କରୋନା ବେଳେ ମହଙ୍ଗା ମାଡ଼ : ପୁଣି ୩୦ ପଇସା ବଢ଼ିଲା ବିଜୁଳି ଦର

୬ମାସ ଭିତରେ ୫୦ ପଇସା ବୃଦ୍ଧି
ଏପ୍ରିଲ ୪ ତାରିଖରୁ ନୂଆ ଦର ଲାଗୁ
ଗାଁ ଉପଭୋକ୍ତା ତୁରନ୍ତ ଦେୟ ପୈଠ କଲେ ସ୍ବତନ୍ତ୍ର ଅତିରିକ୍ତ ରିହାତି

ଭୁବନେଶ୍ବର : ବିଦ୍ୟୁତ ଶୁଳ୍କରେ ପୁଣି ବୃଦ୍ଧି ଘଟିଛି। ଘରୋଇ ବ୍ୟବହାର ପାଇଁ ବିଦ୍ୟୁତ ଦର ୟୁନିଟ୍‌ ପିଛା ଆଉ ୩୦ ପଇସା (୫.୬ ପ୍ରତିଶତ) ବୃଦ୍ଧି କରାଯାଇଛି। ବର୍ଧିତ ଦର ଏପ୍ରିଲ ୪ ତାରିଖରୁ ଲାଗୁ ହେବ। ତେବେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ୍) ଉପଭୋକ୍ତା, ଜଳସେଚନ ପାଇଁ ବ୍ୟବହୃତ ବିଜୁଳି ଦର ଅପରିବର୍ତ୍ତିତ ରହିବ। ମିଟର ଭଡ଼ାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ। ନିର୍ବାଚନ କମିସନଙ୍କ ଅନୁମତି ପରେ ଆଜି ଓଇଆର୍‌ସିଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଏହି ସଂଶୋଧିତ ଦର ବିଜ୍ଞପ୍ତି ପ୍ରକାଶ କରାଯାଇଛି।

କରୋନା ଜନିତ ଆର୍ଥିକ ଦୁଃସ୍ଥିତିରେ ସର୍ବନିମ୍ନ ସୁଧାର ଆସିନାହିଁ। ଲୋକମାନେ ଜୀବନ ଜୀବିକା ଦ୍ବନ୍ଦ୍ବରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ମାତ୍ର ୬ମାସ ବ୍ୟବଧାନରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଉପଭୋକ୍ତାଙ୍କ ଉପରେ ଦୁଇ ଦୁଇ ଥର ବିଜୁଳି ବୋଝ ଲଦିଛନ୍ତି। ସେପ୍ଟେମ୍ବର ମାସରେ ଆୟୋଗ ରାୟ ଶୁଣାଇ ୨୦ ପଇସା ବଢ଼ାଇଥିଲେ। ଏବେ ୩୦ ପଇସା ବଢ଼ିଲା। ଏହିପରି ୫୦ ପଇସା ବଢ଼ିସାରିଲେଣି ବିଜୁଳି ଦର।

ନୂଆ ଦର ଅନୁସାରେ, ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରଥମ ୫୦ ୟୁନିଟ ପିଛା ୨ ଟଙ୍କା ୭୦ ପଇସାରୁ ବୃଦ୍ଧି ପାଇ ୩ ଟଙ୍କା ଛୁଇଁଛି। ୫୧ ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କଲେ ୪ ଟଙ୍କା ୫୦ ପଇସା ବଦଳରେ ୪ ଟଙ୍କା ୮୦ ପଇସା ଦେବାକୁ ହେବ ଏବଂ ୨୦୧ରୁ ୪୦୦ ୟୁନିଟ ପାଇଁ ପୂର୍ବରୁ ୫ ଟଙ୍କା ୫୦ ପଇସା ଦେଉଥିବା ବେଳେ ଏବେ ୫ଟଙ୍କା ୮୦ ପଇସା ବିଲ୍ କରାଯିବ। ସେହିଭଳି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର ପାଇଁ ୟୁନିଟ ପିଛା ଦର ୫ ଟଙ୍କା ୯୦ ପଇସା ନୁହେଁ, ବରଂ ୬ଟଙ୍କା ୨୦ ପଇସା ହିସାବରେ ବିଦ୍ୟୁତ ଶୁଳ୍କ ପୈଠ କରିବାକୁ ହେବ।

ଓଇଆର୍‌ସି ଯୁକ୍ତି ରଖିଛନ୍ତି ଯେ ଏ କ୍ଷେତ୍ର ସହିତ ଜଡ଼ିତ ସମସ୍ତଙ୍କ ସ୍ବାର୍ଥକୁ ବିଚାରକୁ ନିଆଯାଇଛି। ରାଜ୍ୟସ୍ତରୀୟ ଉପଦେଷ୍ଟା କମିଟି, ରାଜ୍ୟ ସରକାରଙ୍କ ମତାମତ ଏବଂ ଜନଶୁଣାଣି ଆଧାରରେ ବିଦ୍ୟୁତ ଦର ଧାର୍ଯ୍ୟ ହୋଇଛି। ଆୟୋଗ ଦର୍ଶାଇଛନ୍ତି, ଗ୍ରି଼ଡ୍‌କୋ ୨୦୨୧-୨୨ରେ ୨୮ ହଜାର ୭୯୧ .୯୬ ୟୁନିଟ୍ ବିଦ୍ୟୁତ କିଣିବ ଏବଂ ୨୭ ହଜାର ୮୭୦ ୟୁନିଟ୍ ବିଦ୍ୟୁତ ବଣ୍ଟନ କଂପାନିଙ୍କୁ ପ୍ରଦାନ କରିବ। ଫଳରେ ହାରାହାରି ବିଦ୍ୟୁତ କ୍ରୟ ଦର ୨୭୮.୦୬ ପଇସା ହେବ। ଯଦିଓ ଗ୍ରିଡ଼୍‌କୋ ୨୫୦ କୋଟି ୬୦ଲକ୍ଷ କ୍ଷତି ସହିବ, ତଥାପି ଆୟୋଗ ମାତ୍ର ୧୨.୧୩ କୋଟି ଟଙ୍କାର ଅଧିକ ରାଜସ୍ବ ପାଇଁ ସଂପୃକ୍ତ ସଂସ୍ଥାକୁ ଅନୁମତି ଦେଇଛନ୍ତି।

ଏହି ବର୍ଷ ପାଇଁ ଆୟୋଗ ବଣ୍ଟନ ଜନିତ କ୍ଷତି ୨୧.୨୪ ପ୍ରତିଶତ ଧାର୍ଯ୍ୟ କରିଛନ୍ତି, ଯଦିଓ ବଣ୍ଟନ କଂପାନିମାନେ ୨୨.୪୨ ପ୍ରତିଶତ ମାଗିଥିଲେ। ସେହିପରି କଂପାନିମାନେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିର ପରିମାଣ ୨୫.୭୮ ପ୍ରତିଶତ ଚାହିଁଥିଲେ। କିନ୍ତୁ ଆୟୋଗ ଏହାକୁ ୨୨.୦୩ ପ୍ରତିଶତ ସ୍ଥିର କରିଛନ୍ତି। ସେହିପରି କ୍ରସ୍ ସବ୍‌ସିଡି୨୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି। ଏସବୁକୁ ଆଧାର କରି ଆୟୋଗଙ୍କ ରାୟରେ କୁହାଯାଇଛି ଯେ ବଣ୍ଟନ କଂପାନିମାନଙ୍କୁ ହାରାହାରି ବିଦ୍ୟୁତ ୟୁନିଟ୍ ପିଛା ୫୨୪.୬୨ ପଇସା ବଦଳରେ ଏବେ ୫୪୮.୪୦ ପଇସା ଦେବାକୁ ହେବ।

ଆୟୋଗ ଦର୍ଶାଇଛନ୍ତି ଯେ ଯେଉଁ ଉପଭୋକ୍ତାମାନେ ଡିଜିଟାଲରେ ପେମେଣ୍ଟ ଦେବେ, ସେମାନଙ୍କୁ ୨ ପ୍ରତିଶତ ରିହାତି ମିଳିବ। ଆଗତୁରା ଦେଲେ ବି ସମାନ ସୁବିଧା ମିଳିବ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗ୍ରାମାଞ୍ଚଳର ଘରୋଇ ଉପଭୋକ୍ତା ଠିକଣା ସମୟରେ ଅର୍ଥାତ୍ ତୁରନ୍ତ ଦେୟ ପୈଠ କଲେ, ଅତିରିକ୍ତ ୫ପଇସା (ୟୁନିଟ୍ ପିଛା) ରିହାତି ମିଳିବ। ଗ୍ରାମାଞ୍ଚଳରେ ବିଦ୍ୟୁତ ବିଲ୍ ଆଦାୟ ବ୍ୟବସ୍ଥାକୁ ଉତ୍ସାହିତ କରିବା ଲାଗି ଆୟୋଗ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ପରିବହନ ଜନିତ ଦେୟ ୩ ପଇସା ବଢ଼ିଛି। ପୂର୍ବରୁ ୨୫ ପଇସା ଥିଲା। ନୂଆ ଦର ତାଲିକାରେ ୟୁନିଟ୍ ପିଛା ୨୮ ପଇସା ଉଲ୍ଲେଖ ରହିଛି। ଓଡ଼ିଶା ଜଳ ବିଦ୍ୟୁତ ନିଗମ ଦେଉଥିବା ବିଦ୍ୟୁତ ମୂଲ୍ୟ ୨.୩ପ୍ରତିଶତ କମିଛି। ଏହା ୯୧.୩୯ ପଇସାରୁ କମି ୮୯.୨୮ ପଇସା ହୋଇଛି। ସେହିପରି ହାରାହାରି ବିଏସ୍‌ପି ଦର ୨୯୬.୨୯ ପଇସା ଧାର୍ଯ୍ୟ ହୋଇଛି। ପୂର୍ବରୁ ଏହା ୨୮୭.୭୦ ପଇସା ଥିଲା।

ପୂର୍ବରୁ ଟିପିସିଓଡ଼ିଏଲ୍ (ପୂର୍ବରୁ ସେସୁ) ୟୁନିଟ୍ ପିଛା ୨ ଟଙ୍କା ୭୭ ପଇସାରେ ବିଦ୍ୟୁତ କିଣୁଥିଲା। ନୂଆ ଦରରେ ଏହା ବଢ଼ି ୨ଟଙ୍କା ୮୩ ପଇସା ହୋଇଛି। ସେହିପରି ନେସ୍କୋ ୟୁଟିଲିଟି ୩୧୬.୨୦ ପଇସାରେ ବିଦ୍ୟୁତ କିଣୁଥିଲେ, ଏବେ ୩ଟଙ୍କା ୨୦ ପଇସାରେ କିଣିବ। ଟିପିଡବ୍ଲୁଓଡ଼ିଏଲ୍ (ପୂର୍ବରୁ େଵସ୍କୋ) ଦର ୩୨୨ ପଇସାରୁ ବଢ଼ି ୩ ଟଙ୍କା ୩୭ ପଇସା ହୋଇଥିବା ବେଳେ ଟିପିଏସ୍‌ଓଡିଏଲ୍ (ପୂର୍ବରୁ ସାଉଥ୍‌କୋ)୨୮୭.୭୦ ପଇସା ବଦଳରେ ୨୯୬.୨୯ ପଇସାରେ ୟୁନିଟ୍ ପିଛା ବିଦ୍ୟୁତ କିଣିବ।

ସମ୍ବନ୍ଧିତ ଖବର