତ୍‌ ଦରରେ ବୃଦ୍ଧି କରାନଯାଉ। ଶକ୍ତି ବିଭାଗ ପକ୍ଷରୁ ନିହାରିକା ପଟ୍ଟନାୟକ ଯୁକ୍ତି ବାଢ଼ି କହିଥିଲେ ଯେ ଗତ ୯ମାସର ଚିତ୍ର ସୂଚାଉଛି ଯେ ଗ୍ରିଡ୍‌କୋ ଗଭୀର କ୍ଷତି ସହିଲାଣି, ଯେତେବେଳେ କି ବିଦ୍ୟୁତ୍‌ ଆବଣ୍ଟନକାରୀ କଂପାନିମାନେ ଲାଭରେ ଅଛନ୍ତି। ଏହାକୁ ଆୟୋଗ ବିଚାରକୁ ନେଇ ଏମିତି ରାୟ ପ୍ରକାଶ କରନ୍ତୁ ଯେଉଁଥିରେ କି ଗ୍ରିଡ୍‌କୋର ବଲ୍‌କ ସପ୍ଲାଇ ପ୍ରାଇସ୍‌(ବିଏସ୍‌ପି) ପ୍ରଭାବିତ ହେବନାହିଁ। କାରଣ ରାଜ୍ୟ ସରକାରଙ୍କ ଦୀର୍ଘମିଆଦୀ ଶକ୍ତି ବିକାଶ ଗ୍ରିଡ୍‌କୋ ଉପରେ ହିଁ ମୁଖ୍ୟତଃ ନିର୍ଭରଶୀଳ।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଆୟୋଗ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି କମାଇବା ଲାଗି ଆବଣ୍ଟନକାରୀଙ୍କୁ ନିର୍ଦେଶ ଦେବା ଦରକାର। ଏହାଦ୍ବାରା ରାଜ୍ୟର ବିଦ୍ୟୁତ୍‌ ଉପଭାକ୍ତା ଲାଭ ପାଇବେ। ସେହିଭଳି ଅନ୍ତଃ ରାଜ୍ୟ ପରିବହନ ଏବଂ ହ୍ବିଲିଂ ଚାର୍ଜ ବାବଦକୁ କେତେକ ସଂସ୍ଥାଙ୍କୁ ଓଇଆରସି ୮୦ ପ୍ରତିଶତ ରିବେଟ୍‌ ମଞ୍ଜୁର କରିଛନ୍ତି। ଯାହା ଫଳରେ ଉପଭୋକ୍ତାଙ୍କୁ ବିଜୁଳି ଦରରେ ୟୁନିଟ୍‌ ପିଛା ୨୦ ପଇସା ଅଧିକା ପଡ଼ୁଛି। ଏଣୁ ଏଭଳି ଛୋଟ ଛୋଟ ପ୍ରସଙ୍ଗକୁ ଆୟୋଗ ବିଚାରକୁ ନେବା ଉଚିତ୍।
ଇଲେକ୍ଟ୍ରିସିଟି ଡ୍ୟୁଟି(ଇଡି) ବାବଦକୁ ମିଳୁଥିବା ଅର୍ଥ ଗ୍ରିଡ୍‌କୋର କ୍ଷତି ଭରଣା କରି ଉପଭୋକ୍ତାଙ୍କ ମୁଣ୍ଡରୁ ଚାପ କମାଇବା ପାଇଁ କେତେକ ଅବ୍‌ଜେକ୍ଟର ଦାବି କରିଥିଲେ। ଏ ପ୍ରସଙ୍ଗରେ ବିଭାଗ ପକ୍ଷରୁ କୁହାଯାଇଥିଲା କି ଏହି ସବୁ ଅର୍ଥ ସ୍ବାସ୍ଥ୍ୟ, ପରିମଳ ପ୍ରଭୃତି ସେବାରେ ଖର୍ଚ୍ଚ କରାଯାଉଛି। ଏହା ବାଦ୍‌ ସରକାର ଭିତ୍ତିଭୂମି ପ୍ରସ୍ତୁତ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ଅନ୍ୟପକ୍ଷରେ ଆଜି ଗ୍ରିଡ୍‌କୋ ପକ୍ଷରୁ ଶୁଣାଣି ବେଳେ କୁହାଯାଇଥିଲା ଯେ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ସମୂହଙ୍କ ସହ ହୋଇଥିବା କ୍ରୟ ରାଜିନାମାଗୁଡ଼ିକର ସମୀକ୍ଷା କରାଯିବା ଉଚିତ୍। ଅଧିକ କ୍ରୟ ମୂଲ୍ୟ ଥିବା ବିଦ୍ୟୁତ୍‌ କେନ୍ଦ୍ରରୁ ଆବଣ୍ଟିତ ଶକ୍ତି ଅଂଶ ପ୍ରତ୍ୟାହାର କରି ଏହି ଅଂଶ ପୁନଃ ଆବଣ୍ଟନ ପାଇଁ ଭାରତ ସରକାରଙ୍କୁ ରାଜ୍ୟ ପ୍ରସ୍ତାବ ଦେଇଛି। ଏହାଦ୍ବାରା ରାଜ୍ୟବାସୀଙ୍କୁ ସୁଲଭ ଦରରେ ବିଦ୍ୟୁତ୍‌ ଦିଆଯାଇପାରିବ ବୋଲି ଗ୍ରିଡ୍‌କୋ ଅଧିକାରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର