ପୁଣି ବଢ଼ିପାରେ ବିଦ୍ୟୁତ ଦର, ପ୍ରସ୍ତାବକୁ ଉପଭୋକ୍ତା ମହାସଂଘର କଡ଼ା ବିରୋଧ, ଆନ୍ଦୋଳନ ପାଇଁ ଚେତାବନୀ

ଆଜି ବିତରଣ କମ୍ପାନି ଟାଟା ପାୱାର ଆବେଦନ ଉପରେ ଜନଶୁଣାଣି

ଭୁବନେଶ୍ବର: ଗତବର୍ଷ ଅକ୍ଟୋବରରୁ ବିଦ୍ୟୁତ ଦରରେ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ଘଟିଥିଲା। ଏବେ ପୁଣି ଥରେ ଆସନ୍ତା ଆର୍ଥିକ ବର୍ଷରୁ ବିଦ୍ୟୁତ ଦର ବଢ଼ିପାରେ। ଏନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ପାଖରେ ଅନୁଷ୍ଠିତ ଜନଶୁଣାଣିରେ ରାଜ୍ୟ ସରକାରଙ୍କ ୪ଟି ଯାକ ବିଦ୍ୟୁତ ଉତ୍ପାଦନ କମ୍ପାନି ପ୍ରସ୍ତାବ ରଖିଛନ୍ତି। ଓଏଚ୍‌ପିସି, ଓପିଜିସି, ଓପିଟିସିଏଲ୍‌ ଓ ଗ୍ରିଡକୋ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇଁ ଦାଖଲ କରିଥିବା ଆବେଦନ ଉପରେ ଜନଶୁଣାଣି ଶେଷ ହୋଇଛି। ଦର ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ଉପଭୋକ୍ତା ମହାସଂଘ କଡ଼ା ବିରୋଧ କରିଛି। ଆସନ୍ତାକାଲି ବିତରଣ କମ୍ପାନି ଟାଟା ପାଓ୍ବାର ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଓଇଆର୍‌ସି ଶୁଣାଣି କରିବେ।

ଜଣାପଡ଼ିଛି ଯେ ଓଏଚ୍‌ପିସି ୟୁନିଟ ପିଛା ୯୧ ପଇସାରୁ ୯୫ ପଇସାକୁ ବୃଦ୍ଧି କରିବା ପାଇଁ ବୈଠକରେ ପ୍ରସ୍ତାବ ଦେଇଥିବା ବେଳେ ଓପିଜିସି ତରଫରୁ ୨୬୦.୨୮ ପଇସାରୁ ୨୮୧.୧୪ ପଇସା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଓପିଟିସିଏଲ୍‌ ୟୁନିଟ ପିଛା ୨୫ ପଇସାରୁ ୪୮.୧୬ ପଇସା ଓ ଗ୍ରିଡକୋ ୨୮୭ ପଇସାରୁ ୩୯୩.୩ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ତରଫରୁ ତୀବ୍ର ବିରୋଧ କରାଯାଇଥିଲା। ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି ଯେ ଗ୍ରିଡକୋ, ଓପିଟିସିଏଲ୍‌, ଓଏଚ୍‌ପିସି ଓ ଓପିଜିସି କମ୍ପାନିଗୁଡିକ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନି I

ଏସବୁ କମ୍ପାନିମାନେ କରିଥିବା କ୍ଷତି ପାଇଁ ସରକାର ଦାୟୀ। କମ୍ପାନିମାନଙ୍କ ଅପାରଗତା, ପରିଚାଳନାଗତ ତ୍ରୁଟି ଯୋଗୁ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କ ଉପରେ ଶୁଳ୍କ ବୃଦ୍ଧିର ବୋଝ ଲଦିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କ୍ଷତି ଭରଣା ପାଇଁ ସରକାର ନିଜସ୍ୱ କମ୍ପାନିମାନଙ୍କୁ ସବସିଡି ଦିଅନ୍ତୁ ବୋଲି ଶ୍ରୀ ଶତପଥୀ ଦାବି କରିଥିଲେ। ଆସନ୍ତାକାଲିଠାରୁ ୪ଟି ଯାକ ବିଦ୍ୟୁତ ବିତରଣ କମ୍ପାନିମାନଙ୍କ ପରିଚାଳନା ଦାୟିତ୍ବ ନେଇଥିବା ଟାଟା ପାଓ୍ବାର କମ୍ପାନିର ଆବେଦନ ଉପରେ ଜନଶୁଣାଣି ହେବ। ଯଦି କମ୍ପାନିମାନଙ୍କ ଚାପରେ ଓଇଆର୍‌ସି ବିଦ୍ୟୁତ ଦର ବୃଦ୍ଧି କରନ୍ତି, ତାହେଲେ ଆଗାମୀ ଦିନରେ ଉପଭୋକ୍ତା ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଶତପଥୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର