ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)ରେ ଆବଣ୍ଟନ କମ୍ପାନିଙ୍କୁ ନେଇ ଚାଲିଥିବା ଜନଶୁଣାଣି ସରିଛି। ଆଜି ଶେଷ ଦିନରେ ଟାଟା ପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଏସ୍ଓଡିଏଲ୍) ସଂକ୍ରାନ୍ତ ଶୁଣାଣିରେ ଭାଗନେଇ ଆପତ୍ତିକର୍ତ୍ତା(ଅବଜେକ୍ଟର)ମାନେ ଆୟୋଗଙ୍କ ସାମ୍ନାରେ ଅସନ୍ତୋଷ ଝାଡ଼ିଛନ୍ତି। ଆସନ୍ତା ବର୍ଷ ପାଇଁ ଟିପିଏସ୍ଓଡିଏଲ ୪୯୧୮ ନିୟୁତ ୟୁନିଟ୍ ବିଦ୍ୟୁତ୍ କ୍ରୟ କରିବାକୁ ଯୋଜନା କରିଥିବା ବେଳେ ୨୪.୬୦% ଆବଣ୍ଟନ କ୍ଷତି ଦର୍ଶାଇ ୩୭୦୮ ନିୟୁତ୍ ୟୁନିଟ ବିଦ୍ୟୁତ ବିକ୍ରୟ କରିବାକୁ ଯୋଜନା କରିଛି। ୨୦୨୨-୨୩ ପାଇଁ ଅନୁମୋଦିତ ହୋଇଥିବା ରାଜସ୍ୱ ଆବଶ୍ୟକତାର ସତ୍ୟତା ନିର୍ଣ୍ଣୟ(ଟୃଇଙ୍ଗ୍ ଅପ) ଆବେଦନରେ ୧୯୮ କୋଟି ଟଙ୍କା ରାଜସ୍ୱ ନିଅଣ୍ଟ ଦର୍ଶାଇଛି। ଏଥିସହ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୩୦୩ କୋଟି ଟଙ୍କା ରାଜସ୍ୱ ଆବଶ୍ୟକତା ଥିବା ସଂସ୍ଥା ଆକଳନ କରିଛି। ତେବେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ବୃଦ୍ଧି ସପକ୍ଷରେ ଟିପିଏସ୍ଓଡିଏଲ୍ କିମ୍ବା ରାଜ୍ୟ ସରକାର ନ ଥିବା ଦର୍ଶାଇଛନ୍ତି।
ଆପତ୍ତିକର୍ତ୍ତା ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଭାଗନେଇ କହିଲେ ଓଡ଼ିଶାର ହୁଇଲିଙ୍ଗ୍ ଚାର୍ଜ ପରିମାଣ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଥିବାରୁ ଶିଳ୍ପ ବିକାଶ ବାଧାପ୍ରାପ୍ତ ହୋଇଛି। ଖୋଲା ବଜାରରୁ ଓଡ଼ିଶାର ଶିଳ୍ପସଂସ୍ଥା ବିଦ୍ୟୁତ କ୍ରୟ କଲେ ପରିବହନ ଖର୍ଚ୍ଚ(ହୁଇଲିଙ୍ଗ ଚାର୍ଜ) ବାବଦକୁ ଆବଣ୍ଟନ କମ୍ପାନିଗୁଡ଼ିକୁ ୟୁନିଟ୍ ପିଛା ହାରାହାରି ୧ ଟଙ୍କା ୧୨ ପଇସା ପଇଠ କରିବା ଚିନ୍ତାର କାରଣ। ଏହା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ। ଆପତ୍ତିକର୍ତ୍ତା ଓଡ଼ିଶା ଉପଭୋକ୍ତ ମହାସଂଘ ସଭାପତି ରମେଶ ଶତପଥୀ ଓ ବିଜୁଳି କର୍ମଚାରୀ ସଂଘ କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା ଭାଗନେଇ ଟିପିଏସ୍ଓଡିଏଲ୍ରେ ମାନବ ସମ୍ବଳ କମିବା ଏବଂ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ଉପରେ ମତପ୍ରକାଶ କରିଥିଲେ। ଅବସରପ୍ରାପ୍ତ ବିଦ୍ୟୁତ୍ ନୀରିକ୍ଷକ ଇଂ ଅକ୍ଷୟ ସାହାଣୀ ଭାଗନେଇ ବ୍ରହ୍ମପୁର ସହରରେ କିଭଳି ବିଦ୍ୟୁତ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି ସେନେଇ ତଥ୍ୟ ରଖିଥିଲେ। ଅନ୍ୟତମ ଆପତ୍ତିକର୍ତ୍ତା ପ୍ରିୟବ୍ରତ ସାହୁ ଭାଗନେଇ ଉପଭୋକ୍ତାଙ୍କ ଶୋଷଣ ବନ୍ଦ କରିବା ସହ ସପ୍ଲାଏ କୋର୍ଡରେ ସଂଶୋଧନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ମୋଟ ୮ଜଣ ଆପତ୍ତିକର୍ତ୍ତା ମତ ରଖିବା ପରେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାଗନେଇ ବିଦ୍ୟୁତ୍ ଦର ବୃଦ୍ଧି ନ କରିବାକୁ ପ୍ରସ୍ତାବ ଦେଇଥିଲେ। ଓଇଆର୍ସିର ଭାରପ୍ରାପ୍ତ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଓ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ରଙ୍କ ଉପସ୍ଥିତିରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା।