୨୦୨୨-୨୩ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ

ଠିକ୍ ସମୟରେ ପୈଠ କଲେ ଗାଁ ଉପଭୋକ୍ତାଙ୍କୁ ୧୦% ରିହାତି, ଡିଜିଟାଲ ପେମେଣ୍ଟ ରିହାତି ୩%କୁ ବୃଦ୍ଧି

ଭୁବନେଶ୍ୱର : ୨୦୨୨-୨୩ ବର୍ଷ ପାଇଁ ବିଜୁଳି ଦର ବଢ଼ିବ ନାହିଁ। ଅର୍ଥାତ୍ ୨୦୨୧-୨୨ ବର୍ଷ ଲାଗି ଯେଉଁ ଦର ଧାର୍ଯ୍ୟ କରାଯାଇଥିଲା, ସେହି ମୂଲ୍ୟରେ ରିଟେଲ୍‌ ଉପଭୋକ୍ତା ଏହି ବର୍ଷ ମଧ୍ୟ ବିଜୁଳି ବିଲ୍ ପୈଠ କରିବେ। କେବଳ ସେତିକି ନୁହେଁ, ଗ୍ରାମାଞ୍ଚଳର ସାଧାରଣ ଉପଭୋକ୍ତା ବ୍ୟବହାର କରୁଥିବା ମିଟର ଯଦି ଠିକ୍ ଥାଏ ଏବଂ ନିର୍ଧାରିତ ସମୟରେ ବିଜୁଳି ବିଲ୍ ପୈଠ କରନ୍ତି, ତେବେ ୟୁନିଟ୍ ପିଛା ସେମାନଙ୍କୁ ଅତିରିକ୍ତ ୧୦ ପଇସା (୨୦୨୧-୨୨ରେ ୟୁନିଟ୍ ପିଛା ୫ପଇସା ଥିଲା) ରିହାତି ମିଳିବ। ସେହିଭଳି ସିଙ୍ଗିଲ୍ ଫେଜ୍ ବିଦ୍ୟୁତ ଲାଇନ୍ ବ୍ୟବହାର କରୁଥିବା ଉପଭୋକ୍ତା ଯଦି ଡିଜିଟାଲ୍ ମୋଡ଼ରେ ବିଲ୍ ପ୍ରଦାନ କରନ୍ତି ଓ ଯେଉଁ ମାସର ବିଲ୍ ସେହି ମାସରେ ପୈଠ କରନ୍ତି, ତେବେ ସେମାନଙ୍କୁ ମଧ୍ୟ ଅନ୍ୟସବୁ ରିବେଟ୍ ବା ରିହାତି ବ୍ୟତିରେକେ ଆଉ ୩ ପ୍ରତିଶତ ସ୍ବତନ୍ତ୍ର ରିହାତି ପ୍ରଦାନ କରାଯିବ।

ଗୁରୁବାର ପୌର ନିର୍ବାଚନ ପାଇଁ ମତଦାନ ଶେଷ ହେବା ସହ ଆଚରଣ ବିଧି ହଟିବା କ୍ଷଣି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ୨୦୨୨-୨୩ ବର୍ଷ ଲାଗି ବିଜୁଳି ଦର ସଂକ୍ରାନ୍ତ ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ଏହା ଲାଗୁ ହେବ।

ଉଠାଜଳସେଚନ, ଶି​ଳ୍ପସଂସ୍ଥାକୁ ସାମାନ୍ୟ ଆଶ୍ବସ୍ତି
ବିଜୁଳି ଚାଳିତ ଯାନ ପାଇଁ ୟୁନିଟ୍ ପିଛା ୫ଟଙ୍କା ୫୦ପଇସା

New Indian Express

ଆୟୋଗଙ୍କ ବିଜ୍ଞପ୍ତି ଅନୁୁସାରେ, ଏବେ ଉପଭୋକ୍ତା ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ହାରାହାରି ୩ ଟଙ୍କା ଦେବେ। ଏହି କ୍ରମରେ ୫୧ରୁ ୨୦୦ ୟୁନିଟ ଯାଏ ଦର ୪ ଟଙ୍କା ୮୦ ପଇସା, ୨୦୧ରୁ ୪୦୦ ୟୁନିଟ ଯାଏ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ। ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ।

କୃଷି କ୍ଷେତ୍ରରେ ଉଠାଜଳସେଚନ ପଏଣ୍ଟ ବ୍ୟବହାରକୁ ଉତ୍ସାହିତ କରିବା ଲାଗି ଆୟୋଗ ପଦକ୍ଷେପ ନେଇଛନ୍ତି। ସେମାନଙ୍କୁ ଗ୍ରାମାଞ୍ଚଳ ଉପଭୋକ୍ତା ଭାବେ ପରିଗଣିତ କରାଯିବ ଏବଂ ୟୁନିଟ୍ ପିଛା ୨ ଟଙ୍କା ରିହାତି ମିଳିବ। ରାଜ୍ୟ ସରକାର ବିଦ୍ୟୁତ ଚାଳିତ ଯାନ ବ୍ୟବହାର ଉପରେ ଗୁରୁତ୍ବ ଦେଉଥିବା କାରଣରୁ ତା’ ପାଇଁ ପ୍ରଥମ ଥର ଲାଗି ଦର ନିର୍ଧାରଣ କରାଯାଇଛି। ୟୁନିଟ୍ ପିଛା ୫ ଟଙ୍କା ୫୦ ପଇସା ବିଜୁଳି ଦର ଧାର୍ଯ୍ୟ କରିଛନ୍ତି ଆୟୋଗ। ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଯେଉଁ ଉପଭୋକ୍ତାମାନେ ଅକ୍ଷୟ ଶକ୍ତି ବ୍ୟବହାର କରୁଥିବା ପ୍ରମାଣପତ୍ର ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ୟୁନିଟ ପିଛା ଅଧିକ ୫୦ ପଇସା ଦେବାକୁ ପଡ଼ିବ। ଏହାପରେ ଯାଇ ସେମାନଙ୍କୁ ପ୍ରମାଣପତ୍ର ମିଳିବ।
ଅନ୍ୟପକ୍ଷରେ ଶିଳ୍ପ କ୍ଷେତ୍ର ଲାଗି ଅନେକ ରିହାତି ଘୋଷଣା ହୋଇଛି। ଯେଉଁ ଶିଳ୍ପ ସଂସ୍ଥା (ଷ୍ଟିଲ ପ୍ଲାଣ୍ଟ)ଗୁଡ଼ିକ ୬୫%ରୁ ୭୫% ମଧ୍ୟରେ ବିଦ୍ୟୁତ ବ୍ୟବହାର କରିବେ ସେମାନଙ୍କୁ ୧୦%, ୭୫%ରୁ ୮୫% ମଧ୍ୟରେ ୨୦%, ୮୫%ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା କାରଖାନାଗୁଡ଼ିକୁ ବିଦ୍ୟୁତ ଶ୍ଳୁକରେ ୨୦% ରିହାତି ଦିଆଯିବ। ଏହି ନିୟମ ୧-ଏମଭିଏରୁ ୬-ଏମଭିଏ ବିଜୁଳି ବ୍ୟବହାର କରୁଥିବା କ୍ଷେତ୍ରରେ ଲାଗୁ ହେବ। ଯେଉଁମାନେ ୬ ଏମଭିଏରୁ ଅଧିକ ବିଜୁଳି ବ୍ୟବହାର କରୁଥିବେ ସେମାନଙ୍କୁ ୮% ଓ ୧୦% ରିହାତି ମିଳିବ। କ୍ଷୁଦ୍ର ଶିଳ୍ପ ପାଇଁ ମଧ୍ୟ ସ୍ବତନ୍ତ୍ର ୟୁନିଟ୍ ପିଛା ୧୦ ପଇସା ରିହାତି ଘୋଷଣା କରାଯାଇଛି।

BizEncyclopedia

ପରିବହନ ଜନିତ ଦେୟ ପୂର୍ବଭଳି ୟୁନିଟ୍ ପିଛା ୨୮ ପଇସା ରହିବ। ସେହିପରି ଗ୍ରିଡ୍‌କୋର ବିଦ୍ୟୁତ କିଣା ଦର ୟୁନିଟ୍ ପିଛା ୧୯.୬୩ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଏହା ୨୭୮.୦୬ ପଇସା ଥିବା ବେଳେ ଏବେ ଏହା ୨୯୭.୬୯ ପଇସା ଧାର୍ଯ୍ୟ ହୋଇଛି। ଏଥିସହିତ ଆୟୋଗ ବିଏସ୍‌ପି ଦର ୩୧୨.୩୪ ପଇସା ସ୍ଥିର କରିଛନ୍ତି। ଅର୍ଥାତ୍ ପୂର୍ବ ତୁଳନାରେ ଏ କ୍ଷେତ୍ରରେ ୧୬.୦୭ ପଇସା ବୃଦ୍ଧି ପାଇଛି। ଆୟୋଗ କହିଛନ୍ତି, ଦର ବୃଦ୍ଧି ଫଳରେ ଗ୍ରିଡ୍‌କୋ ୪୭୪ କୋଟି ୧୫ଲକ୍ଷ ଟଙ୍କା ଅତିିରିକ୍ତ ରାଜସ୍ବ ପାଇବ।
ପୂର୍ବରୁ ଟିପିସିଓଡ଼ିଏଲ୍ (ପୂର୍ବରୁ ସେସୁ) ୟୁନିଟ୍ ପିଛା ୨ଟଙ୍କା ୮୩ ପଇସାରେ ବିଦ୍ୟୁତ କିଣୁଥିବା ବେଳେ ଏଥର ତାହା ବୃଦ୍ଧି ପାଇ ୩୦୦ ପଇସା ବା ୟୁନିଟ୍ ପିଛା ୩ଟଙ୍କା ହୋଇଛି। ଟିପିଏନ୍‌ଓଡିଏଲ୍ (ପୂର୍ବରୁ ନେସ୍କୋ) ପୂର୍ବରୁ ୩ଟଙ୍କା ୨୦ ପଇସାରେ କିଣୁଥିଲେ, ଏବେ ଏହା ବୃଦ୍ଧି ପାଇ ୟୁନିଟ୍ ପିଛା ୩୨୧ ପଇସା ହୋଇଛି। ଟିପିଡବ୍ଲୁଓଡ଼ିଏଲ୍ (ପୂର୍ବରୁ େଵସ୍କୋ) ଦର ୩ ଟଙ୍କା ୩୭ ପଇସାରୁ ବଢ଼ି ୩ ଟଙ୍କା ୬୦ ପଇସା ହୋଇଥିବା ବେଳେ ଟିପିଏସ୍‌ଓଡିଏଲ୍ (ପୂର୍ବରୁ ସାଉଥ୍‌କୋ) ଦର ୨୯୬.୨୯ ପଇସା ବଦଳରେ କମି ୟୁନିଟ୍ ପିଛା ୨ଟଙ୍କା ୨୭ ପଇସା କରାଯାଇଛି।

ଉଲ୍ଲେଖଥାଉକି, ଓପିଜିସି କ୍ଷେତ୍ରରେ ଏନର୍ଜି ଚାର୍ଜ ବୃଦ୍ଧି ପାଇଛି। ଇବ୍ ଥର୍ମାଲର ପ୍ରଥମ ଓ ଦୁଇଟି ୟୁନିଟ୍ ପାଇଁ ଏନର୍ଜି ଚାର୍ଜ ପୂର୍ବରୁ ୧୫୨.୮୧ ପଇସା ଥିବା ବେଳେ ଏହା ୧୬୧.୦୯ ପଇସା ହୋଇଛି। ସେହିଭଳି ତୃତୀୟ ଓ ଚତୁର୍ଥ ୟୁନିଟ୍‌ କ୍ଷେତ୍ରରେ ଏହା ୩ଟଙ୍କା ୦୯ରୁ ବଢ଼ି ୩ଟଙ୍କା ୩୦ ଛୁଇଁଛି। ମାଛକୁଣ୍ଡ ପ୍ରକଳ୍ପ ସମେତ ଜଳବିଦ୍ୟୁତ କ୍ଷେତ୍ରରେ ୟୁନିଟ୍ ପିଛା ମୂଲ୍ୟ ୯୧.୪୨ପଇସାରୁ କମି ୯୦.୪୩ ପଇସା ଆୟୋଗ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର