ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଆୟୋଗଙ୍କ ଦ୍ବାରା ନିର୍ଧାରିତ ବିଭିନ୍ନ ଶ୍ରେଣୀର ଉପଭୋକ୍ତାଙ୍କ ନିମନ୍ତେ ବର୍ଧିତ ବିଦ୍ୟୁତ ଦର ପଡୋଶୀ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ରାଜ୍ୟଠାରୁ କମ୍ ରହିଛି। ଏହି ମର୍ମରେ କେନ୍ଦ୍ରୀୟ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଯଥା ଏନଟିପିସି ଓ ଏନଏଚପିସି ବିଗତ ୪ବର୍ଷରେ ହାରାହାରି ୟୁନିଟ୍ ପିଛା ଦର ଯଥାକ୍ରମେ ୬୮ ପଇସା ଓ ୬୦ପଇସା ବୃଦ୍ଧି କରିଛନ୍ତି। ରାଜ୍ୟରେ ଗତ ୭ବର୍ଷ ମଧ୍ୟରେ ବିଦ୍ୟୁତ ଦରରେ କୌଣସି ବୃଦ୍ଧି କରାଯାଇ ନଥିବା ବେଳେ ଚଳିତବର୍ଷ ହାରାହାରି ୟୁନିଟ୍ ପିଛା ମାତ୍ର ୪ ପ୍ରତିଶତ ବଢିଛି। ଏହି ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରକ୍ରିୟାରୁ ବିପିଏଲ୍ ବର୍ଗ ଓ କୃଷି କ୍ଷେତ୍ରକୁ ବାଦ୍ ଦିଆଯାଇଛି। ବିଜୁଳି ଦର ବୃଦ୍ଧି ସପକ୍ଷରେ ଆଜି ଏମିତି ଯୁକ୍ତି ରଖିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମନ୍ତ୍ରୀଙ୍କର ଏଭଳି ଉତ୍ତର ବିରୋଧୀଙ୍କୁ ଅସନ୍ତୁଷ୍ଟ କରିଛି। ବିଜେପି ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ କକ୍ଷତ୍ୟାଗ କରିଥିଲେ।

Advertisment

ବାଚସ୍ପତିଙ୍କୁ ଜଣାଇଥିଲେ ଯେ ସରକାର ଯେଭଳି ମଧ୍ୟବିତ୍ତଙ୍କ ଉପରେ ଆର୍ଥିକ ବୋଝ ଲଦିଛନ୍ତି, ସେ ସଂକ୍ରାନ୍ତରେ ସେମାନେ ପଚାରିଥିବା କୌଣସି ପ୍ରଶ୍ନର ଉତ୍ତର ମନ୍ତ୍ରୀ ଦେଇନାହାନ୍ତି।

ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ରାଜ୍ୟରେ ପ୍ରତ୍ୟେକ ବର୍ଷ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ବାରା କାର୍ଯ୍ୟରତ ସରକାରୀ ବିଦ୍ୟୁତ ସଂସ୍ଥାଙ୍କର ସମୁଦାୟ ରାଜସ୍ବ ଆବଶ୍ୟକତା ଭିତ୍ତିରେ ଜନଶୁଣାଣି କରାଯାଇ ବିଦ୍ୟୁତ ଦର ନିର୍ଧାରିତ ହୋଇଥାଏ। ଶେଷଥର ପାଇଁ ରାଜ୍ୟରେ ୨୦୧୩-୧୪ ଆର୍ଥିକ ବର୍ଷରେ ବିଦ୍ୟୁତ ଦର ବୃଦ୍ଧି ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଗ୍ରିଡ୍‌କୋର ସମୁଦାୟ ଆବଶ୍ୟକତା ୮୨୭୪ କୋଟି ୯୮ ଲକ୍ଷ ଟଙ୍କା ଆକଳନ ହୋଇଥିବା ବେଳେ ଏହି ସଂସ୍ଥା ବିଦ୍ୟୁତ ବିତରକ ସଂସ୍ଥାମାନଙ୍କ ଠାରୁ ବିଦ୍ୟୁତ ଯୋଗାଣ ମୂଲ୍ୟ ବାବଦକୁ ମୋଟ ୭୬୧୪ କୋଟି ୮୩ଲକ୍ଷ ଟଙ୍କା ପାଇବାକୁ ଅଛି। ସୁତରାଂ ଚଳିତବର୍ଷ ଓଇଆର୍‌ସିଙ୍କ ଦ୍ବାରା ଜାରି କରାଯାଇଥିବା ଏପ୍ରିଲ ୨୨ର ଆଦେଶ ଅନୁଯାୟୀ ଗ୍ରିଡକୋର ସମୁଦାୟ ରାଜସ୍ବ ଆବଶ୍ୟକତା ୬୬୦ କୋଟି ଟଙ୍କାର ନିଅଣ୍ଟ ରହିଥିଲା। କୋଭିଡ୍ ମହାମାରୀ ଦୃଷ୍ଟିରୁ ଆୟୋଗ ଏହି ରାଜସ୍ବ ନିଅଣ୍ଟକୁ ଅନୁମୋଦନ କରିଥିଲେ। ମହାମାରୀ ଜନିତ ସ୍ଥିତିର ଉନ୍ନତି ହେଲେ ଆୟୋଗ ଏହି ରାଜସ୍ବ ନିଅଣ୍ଟ ଉପରେ ଆଉଥରେ ଦୃଷ୍ଟି ଦିଆଯିବ।

କୋଭିଡ୍ ଯୋଗୁଁ ଲାଗୁ କରାଯାଇଥିବା ଲକ୍‌ ଡାଉନ୍ ସ୍ଥିତିରେ ଶିଳ୍ପ କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର ତଥା ବିତରକ କଂପାନିଙ୍କର ରାଜସ୍ବ ସଂଗ୍ରହରେ ବ୍ୟାପକ ହ୍ରାସ ଘଟିବା ଯୋଗୁଁ ଶକ୍ତି କ୍ଷେତ୍ରରେ ଆର୍ଥିକ ଦୁଃସ୍ଥିତି ଦେଖା ଦେଇଛି। ଏଥିଯୋଗୁଁ ଗ୍ରିଡକୋର ସମୀକ୍ଷା ଆବେଦନ କ୍ରମେ ଆୟୋଗ ସେପ୍ଟେମ୍ବର ୧୬ ଓ ୧୯ ତାରିଖରେ ଜନଶୁଣାଣି କରିଥିଲେ। ଆର୍ଥିକ ନିଅଣ୍ଟ ଯଥା ସମ୍ବଳ ଭରଣା ଉଦ୍ଦେଶ୍ୟରେ ୨୨ ସେପ୍ଟେମ୍ବର ଆଦେଶରେ ବିଜୁଳି ଦର ଅକ୍ଟୋବର ପହିଲାରୁ ୟୁନିଟ୍ ପିଛା ୨୦ପଇସା ବୃଦ୍ଧି କରିଥିଲେ। ଗ୍ରିଡ୍‌କୋ ଦ୍ବାରା ବିତରକ କଂପାନିକୁ ବିଦ୍ୟୁତ ଯୋଗାଣ ନିମନ୍ତେ ୟୁନିଟ୍ ପିଛା ୧୬ ପଇସା ବୃଦ୍ଧି କରିଛନ୍ତି।

ମନ୍ତ୍ରୀ କହିଥିଲେ ଯେ ପିଜିସିଆଇଏଲ୍‌କୁ ବିଦ୍ୟୁତ ପରିବହନ ଦେୟ ବାବଦକୁ ଗ୍ରିଡକୋ ଦ୍ବାରା ୨୦୧୫-୧୬ ବର୍ଷରେ ମୋଟ ୨୮୧ କୋଟି ଟଙ୍କା ଦିଆଯାଇଥିବା ବେଳେ ୨୦୧୯-୨୦ରେ ଏ ବାବଦରେ ୭୩୧ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଗ୍ରିଡ୍‌କୋର ସମୁଦାୟ ରାଜସ୍ବ ଆବଶ୍ୟକତା ଜନିତ ନିଅଣ୍ଟ ଭରଣା କରିବା ତଥା ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଦେୟ ଜନିତ ଅଧିକ ବୋଝ ସୃଷ୍ଟି ନ କରିବାକୁ ଋଣ ସଂଗ୍ରହ ପାଇଁ ଆବଶ୍ୟକ ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରାଯିବ। ପରିବହନ ଓ ବଣ୍ଟନ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଓପିଟିସିଏଲ୍ ଏବଂ ବିତରକ କଂପାନିମାନଙ୍କୁ ମଧ୍ୟ ପ୍ରତିବର୍ଷ ଅନୁଦାନ ଯୋଗାଇ ଦିଆଯାଇଛି। ଏହାଦ୍ବାରା ଗତ ପାଞ୍ଚ ବର୍ଷ ମଧ୍ୟରେ ପରିବହନ ଓ ବିତରଣ କ୍ଷତି ୧୪ ବର୍ଷ କମ୍ ହୋଇଛି ବୋଲି ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ।