ଅବ୍ୟବସ୍ଥା ଘେରରେ ମେଡିକାଲ କଲେଜ; ୪ଦିନ ହେଲା ଅନ୍ଧାରରେ ଛାତ୍ରଛାତ୍ରୀ, ବିଦ୍ୟୁତ ଅଭାବରୁ ପାଣି ସଂକଟ

କୋରାପୁଟ: କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାହିଁ ନ ଥିବା ସମସ୍ୟା। ଆଜିକୁ ୩ଦିନ ହେବ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ଯାହାଦ୍ୱାରା ଅନ୍ଧାରରେ ରହିବା ସହ ପାଣିର ସମସ୍ୟା ଭୋଗୁଛନ୍ତି ହଷ୍ଟେଲରେ ରହୁଥିବା ଡାକ୍ତରୀ ଛାତ୍ରଛାତ୍ରୀ । ସମସ୍ୟା ଏଠି ପିଛା ଛାଡୁନି । ପୂର୍ବରୁ ବି ଏପରି ସମସ୍ୟା ଦେଖାଦେଇଥିଲା, ଯାହାର ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ଅସ୍ଥାୟୀ ଭାବେ ସୁଧାର ଆଣିଥିଲେ କର୍ତ୍ତୃପକ୍ଷ । କିନ୍ତୁ କିଛି ଦିନ ପରେ ପୁଣି ସେହି ଅବସ୍ଥା । ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ଟୁଇଟ ମାଧ୍ୟମରେ ସରକାର ଏବଂ ବିଭାଗୀୟ କର୍ତୁପକ୍ଷଙ୍କୁ ଜଣାଇଛନ୍ତି । ହେଲେ ଘଣ୍ଟେ କିମ୍ବା ଦିନେ ନୁହେଁ ଦୀର୍ଘ ୩ଦିନ ହେଲାଣି କିପରି ରହୁଛନ୍ତି ଓ ପାଠ ବି ପଢୁଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଅନ୍ତେବାସୀ ।
ତେବେ ମେଡିକାଲ କଲେଜ ଅଧିକ୍ଷକ କୃଷ୍ଣଚନ୍ଦ୍ର ବିଶ୍ୱାଳ ବିଦ୍ୟୁତ ସମସ୍ୟାକୁ ସ୍ବୀକାର କରିବା ସହ ମରାମତି କାମ ଚାଲୁ ରହିଛି ବୋଲି କହିଛନ୍ତି । ଟ୍ରାନ୍ସଫରମର ମଇଶ୍ଚର ହୋଇଯାଇଥିବାରୁ କଲେଜରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଯେହେତୁ ଉନ୍ନତ ମାନର ଓ ଅତ୍ୟଧିକ ଜ୍ଞାନ କୌଶଳ ବ୍ୟବହାର ହୋଇଥିବା ଟ୍ରାନ୍ସଫରମର ମେଡିକାଲରେ ଲାଗିଛି ତେଣୁ ତାକୁ ମରାମତି କରିବା ପାଇଁ  ଜୟପୁରରୁ ଟେକ୍ନିସିଆନ ଆସିଛନ୍ତି । ମରାମତି ଚାଲିଛି ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି  । ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ମଧ୍ୟ ୨ଘଣ୍ଟା ଲେଖାଏଁ କରେଣ୍ଟ ଦିଆଯାଉଥିବା ସେ କହିଛନ୍ତି ।
ସମ୍ବନ୍ଧିତ ଖବର