୨୫ବର୍ଷର ବିଦ୍ୟୁତ୍‌ ସଂସ୍କାର କାର୍ଯ୍ୟକ୍ରମ ଫେଲ୍, ଏବେ ଦ୍ୱିତୀୟ ସଂସ୍କାର ବେଳ

ଗୁଣାତ୍ମକ, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ନୋହିଲା, ସୁଲଭ ନୁହେଁ ବରଂ ଓଡ଼ିଶାର ବିଦ୍ୟୁତ୍‌ ମହଙ୍ଗା

ଭୁବନେଶ୍ୱର : ଦିନ ତମାମ ଧପ୍‌ ଧପ୍ ହେଉଛି ବଲ୍‌ବ। କେଉଁଠି ତିନି ଘଣ୍ଟା କଟିଲାଣି ତ ଆଉ କେଉଁଠି ପାଞ୍ଚଘଣ୍ଟା। ବିଦ୍ୟୁତ୍‌ ସଂଯୋଗ ହୋଇଛି ଅଥଚ ମିଞ୍ଜି ମିଞ୍ଜି ହୋଇ ଆଲୁଅ ଜଳୁଛି। ଆଉ ତା’ଠାରୁ ସାଂଘାତିକ କଥା ହେଲା, ବିଦ୍ୟୁତ୍‌ ଉତ୍ପାଦନକାରୀ ରାଜ୍ୟ ହୋଇଥିଲେ ବି ଓଡ଼ିଶାର ବିଦ୍ୟୁତ୍‌ ଅନ୍ୟ ରାଜ୍ୟ ତୁଳନାରେ ମହଙ୍ଗା।

୧୯୯୫ ମସିହାରେ ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ୍‌ ସଂସ୍କାର ହାତକୁ ନେଇଥିଲା ଓଡ଼ିଶା। ଲକ୍ଷ୍ୟ ଥିଲା ରାଜ୍ୟବାସୀଙ୍କୁ ଗୁଣାତ୍ମକ ଏବଂ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ, ବିଦ୍ୟୁତ୍‌ ଯୋଗାଣ। ଇତିମଧ୍ୟରେ ସଂସ୍କାର କାର୍ଯ୍ୟକ୍ରମକୁ ୨୫ବର୍ଷ ପୂରିଗଲାଣି। ଉପରୋକ୍ତ ତଥ୍ୟ ବୟାନ କରୁଛି, ସଂସ୍କାର ପଛର ଉଦ୍ଦେଶ୍ୟ ସୁଦୂର ପରାହତ ହୋଇଛି। କେବଳ ଏହି ଦୁଇ ତିନିଟି ନୁହେଁ, ଶକ୍ତି ସମୀକ୍ଷକମାନେ ଏହିଭଳି ୨୫ରୁ ଅଧିକ କାରଣ ଖୋଜି ସାମ୍ନାକୁ ଆଣିଲେଣି, ଯାହା ପ୍ରମାଣ କରୁଛି ଯେ ଓଡ଼ିଶାର ବିଦ୍ୟୁତ୍‌ ସଂସ୍କାର ଫେଲ୍ ମାରିଛି।

lmd.lk

ନିୟମ ପ୍ରଣୟନରେ ତ୍ରୁଟି ରହିଲା ନା ସରକାରୀ ବାବୁମାନେ ଷଡ଼୍‌ଯନ୍ତ୍ର କଲେ? ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେଇପାରିଲା ନାହିଁ କି? ଶକ୍ତି ମନ୍ତ୍ରୀମାନେ ଏ କ୍ଷେତ୍ରରେ କି ଭୂମିକା ଗ୍ରହଣ କରିଆସୁଛନ୍ତି? ଏମିତି ଅନେକ ପ୍ରଶ୍ନ ଏବେ ସବୁ ସ୍ତରକୁ ଆନ୍ଦୋଳିତ କଲାଣି। ଏଥିସହିତ ଦାବି ଉଠିଲାଣି, ସମୁଦାୟ ୨୫ବର୍ଷର ସଂସ୍କାର ପ୍ରକ୍ରିୟା କେଉଁ କାରଣ ପାଇଁ ବିଫଳ ହେଲା, ହଜାର ହଜାର କୋଟି ଟଙ୍କା ବିନିଯୋଗ ସତ୍ତ୍ବେ କିଏ କଳଙ୍କର ଟିପା ପିନ୍ଧାଇଲେ, ସରକାର ସେମାନଙ୍କୁ ଚିହ୍ନଟ ଲାଗି ଗୋଟିଏ କମିସନ ବସାନ୍ତୁ। ଘରୋଇକରଣ ଭିତ୍ତିକ ବିଦ୍ୟୁତ୍‌ ସଂସ୍କାରରେ ନିଆଯାଇଥିବା ସମଗ୍ର କାର୍ଯ୍ୟକ୍ରମରେ ମୂଳରୁ ଚୂଳ ଯାଏ ଥିବା ବିଫଳତାକୁ ସଜାଡିବା ପାଇଁ ଦ୍ବିତୀୟ ସଂସ୍କାରମୂଳକ ପଦକ୍ଷେପ ନିଅନ୍ତୁ। ଏଇଥିପାଇଁ ଯେ କୌଣସି ରାଜ୍ୟ ବା ଦେଶର ବିକାଶ ଦିଗରେ ଆଦ୍ୟ ମାପକାଠି ହେଲା ଶକ୍ତିଶାଳୀ ବିଦ୍ୟୁତ୍‌ କ୍ଷେତ୍ରର ସୁ-ପରିଚାଳନା। ଏହାର ଅଭାବରେ ସରକାର ଆଦୌ ଲକ୍ଷ୍ୟ ହାସଲରେ ସମର୍ଥ ହେବେ ନାହିଁ।

କାରଣ ଖୋଜିବା ଲାଗି କମିସନ ବସାନ୍ତୁ ସରକାର
ଓଇଆର୍‌ସିକୁ ସନ୍ଦେହରେ ଦେଖୁଛନ୍ତି ଶକ୍ତି ସମୀକ୍ଷକ

ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଚିପିବା ଭଳି କେବଳ ବିଜୁଳି ବିଲ୍‌କୁ ନିରେଖି ଦେଖିଲେ, ଏକଥା ଜଳ ଜଳ ହୋଇ ଦିଶୁଛି ଯେ ବିଦ୍ୟୁତ୍‌ ଦର ଆଉ କାହା ନିୟନ୍ତ୍ରଣରେ ନାହିଁ। ୨୦୦୦ରୁ ୨୦୨୧ ବର୍ଷ ଭିତରେ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ବିଜୁଳି ଦର ୧୩୭ (୧୩୬.୮୪)% ପ୍ରତିଶତ ବୃଦ୍ଧିପାଇଛି। ଏହି ବର୍ଷ ଭିତରେ ଏମଏସଏମ୍ଇ କ୍ଷେତ୍ରରେ ବିଜୁଳି ଦର୧୧୧ (୧୧୦.୭୧)% ବୃଦ୍ଧି ପାଇଥିବା ବେଳେ ଶିଳ୍ପ ସଂସ୍ଥା କ୍ଷେତ୍ରରେ ଏହାର ପରିମାଣ ୧୦୬ (୧୦୫.୫୬)%। ଆଚମ୍ବିତ ହେବା ଭଳି କଥାଟି କଥା ହେଲା, ଏମ୍‌ଏସ୍‌ଏମ୍‌ଇ ଏବଂ ଶିଳ୍ପସଂସ୍ଥାଙ୍କ ତୁଳନାରେ ଘରୋଇ ଉପଭୋକ୍ତାଙ୍କ ଉପରେ ବିଜୁଳି ଚାପ ଅଧିକ ପଡ଼ିଛି।

My Sambalpur

୩୮୫୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରି ସରକାର କହିଥିଲେ ଯେ ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପ ବା ଓଡିଏସଏସପିର କାର୍ଯ୍ୟାନ୍ବୟନ ପରେ ଉପଭୋକ୍ତା ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍‌ ପାଇବେ। ୨୦୧୮-୧୯ ମସିହାରୁ ବାର୍ଷିକ ୩ ପ୍ରତିଶତ ହାରରେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ (ଏଟି ଆଣ୍ଡ ସି) କ୍ଷତି କମିବ; ହେଲେ ଏମିତି କିଛି ବି ହେଲାନାହିଁ।

ବରଂ ଆଉ କାହାର ଅପରିଣାମଦର୍ଶୀ କାର୍ଯ୍ୟ, ଅପରାଗତା ଲାଗି ରାଜ୍ୟର ପ୍ରତି ଉପଭୋକ୍ତା (୨୦୨୦-୨୧ ବର୍ଷକୁ ମାପକାଠି ଭାବେ ନେଲେ) ୟୁନିଟ୍ ପିଛା ୧ଟଙ୍କା ୦୪ ପଇସା ଅତିରିକ୍ତ ତଣ୍ଡ ଗଣିଛନ୍ତି। ନିଜେ ଓଇଆର୍‌ସି ସେବର୍ଷ ୟୁନିଟ୍‌ ପିଛା ୨୨.୦୩% (ଯଦିଓ ବାସ୍ତବ କ୍ଷତି ଢେର୍ ଅଧିକ) ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ (ଏଟି ଆଣ୍ଡସି) କ୍ଷତି ଅନୁମତି ଦେଇ ନିଜ ଜାଣତରେ ଏତେ ପରିମାଣର କ୍ଷତିକୁ ରାଜ୍ୟର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ମୁଣ୍ଡକୁ ଠେଲିଦେଲେ।

ସ୍ମରଣଥାଉକି, ବିଦ୍ୟୁତ୍‌ ଉତ୍ପାଦନ ଠାରୁ ବିତରଣରେ ସାମିଲ ଥିବା ଘରୋଇ ଏବଂ ସରକାରୀ ସଂସ୍ଥାଗୁଡ଼ିକର ବ୍ୟବସାୟ ଏବଂ ସାଧାରଣ ଉପଭୋକ୍ତାଙ୍କ ସ୍ବାର୍ଥ ସୁରକ୍ଷା ନିମନ୍ତେ ୧୯୯୬ରେ ଗଠିତ ହୋଇଥିଲା ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)। ହେଲେ ପ୍ରାଥମିକ ପର୍ଯ୍ୟାୟରେ ଆଇନରେ ଥିବା ଘଳିଆ ଏବଂ ଓଇଆରସିଙ୍କ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ସମ୍ଭବତଃ ବ୍ୟତିକ୍ରମ ପାଇଁ ହାତଗଣତି ଘରୋଇ ସଂସ୍ଥା ସାଧାରଣ ଟିକସ ଦାତାଙ୍କ ଅର୍ଥରୁ ପାଖାପାଖି ସାଢେ ଆଠ ହଜାର କୋଟି ଟଙ୍କା ଅନାୟାସରେ ଫାଙ୍କି ଛୁ ମାରିଲେ। ତଥାପି ସରକାର କିମ୍ବା ଆୟୋଗ ଚେତିଲେ ନାହିଁ। ଉପରୋକ୍ତ ବିଫଳତା ସବୁ ତାହାର ଗୋଟିଏ ଗୋଟିଏ ନମୁନା ମାତ୍ର।

T&D India

ବିଦ୍ୟୁତ୍‌ ସମୀକ୍ଷକଙ୍କ ମତରେ ଓଇଆରସିଙ୍କ ଦାୟିତ୍ବ ନିର୍ବାହ ଜନିତ ବିଫଳତା ପାଇଁ ସମଗ୍ର ବିଦ୍ୟୁତ୍‌ କ୍ଷେତ୍ର ଏବେ ଏକ ବିଭ୍ରାଟମାଳାରେ ପରିଣତ ହୋଇଛି। ରାଜ୍ୟର ପାଖାପାଖି କୋଟିଏ ବିଦ୍ୟୁତ୍‌ ଉପଭୋକ୍ତା ଯେବେ ବିଜୁଳି କଷଣ ଭିତରେ ହନ୍ତସନ୍ତ ଓ ଶୋଷିତ, ସେବେ ଓଇଆର୍‌ସି ଉପଭୋକ୍ତାଙ୍କ ସ୍ବାର୍ଥ ପାଇଁ ପାଚେରି ଭଳି ଛିଡ଼ା ହେବା କଥା। ଶିଳ୍ପ ସଂସ୍ଥାଙ୍କ ଠାରୁ ଆରମ୍ଭ କରି ପ୍ରତିଟି ଅଙ୍ଗକୁ ନ୍ୟାୟ ଦେବା ପାଇଁ ଉତ୍ତରାଦାୟିତ୍ବ ନିଭାଇବା କଥା। ହେଲେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି।
ଏହାର ପ୍ରମୁଖ କାରଣ ସଂପର୍କରେ ସେମାନଙ୍କ ଯୁକ୍ତି ହେଲା, ଏହି ସଂସ୍ଥା ଆରମ୍ଭରୁ ତା’ର ସ୍ବାଧୀନତା ତଥା ସ୍ବୟଂଶାସିତ ଅଧିକାର ଏକପ୍ରକାର ହରାଇବସିଛି। ଆରମ୍ଭରେ ଓଇଆରସିର ଯାବତୀୟ ଖର୍ଚ୍ଚକୁ ସରକାର ବଜେଟ୍ ଆକାରରେ ଭରଣା କରୁଥିଲେ। ପରବର୍ତ୍ତୀ ସମୟରେ ଗଠିତ କେନ୍ଦ୍ରୀୟ ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ଖର୍ଚ୍ଚ ମଧ୍ୟ ଏହି ଢାଞ୍ଚାରେ କେନ୍ଦ୍ର ସରକାର ବହନ କରୁଛନ୍ତି। ହେଲେ ଓଇଆରସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ଆରମ୍ଭ ହୋଇଗଲା ୨୦୦୬ ମାର୍ଚ୍ଚ ୩୧ ପରେ। ନିଜସ୍ବ ଖର୍ଚ୍ଚ ଭରଣା ପାଇଁ ଓଇଆର୍‌ସି ବିଦ୍ୟୁତ୍‌ ସଂସ୍କାରରେ କାର୍ଯ୍ୟରତ ସଂସ୍ଥା (ଲାଇସେନ୍ସି)ଙ୍କ ଠାରୁ ବାର୍ଷିକ ଫି ଅସୁଲ କରିଚାଲିଲେ। ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କଂପାନିଙ୍କ ଦାନରେ ନିଜ ଖର୍ଚ୍ଚ ଭରଣା କରୁଥିବା ସଂସ୍ଥା ସେମାନଙ୍କ ସ୍ବାର୍ଥ ବିରୋଧରେ ଯାଇ ସାଧାରଣ ଉପଭୋକ୍ତାଙ୍କୁ ନ୍ୟାୟ ଦେବେ କେମିତି?

 

ଦ୍ବିତୀୟତଃ ଓଇଆରସିର ଅଙ୍ଗସଜ୍ଜା ପାଇଁ ଓଡ଼ିଶା ବିଦ୍ୟୁତ୍‌ ସଂସ୍କାର ଆଇନ ୧୯୯୫ ଆଧାରରେ ନିଯୁକ୍ତି ନିୟମ ପ୍ରଣୟନ କରାଯାଇଥିଲା। ସେତେବେଳର ଉପଭୋକ୍ତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆୟୋଗର କଳେବର ୨୩ଜଣ ଅଧିକାରୀଙ୍କୁ ନେଇ ସୀମିତ ଥିଲା। ୨୦୦୩ରେ କେନ୍ଦ୍ରୀୟ ବିଦ୍ୟୁତ୍‌ ଆଇନ ଲାଗୁ ହେବା ମାତ୍ରେ ଓଡ଼ିଶାରେ ଏହି ଆଇନ ବସ୍ତୁତଃ ଅକାମୀ ହେବା କଥା। ମାତ୍ର ତାହାକୁ ଏପର୍ଯ୍ୟନ୍ତ ସରକାର କିମ୍ବା ଆୟୋଗ ରଦ୍ଦ ନ କରି ନିରବ ରହିବା ପଛରେ ଯେ ଆଉ ଏକ ମନ୍ଦ ଉଦ୍ଦେଶ୍ୟ ରହିଛି, ସେ ସନ୍ଦେହ ବଢ଼ିବାରେ ଲାଗିଲାଣି। ପୁରୁଣା ଆଇନର ଦ୍ବାହି ଦେଇ ସରକାର କିମ୍ବା ଆୟୋଗ ନିଯୁକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ଇଚ୍ଛା କଲେ ନାହିଁ। ବରଂ ଯେଉଁ ସରକାରୀ ସଂସ୍ଥାଗୁଡ଼ିକ ବିଦ୍ୟୁତ୍‌ ବେପାରରେ କାର୍ଯ୍ୟରତ ସେଥିରେ ଥିବା ଅଧିକାରୀମାନଙ୍କୁ ଡେପୁଟେସନ୍ ଜରିଆରେ ଆଣି ଆୟୋଗରେ ବସାଗଲା। ଡେପୁଟେସନ ଭଳି ଏକ ଅସ୍ଥାୟୀ ବ୍ୟବସ୍ଥାର ସମୟସୀମା ଅଛି। ମାତ୍ର ବିଭିନ୍ନ ସଂସ୍ଥାରୁ ଆସି ଆୟୋଗରେ ଆସ୍ଥାନ ଜମାଇଥିବା ଅଧିକାରୀମାନେ ଏଠାରେ ମଞ୍ଜି ପୋତିବା ଭଳି ରହିଛନ୍ତି, କିଛି ଇତିମଧ୍ୟରେ ଆୟୋଗର କର୍ମଚାରୀ ମାନ୍ୟତା ହାସଲ କରିସାରିଲେଣି। ଯେଉଁ ସଂସ୍ଥାରୁ ଏମାନେ ଆସିଛନ୍ତି, ତା’ର ସୁରକ୍ଷା ଜଗିବେ ନା ଉପଭୋକ୍ତାଙ୍କର। ସାଧାରଣରେ ସୃଷ୍ଟି ହୋଇଥିବା ଏଭଳି ସନ୍ଦେହ ମୋଚନ ହେବ କିପରି?

extremetech.com

ତୃତୀୟତଃ ରାଜ୍ୟର ପାଣି, ପବନ ଓ ଜମି ବିନିମୟରେ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ସଂସ୍ଥା (ଆଇପିସି) ଗୁଡ଼଼ିକ ପ୍ରତିବଦଳରେ ରାଜ୍ୟକୁ ଧାର୍ଯ୍ୟ ପରିମାଣରେ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଧିବଦ୍ଧ ଚୁକ୍ତି (ପିପିଏ) ସ୍ବାକ୍ଷର କରିଛନ୍ତି। ସେଥିରେ ବ୍ୟତିକ୍ରମ ହେଲେ ସଂପୃକ୍ତ ସଂସ୍ଥାକୁ ଆୟୋଗ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ମାତ୍ର ପରିତାପର ବିଷୟ ହେଲା, ଆଇପିପି ଗୁଡିକ କେବେ ବି ଚୁକ୍ତି ଅନୁଯାୟୀ ବିଦ୍ୟୁତ୍‌ ଯୋଗାଣ କରୁନଥିଲେ ହେଁ ସେମାନଙ୍କ ପ୍ରତି ଏଯାବତ୍ କୌଣସି ଦଣ୍ଡବିଧାନ ହେବାର ନଜିର ନାହିଁ। ଓଲଟା ଆୟୋଗଙ୍କ ଅଧିକତର ରାୟ ସେମାନଙ୍କ ସପକ୍ଷରେ ଯାଉଥିବା ପରିଲକ୍ଷିତ ହେଉଛି। ସେମାନେ ରାଜ୍ୟ କୋଟା ବିଦ୍ୟୁତ୍‌କୁ ନିଜ ବ୍ୟବସାୟରେ ଲଗାଇ ହଜାର ହଜାର କୋଟି ଟଙ୍କା ମୁନାଫା ଉଠାଉଛନ୍ତି।

ଅନ୍ୟ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା- ସଂସ୍କାର ଆପଣାଇଥିବା ଅଧିକାଂଶ ରାଜ୍ୟରେ ଗଠିତ ନିୟାମକ ଆୟୋଗରେ ମୁଖ୍ୟତଃ ବିଦ୍ୟୁତ୍‌ ବିଶେଷଜ୍ଞ କିମ୍ବା ଦୀର୍ଘ ଅନୁଭୂତି ସଂପନ୍ନ ବିଚାର ବିଭାଗର ଅଧିକାରୀମାନେ ଅଧ୍ୟକ୍ଷ ପଦରେ ଅଛନ୍ତି। ମାତ୍ର ଓଡ଼ିଶା କ୍ଷେତ୍ରରେ ତାହା ପରିଲକ୍ଷିତ ହେଉନାହିଁ। ବରଂ ସରକାରଙ୍କ ସୁ ଦୃଷ୍ଟିରେ ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଫିସରମାନଙ୍କୁ ଆୟୋଗର ଅଧ୍ୟକ୍ଷ ଭାବେ ଥଇଥାନ କରାଯାଉଛି। ପରିଣାମ ସ୍ବରୂପ ସରକାରଙ୍କ ଶୁଭ ଦୃଷ୍ଟିରେ ଥିବା ଘରୋଇ ସଂସ୍ଥାଗୁଡ଼ିକ ଉପଭୋକ୍ତାଙ୍କ ସ୍ବାର୍ଥ ବିନିମୟରେ ଫାଇଦା ପାଉଛନ୍ତି। ସେହିଭଳି ଗତ ଦଶ ବର୍ଷ ମଧ୍ୟରେ ୨୦ ହଜାର କୋଟି ଟଙ୍କାର ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣରେ ବିଶାଳ କେଳେଙ୍କାରୀ ଅଭିଯୋଗ ଦୃଢୀଭୂତ ହେଉଥିଲେ ହେଁ ଏହାର ତଦନ୍ତ ନିର୍ଦେଶ ଲାଗି ଆୟୋଗଙ୍କ କଲମ ଉଠୁନି।

ବିଧାନସଭାରେ ବିରୋଧୀ ରାଜନୈତିକ ଦଳ କଥା କଥାରେ ଅଭିଯୋଗ କରନ୍ତି ଯେ ‘ବିଜୁଳି, ଶାସନ ଗଲାଣି ହୁଗୁଳି’। ଏକଥା ଯେ ପୂରା ଅସତ୍ୟ; କିଏ ହଲପ କରି ଏକଥା କହିବ?

ସମ୍ବନ୍ଧିତ ଖବର