ଭୁବନେଶ୍ବର: ବିଦ୍ୟୁତ୍ ମୂଲ୍ୟ ୟୁନିଟ୍ ପ୍ରତି ୧ଟଙ୍କା ହ୍ରାସ ପାଇଁ ଆଜି ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଜନଶୁଣାଣିରେ ଯୁକ୍ତି ଉପସ୍ଥାପନ ହୋଇଛି। ଚଳିତ ବର୍ଷର ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଫେବ୍ରୁଆରି ମାସରେ ଜନଶୁଣାଣି ହୋଇଥିଲା। ଏଥିରେ ଓପିଜିସି ଦାଖଲ କରିଥିବା ଦରଖାସ୍ତକୁ ଆୟୋଗ ଫଇସଲା ନକରି ଅସ୍ଥାୟୀ ଭାବେ ବିଦ୍ୟୁତ୍ ମୂଲ୍ୟକୁ ଅନୁମୋଦନ କରିଥିଲେ। ଖୁଚୁରା ବିଦ୍ୟୁତ୍ ମୂଲ୍ୟକୁ ଅପରିବର୍ତ୍ତିତ ରଖିଥିଲେ।
ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗରେ ଓପିଜିସି ପୂର୍ବରୁ ଦାଖଲ କରିଥିବା ଟାରିଫ ଦରଖାସ୍ତକୁ ନେଇ ଆଜି ଜନଶୁଣାଣି ହୋଇଥିଲା। କୌଣସି ଜରୁରି କାର୍ଯ୍ୟ ପାଇଁ ଆୟୋଗଙ୍କ ସଭ୍ୟ ଗଜେନ୍ଦ୍ର ମହାପାତ୍ର ଶୁଣାଣିରେ ଉପସ୍ଥିତ ନଥିବା ବେଳେ ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ଓ ଅନ୍ୟତମ ସଭ୍ୟ ସୁଶାନ୍ତ ରାୟ ମହାପାତ୍ର ଓପିଜିସି ଦରଖାସ୍ତ ଉପରେ ଶୁଣାଣି କରିଥିଲେ। ଓପିଜିସିର ସାଧାରଣ ପରିଚାଳକ ହରେଶ ତ୍ରିପାଠୀ ଦ୍ୱିତୀୟ ପର୍ଯ୍ୟାୟ ପ୍ଲାଣ୍ଟ୍ ପାଇଁ ଗତ ଜନଶୁଣାଣି ସମୟରେ ଅସ୍ଥାୟୀ ଭାବେ ବିଦ୍ୟୁତ୍ ମୂଲ୍ୟ ୟୁନିଟ୍ ପିଛା ୩ ଟଙ୍କା ୪୦ ପଇସା ଅନୁମୋଦନ ହୋଇଥିବା ସୂଚନା ପ୍ରଦାନକରି ଦରଖାସ୍ତଟିକୁ ଅନୁମୋଦନ ପାଇଁ ଆୟୋଗଙ୍କୁ ନିବେଦନ କରିଥିଲେ। ପ୍ରକଳ୍ପ ବିଳମ୍ବ ହୋଇ ଅଧିକ ପୁଞ୍ଜି ବିନିଯୋଗ ହୋଇଥିବା ଅଭିଯୋଗ ଉପରେ ଗ୍ରିଡ୍କୋ ଓ ଓପିଜିସି ମିଳିତ ଭାବେ ସମାଧାନ କରିଥିବା ସୂଚନା ଗ୍ରିଡ୍କୋ ଆୟୋଗଙ୍କୁ ଅବଗତ କରିଥିଲେ। ଅନ୍ୟ ଅଭିଯୋଗକାରୀ ଟାଟା ଆବଣ୍ଟନ କମ୍ପାନି, ଓପିଟିସିଏଲ୍ ଓ ଏସ୍ଏଲ୍ଡିସି ସାଧାରଣ ଭାବେ ମତାମତ ଦେଇଥିଲେ। ଜନଶୁଣାଣିରେ ଉପସ୍ଥିତ ଥିବା ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଇଷ୍ଟର୍ଣ ମିଡିଆ ଲିମିଟେଡ଼ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ପକ୍ଷ ରଖିଥିଲେ।
ଓଡ଼ିଶାର ସମୁଦାୟ ବିଦ୍ୟୁତ୍ ଚାହିଦାର ଏକତୃତୀୟାଂଶ ଓପିଜିସି ପୂରଣ କରୁଛି। ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ ହୋଇଗଲେ ଓଡିଶାର ସିଂହଭାଗ ବିଦ୍ୟୁତ୍ ଚାହିଦା ପୂରଣ କରିବ। ତେଣୁ ଓପିଜିସି ବିଦ୍ୟୁତ୍ ମୂଲ୍ୟ ଉପଭୋକ୍ତା ପଇଠ କରୁଥିବା ଖୁଚୁରା ବିଦ୍ୟୁତ୍ ମୂଲ୍ୟକୁ ବିଶେଷ ଭାବେ ପ୍ରଭାବିତ କରୁଛି। ଓପିଜିସିର ଅସ୍ଥାୟୀ ବିଦ୍ୟୁତ୍ ମୂଲ୍ୟ ଦରଖାସ୍ତ ଉପରେ ଶ୍ରୀ ମହାପାତ୍ର ମତ ରଖି କହିଲେ ଓପିଜିସିରେ ଜନଗଣଙ୍କ ଅଂଶଧନ ବାବଦକୁ ୪୧୯୨ କୋଟି ଟଙ୍କା ପ୍ରକଳ୍ପରେ ପୁଞ୍ଜିନିବେଶ ହୋଇଥିଲେ ବି ଏହାର ସୁଫଳ ଏପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମିଳିପାରିଲା ନାହିଁ। ବେସରକାରୀ ମନୋବୃତ୍ତିରେ ପ୍ଲାଣ୍ଟ୍ ପରିଚାଳନା କରି ଓପିଜିସି ମୁନାଫା କମାଉଛି। ଓପିଜିସିର କୋଇଲା ଖର୍ଚ ଟନ୍ ପିଛା ୧୮୦୦ ଟଙ୍କା ଅସ୍ଥାୟୀ ଭାବେ ଅନୁମୋଦନ ହୋଇଛି। କୋଇଲାର ଏପରି ଅତ୍ୟଧିକ ଅସ୍ଥାୟୀ ମୂଲ୍ୟ ନିରୂପଣ ଉପରେ ଶ୍ରୀ ମହାପାତ୍ର ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିବା ସୂଚନା ଆୟୋଗଙ୍କୁ ଅବଗତ କରିଥିଲେ। ଏହାର ସମାଧାନ ହୋଇଗଲେ ଓପିଜିସି ବିଦ୍ୟୁତ୍ ମୂଲ୍ୟ ୟୁନିଟ୍ ପିଛା ପ୍ରାୟ ଏକ ଟଙ୍କା କମ୍ ହୋଇଯିବ। ଯାହାର ସିଧାସଳଖ ଲାଭ ଉପଭୋକ୍ତାଙ୍କୁ ମିଳିବ। ହିସାବ ଉପସ୍ଥାପନ କରି ସେ କହିଲେ, ଖୁଚୁରା ବିଦ୍ୟୁତ୍ ମୂଲ୍ୟ ୟୁନିଟ୍ ପିଛା ୩୩ ପଇସା ହ୍ରାସ ଘଟିବ।
ଶ୍ରୀ ମହାପାତ୍ରଙ୍କ ଅଭିଯୋଗକୁ ଆୟୋଗ ଅଧ୍ୟକ୍ଷ ବିଚାରକୁ ନେଇ ବିଭିନ୍ନ ଦିଗ ଉପରେ ସରକାରଙ୍କ ମତାମତ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଜନଶୁଣାଣିରେ ଉପସ୍ଥିତ ଥିବା ସରକାରଙ୍କ ପ୍ରତିନିଧି ତଥା ଶକ୍ତି ବିଭାଗର ଆଇନ୍ ଅଧିକାରୀ ଶ୍ରୀମତୀ ସୋନାଲୀ ପଟ୍ଟନାୟକ ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ଆୟୋଗଙ୍କୁ ଅବଗତ କରିଥିଲେ। ଆସନ୍ତା ୨୦ ତାରିଖରେ ଓପିଜିସିର କୋଇଲା କ୍ରୟମୂଲ୍ୟ ନିରୂପଣ ଉପରେ ଓସିପିଏଲ୍ (ଓଡିଶା କୋଲ୍ ଏଣ୍ଡ ପାୱାର ଲିମିଟେଡ୍) ଦାଖଲ କରିଥିବା ଦରଖାସ୍ତ ଉପରେ ଆୟୋଗ ଜନ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ସେହିପରି ନିୟମିତ ମରାମତି ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ ରହୁଥିବା ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀ ଜେନା ଟାଟା ପାୱାର ଠାରୁ ମତାମତ ଲୋଡ଼ିଥିଲେ। ମରାମତି ନାମରେ ବିଦ୍ୟୁତ୍ କାଟ୍ ପାଇଁ ଅନୁମତି ଦିଆଯାଇ ନଥିବା ଟାଟା ପ୍ରତିନିଧି ପ୍ରକାଶ କରିଥିଲେ। ଏ ନେଇ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବାକୁ ପାଇଁ ଟାଟା ପାୱାରକୁ ଆୟୋଗ ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/electricity-pti.jpg)