ବୋଝ ହେଲାଣି ବିଦ୍ୟୁତ୍‌ ସଂସ୍କାର; ଲୋକଙ୍କ ଟଙ୍କାରୁ ୨୨ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ତଣ୍ଡ ଗଣୁଛନ୍ତି

ନିରବଚ୍ଛିନ୍ନ, ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଣ ବି ନୋହିଲା

ଭୁବନେଶ୍ୱର : ସଂସ୍କାର କାର୍ଯ୍ୟକାରୀ ହେବା ମାତ୍ରେ ରାଜ୍ୟ ସରକାର ବିଦ୍ୟୁତ୍ ଆବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଘରୋଇକରଣ ତ୍ବରାନ୍ବିତ କରିବା ସହିତ ତତ୍କାଳୀନ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡର ସମସ୍ତ ଚଳନ୍ତି ଭିତ୍ତିଭୂମିକୁ ଶାଗ ମାଛ ମୂଲ୍ୟରେ ଘରୋଇ କଂପାନିକୁ ଟେକିଦେଲେ। ଏହା ପଛର ଉଦ୍ଦେଶ୍ୟ ଥିଲା, ଘରୋଇ କଂପାନିମାନେ ଏସବୁ ଭିତ୍ତିଭୂମି ବ୍ୟବହାର କରିବା ସହିତ ମରାମତି ଓ ରକ୍ଷଣାେବକ୍ଷଣ ବାବଦରେ ପୁଞ୍ଜି ନିବେଶ କରିବେ। ଫଳରେ ରାଜକୋଷରୁ ଆଉ ବିଦ୍ୟୁତ୍ ଆବଣ୍ଟନ କ୍ଷତି ବାବଦରେ ଟଙ୍କା ଗଣିବାକୁ ପଡ଼ିବ ନାହିଁ।

ହେଲେ ଗତ ୨୩ବର୍ଷ ଧରି ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରକୁ ନିରେଖି ଦେଖିଲେ, ଗୋଟିଏ କଥା ସମସ୍ତେ ସ୍ବୀକାର କରିବେ ଯେ ରାଜ୍ୟ ସରକାର ଓଡ଼ିଶାର ଉପଭୋକ୍ତାଙ୍କୁ କେବଳ ନିରବଚ୍ଛିନ୍ନ, ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବାରେ ବିଫଳ ହୋଇଛନ୍ତି ତା ନୁହେଁ; ଘରୋଇ ସଂସ୍ଥା ହାତକୁ ବିଦ୍ୟୁତ ଯିବା ଦ୍ବାରା ରାଜ୍ୟ ତହବିଲ୍‌ରୁ ଅର୍ଥ ଖର୍ଚ୍ଚ ହେବ ନାହିଁ ବୋଲି ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ମଧ୍ୟ ସାଧିତ ହୋଇପାରିଲା ନାହିଁ। ବରଂ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟବାସୀଙ୍କ ଟିକସ ଅର୍ଥରୁ ୨୨ହଜାର ୨୪୬ କୋଟି ୪୪ଲକ୍ଷରୁ ଅଧିକ ଟଙ୍କା ଏ କ୍ଷେତ୍ରରେ ବିନିଯୋଗ ହେଲାଣି। ଚଳିତବର୍ଷ ବଜେଟ୍‌ରେ ପୁଣି ୧୫୦୦ କୋଟି ଟଙ୍କା ଭିତ୍ତିଭୂମି ବାବଦରେ ଖର୍ଚ୍ଚ କରିବାକୁ ସରକାର ବ୍ୟୟ ବରାଦ କରିଛନ୍ତି। ସଂପ୍ରତି ବିଧାନସଭାର ପଟଳ ଉପରେ ରହିଥିବା ଏହି ତଥ୍ୟ ସାମ୍ନାକୁ ଆସିବା ପରେ ୨୫ବର୍ଷର ବିଦ୍ୟୁତ୍‌ ସଂସ୍କାର ବ୍ୟବସ୍ଥାଟି ସଫଳ ହେଲା ନା ବିଫଳ, ଏହି ପ୍ରସଙ୍ଗକୁ ନେଇ ପୁଣି ଥରେ ସମଗ୍ର ରାଜ୍ୟରେ ବିତର୍କ ମୁଣ୍ଡ ଟେକିଲାଣି।

ଶକ୍ତି ବିଭାଗ ବଜେଟ୍‌ରେ ଏଥର ପୁଣି ୧୫୦୦ କୋଟିର ବରାଦ
୨୨୦୦ କୋଟି ଖର୍ଚ୍ଚ ହୋଇ ୧୭% କ୍ଷତି କମିଲା, ୨୦ ହଜାର କୋଟିରେ ୧୦% କାହିଁକି?

lmd.lk

ସ୍ମରଣଥାଉକି, ୧୯୯୬ ମସିହାରେ ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଦ୍ୟୁତ୍‌ ସଂସ୍କାର ଆରମ୍ଭ କଲା। ଯଦିଓ ରାଜ୍ୟ ତହବିଲରୁ ବିଦ୍ୟୁତ୍‌ କ୍ଷେତ୍ରରେ ଟଙ୍କାଟିଏ ଖର୍ଚ୍ଚ ହେବ ନାହିଁ ବୋଲି ସ୍ଥିର ହୋଇଥିଲା, ଏବେ କିନ୍ତୁ ସରକାରଙ୍କ ହିସାବ ଅନେକ ସତ ଉଗାଳିଲାଣି। ଜଣାପଡ଼ିଲାଣି ଯେ ୨୦୦୦ ମସିହା ପରେ ପରେ ସଂସ୍କାର ବ୍ୟବସ୍ଥାକୁ ଲକ୍ଷଚ୍ୟୁତ କରିବାକୁ କୁଚକ୍ରୀ ଗୋଷ୍ଠୀ ଷଡ଼୍‌ଯନ୍ତ୍ର ଆରମ୍ଭ କରିଦେଇଛନ୍ତି।

ସରକାରଙ୍କ ହିସାବ କହୁଛି ଯେ ୧୯୯୯ରୁ ୨୦୧୦ ମଧ୍ୟରେ ଭିତ୍ତିଭୂମି ବାବଦରେ ରାଜ୍ୟ ରାଜକୋଷରୁ ୨୨୪୬ କୋଟି ୪୪ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଏହାର ପ୍ରଭାବରେ ୨୦୦୦ ମସିହା ବେଳକୁ ରାଜ୍ୟରେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ (ଏଟି ଆଣ୍ଡ ସି) କ୍ଷତି ୫୬% ଥିବା ବେଳେ ୨୦୧୦ ବେଳକୁ ଏହା ୩୯.୧୫%କୁ ଖସିଥିଲା।

ଏହାସତ୍ତ୍ବେ ୨୦୦୯-୧୦ରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ସତର୍କ କରାଇଦେଲେ ଯେ ଭିତ୍ତିଭୂମି ବିକାଶ ବାବଦରେ ଆଦୌ ଅର୍ଥ ଖର୍ଚ୍ଚ ହେଉନଥିବା କାରଣରୁ ବିଦ୍ୟୁତ୍‌ କ୍ଷେତ୍ର ପ୍ରତି ଭୀଷଣ ବିପଦ ଦେଖାଦେଲାଣି। ସ୍ବାଭାବିକ ଭାବେ ରାଜ୍ୟ ସରକାର ସେେବ ଘରୋଇ ଆବଣ୍ଟନ କଂପାନିଙ୍କ ଉପରେ ଚାପ ପ୍ରୟୋଗ କରି ଭିତ୍ତିଭୂମି ବିକାଶ ଲାଗି ପୁଞ୍ଜିନିବେଶ ପାଇଁ ବାଧ୍ୟ କରିବା କଥା। ହେଲେ ଏମିତି କିଛି ହେଲାନି। ବରଂ କାପେକ୍ସ ଯୋଜନାରେ ଆବଣ୍ଟନ କଂପାନି ଅଧା ଖର୍ଚ୍ଚ କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ସେମାନେ ପୂରଣ କଲେନି। ରାଜ୍ୟ ସରକାର ଏବଂ ଆୟୋଗ ମଧ୍ୟ ସେମାନଙ୍କୁ ଆକଟ ବା ବାଧ୍ୟ କରିପାରିଲେ ନାହିଁ। ବରଂ ଭିତ୍ତିଭୂମି ବିକାଶ ଦାୟିତ୍ବ ସରକାର ନିଜ ମୁଣ୍ଡକୁ ନେଇଗଲେ। ତଥାକଥିତ ଦୁର୍ବଳ ଭିତ୍ତିଭୂମି ସଜା଼ଡ଼ିବା ବାବଦରେ କେନ୍ଦ୍ର ଓ ନିଜସ୍ବ ପାଣ୍ଠିରୁ ରାଜ୍ୟ ସରକାର ୨୦୧୦ରୁ ୨୦୨୦ ମସିହା ମଧ୍ୟରେ ପୁଣି ୨୦ହଜାର କୋଟି ବିନିଯୋଗ କରିଥିବା ଜଣାପଡ଼ିଛି। ହେଲେ ପ୍ରଥମ ଦଶନ୍ଧିରେ ଏଟି ଆଣ୍ଡ ସି କ୍ଷତିର ପରିମାଣ ହାରାହାରି ୧୭% କମିଥିବା ବେଳେ ଗତ ଦଶନ୍ଧି ଭିତରେ ତାର ପ୍ରାୟ ୧୦ଗୁଣା ଅଧିକ ଅର୍ଥ ଖର୍ଚ୍ଚ ପରେ ବି ପୂର୍ବାପେକ୍ଷା ୭% କମ୍ ଅର୍ଥାତ୍ ୧୦% ହ୍ରାସ ପାଇବା ଘଟଣା ଶକ୍ତି ସମୀକ୍ଷକମାନଙ୍କୁ ଆଚମ୍ବିତ କରୁଛି।

Ommcom News

ଆହୁରି ବିସ୍ମୟର କଥା ହେଲା ଯେ ଏଟି ଆଣ୍ଡ ସି କ୍ଷତିକୁ ନିର୍ଦିଷ୍ଟ ସ୍ତରରେ ରଖିବା ନିମନ୍ତେ ଓଇଆର୍‌ସି ବର୍ଷକୁ ବର୍ଷ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି, ସେଥିରେ ଆବଣ୍ଟନ କଂପାନିମାନେ ବିଫଳ ହେଉଛନ୍ତି। ଏହାସତ୍ତ୍ବେ ୨୦୨୧ ବର୍ଷ ପର୍ଯ୍ୟନ୍ତ ଆୟୋଗ ସେମାନଙ୍କୁ ଆଇନଗତ ଭାବେ କୌଣସି ଜରିମାନା କିମ୍ବା ଆକଟ କରିନାହାନ୍ତି। ବରଂ ଗତ କିଛି ବର୍ଷ ଧରି ଆୟୋଗ ଆକାଶରୁ ତୋଳି ଆଣିବା ଭଳି ୨୨.୦୩% ଏଟି ଆଣ୍ଡ ସି କ୍ଷତିକୁ ଅନୁମତି ଦେଇଚାଲିଛନ୍ତି।

ଯଦି ୨୦୨୦-୨୧ର ହିସାବ ବିଚାରକୁ ନେବା, ତେବେ ଏତିକି କୁହାଯାଇପାରିବ ଯେ ସେବର୍ଷ ରାଜ୍ୟ ସରକାର, ଆବଣ୍ଟନ କଂପାନି ଏବଂ ଗ୍ରିଡ୍‌କୋ ଆଦି ସଂସ୍ଥାଙ୍କ ଅପରିଣାମଦର୍ଶୀ କାର୍ଯ୍ୟ, ଅପରାଗତା, ଦାୟିତ୍ବହୀନତା ଲାଗି ରାଜ୍ୟର ପ୍ରତି ଉପଭୋକ୍ତା ୟୁନିଟ୍ ପିଛା ଅତିରିକ୍ତ ୧ଟଙ୍କା ୦୪ ପଇସା ତଣ୍ଡ ଗଣିଛନ୍ତି। ଯଦି ଗୋଟିଏ ଆଦର୍ଶଗତ ବ୍ୟବସ୍ଥାରେ ଏଟି ଆଣ୍ଡ ସି କ୍ଷତି ୮% (ଦିଲ୍ଲୀ ଭଳି ରାଜ୍ୟ ଏହିସ୍ତରରେ ପହଞ୍ଚିସାରିଲେଣି) ବୋଲି ଧରି ନେଇ ଆୟୋଗ ବିଦ୍ୟୁତ୍ ବିଲ୍ ଧାର୍ଯ୍ୟ କରିଥାନ୍ତେ, ତେବେ ଉପଭୋକ୍ତା ସେବର୍ଷ ୟୁନିଟ୍ ପିଛା ଆହୁରି ୬୫ ପଇସା କମ୍ ଦରରେ ବିଦ୍ୟୁତ୍ ପାଇପାରିଥାନ୍ତେ। ଏବର୍ଷ ବିଦ୍ୟୁତ୍‌ ଦର ହିସାବରେ ଏହି ପରିମାଣ ଆହୁରି ଅଧିକ ହେବ। ଆହୁରି ସରଳ ଭାବେ କହିବାକୁ ଗଲେ ସଂସ୍କାରର ଲକ୍ଷ୍ୟ ଅନୁଯାୟୀ, ନିରବଚ୍ଛିନ୍ନ, ଗୁଣାତ୍ମକ ତଥା ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ ପାଇବା ଏବେ ରାଜ୍ୟର କୋଟିଏ ଉପଭୋକ୍ତାଙ୍କ ପାଇଁ କେବଳ ସ୍ବପ୍ନ ହୋଇ ରହିଛି ଓ ଅନ୍ୟପକ୍ଷରେ ଘରୋଇ କଂପାନିମାନେ ମାଛ ତେଲରେ ମାଛ ଭାଜି ବିଦ୍ୟୁତ୍‌ ବ୍ୟବସାୟରୁ ଫାଇଦା ନେଇ ଚାଲିଛନ୍ତି।

ଶକ୍ତି ସମୀକ୍ଷକମାନେ ଯୁକ୍ତି କରୁଛନ୍ତି ଯେ ଘରୋଇ କଂପାନିମାନଙ୍କୁ ଫାଇଦା ଦେବା ପାଇଁ ଏକ କୁଚକ୍ରୀ ତଥା ଅସାଧୁ ମେଣ୍ଟ ଯେଉଁ ଷଡ଼ଯନ୍ତ୍ର ରଚନା କରିଛନ୍ତି, ସେଥିରେ ରାଜକୋଷରୁ ଭିତ୍ତିଭୂମି ବାବଦ ବ୍ୟୟ ଚାଲିଥିବ; ମାତ୍ର ସାଧାରଣ ଉପଭୋକ୍ତା ଦରବୋଝରୁ ତ୍ରାହି ପାଇେବ ନାହିଁ। ସେମାନଙ୍କ କହିବା କଥା ହେଲା ଯେ ୧୯୯୯ ପରେ ୨୦୨୦ ଯାଏ ସରକାର ଭିତ୍ତିଭୂମି ବାବଦରେ ୨୨ହଜାର ୨୫୦ କୋଟି ପାଖାପାଖି ବ୍ୟୟ କରିଥିଲେ ମଧ୍ୟ ସେ ସଂପତ୍ତି ସରକାରଙ୍କ ଖାତାରେ କେବଳ ଗଡ଼ିଚାଲିଛି, ମାତ୍ର ଆଇନତଃ ତାହା ଆବଣ୍ଟନ କଂପାନିଙ୍କ ଖାତାରେ ପ୍ରତିଫଳିତ ହୋଇନାହିଁ। କୁଚକ୍ରୀ ଗୋଷ୍ଠୀ ସରକାରଙ୍କ ବିଦ୍ୟୁତ୍‌ ବିଶେଷଜ୍ଞମାନଙ୍କୁ ବୁଝାଇ ଦେଇଛନ୍ତି ଯେ ଏହି ରାଶି ଯଦି ଆବଣ୍ଟନ କଂପାନିଙ୍କ ଖାତାକୁ ଯାଏ, ତେବେ ବିଦ୍ୟୁତ୍‌ ଦର ଅଧିକ ହେବ। ତେଣୁ ଭିତ୍ତିଭୂମି ବିକାଶରେ ସୃଷ୍ଟି ହୋଇଥିବା ସଂପତ୍ତି ସେମାନଙ୍କ ଖାତାକୁ ତ ଗଲା ନାହିଁ, ବରଂ ତାହାକୁ ଯଥେଷ୍ଟ ଅବମୂଲ୍ୟାୟନ କରି ସରକାର ଯେଉଁ ୫୧% ଅଂଶଧନ ହସ୍ତାନ୍ତର କଲେ ଆବଣ୍ଟନ କଂପାନିମାନେ ତାହାକୁ ଆନନ୍ଦରେ ଶାଗ ମାଛ ମୂଲ୍ୟରେ ପାଇଗଲେ। ଏବେ ବିଦ୍ୟୁତ୍‌ ଆବଣ୍ଟନ ଦାୟିତ୍ବରେ ଥିବା ଟାଟା ପାଵାର ୨୨ହଜାର କୋଟିରୁ ଅଧିକ ଟଙ୍କାର ସଂପତ୍ତିକୁ ମାତ୍ର ୭୫୨.୨୫କୋଟିରେ ଅଧିକାର କରି ବ୍ୟବସାୟ ଚଳାଇଛି।

New Indian Express

ପ୍ରଶ୍ନ ଉଠୁଛି, ଆବଣ୍ଟନ କଂପାନି ପାଖରେ କେତେ ଟଙ୍କାର ବିଦ୍ୟୁତ ଭିତ୍ତିଭୂମି ଅଛି, ଏକଥା କାହାକୁ ମାଲୁମ୍ ନାହିଁ। ଏପରିସ୍ଥଳେ ସେମାନଙ୍କର ଆବଶ୍ୟକତା କେଉଁଠି କେତେ ଏକଥା କିଏ କେମିତି ଜାଣିଲେ? କେଉଁ ଆଧାରରେ ଏଥରର ପୁଞ୍ଜି ବିନିଯୋଗ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଗଲା? ଯେହେତୁ ଆବଣ୍ଟନ କଂପାନିଗୁଡ଼ିକ ସରକାରୀ ପୁଞ୍ଜି ବିନିଯୋଗରେ କରାଯାଉଥିବା ନିର୍ମାଣ କାର୍ଯ୍ୟଗୁଡ଼ିକର ପ୍ରତ୍ୟକ୍ଷ ପରିଚାଳନା କରୁନାହାନ୍ତି, ସେମାନଙ୍କ ପାଇଁ ଓପିଟିସିଏଲ୍, ଏନଟିପିସି, ଏନଏଚ୍‌ପିସି ଭଳି ଅନ୍ୟ ସଂସ୍ଥା ଏହି ଦାୟିତ୍ବ ତୁଲାଉଛନ୍ତି, ସେତେବେଳେ ସେମାନେ କିଭଳି ଜାଣିଲେ ଯେ କେଉଁ କାର୍ଯ୍ୟ ହେଲା, କେତେ ବାକି ରହିଲା? ଏପରି ପରିସ୍ଥିତିରେ ଗୋଟିଏ ଗୋଟିଏ କାର୍ଯ୍ୟର ଦୁଇ ତିନି ଥର ପ୍ରକଳ୍ପ ରିପୋର୍ଟ ଦିଆଯାଇ ପୁଞ୍ଜି ବିନିଯୋଗ ହେଲେ ବି ଏହାକୁ ନା କେହି ଜାଣିପାରିବେ ନା ତଦାରଖ କରିବାର କୌଣସି ସୁଯୋଗ ଅଛି।

ଭାରତର ଅନ୍ୟ ରାଜ୍ୟରେ ସରକାରୀ ଅନୁଦାନରେ ସୃଷ୍ଟି ହୋଇଥିବା ସଂପତ୍ତିକୁ ଆବଣ୍ଟନ କଂପାନିମାନେ ନିଜ ଖାତାରେ ଦର୍ଶାଇଛନ୍ତି। ଓଡ଼ିଶାରେ କିନ୍ତୁ ଏହାର ବ୍ୟତିକ୍ରମ ଘଟିଛି। ବାସ୍ତବରେ ସରକାରୀ ଅର୍ଥ ତୋଷରପାତ ପାଇଁ ଏଭଳି ଷଡ଼ଯନ୍ତ୍ର େହାଇଛି କି ଘରୋଇ କଂପାନିକୁ ଲାଭ ଦେବା ଲାଗି ପେଞ୍ଚ କରାଯାଇଛି, ତାହା ଏକ ବଡ଼ ତଦନ୍ତକୁ ଅପେକ୍ଷା କରୁଛି।

କେବଳ ସେତିକି ନୁହେଁ, ଏତେ ଟଙ୍କା ପୁଞ୍ଜି ବିନିଯୋଗ ପରେ ବି ଗ୍ରୀଷ୍ମରେ ଓଡ଼ିଶା ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦା ୫୫୦୦ ମେଗାଵାଟ୍ ଆବଶ୍ୟକତାକୁ ମୁକାବିଲା କରିପାରିଲା ନାହିଁ। ନିକଟରେ ଏକଥା ରାଜ୍ୟବାସୀ ଅଙ୍ଗେ ନିଭାଇଛନ୍ତି ଓ ଘନ ଘନ ପାଵାର କଟ୍ କରାଯାଇଛି। ଲୋ-ଭୋଲଟେଜ୍ କଥା ନ କହିବା ଭଲ। ଏନ଼୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଏଯାଏ ବିଜୁଳି ଯାଇନଥିବା ଘଟଣା ଓଡ଼ିଶାରେ ବିଜୁଳି କ୍ଷେତ୍ରରେ ସ୍ଥିତି କିଭଳି ରହିଛି ଭାରତବର୍ଷ ସାମ୍ନାରେ ତାର ‌ଗୋଟିଏ ବଡ ଉଦାହରଣ ହୋଇ ରହିଲା। ଏଣୁ ପ୍ରଶ୍ନ ଉଠିବାରେ ଅସ୍ବାଭାବିକତା ନାହିଁ ଯେ ପାଖାପାଖି ୨୨ହଜାର ୨୫୦ କୋଟି ଟଙ୍କା ବିନିଯୋଗର ଲାଭାର୍ଥୀ ତେବେ କିଏ?

ORF

ସେହିଭଳି ଟାଟା କଂପାନି ସରକାରଙ୍କ ଭିତ୍ତିଭୂମିର ମାନ ନେଇ କୌଣସି ସାଧାରଣ ବ୍ୟକ୍ତି ପାଖରେ ମୌଖିକ ଅଭିଯୋଗ କରିନାହାନ୍ତି। ବରଂ ଓଇଆର୍‌ସିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହା ସନ୍ଦେହ ବଢ଼ାଉଛି ଯେ ବିଦ୍ୟୁତ୍ କ୍ଷେତ୍ରରେ ଗୋଟିଏ ବଡ କେଳେଙ୍କାରୀ ହୋଇଛି। ଏତେ ବଡ ଅଭିଯୋଗ ପାଇ ଓଇଆର୍‌ସି କାହିଁକି ଚୁପ୍ ବସିଛନ୍ତି? ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ, ମୁଖ୍ୟସଚିବଙ୍କ ଠାରୁ ଆରମ୍ଭ କରି ୫ଟି ସଚିବ, ଶକ୍ତି ସଚିବ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ନ ଦେଇ ନିରବ ରହିବା କେଉଁଠି ନା କେଉଁଠି ଇଙ୍ଗିତ କରୁଛି; ସରକାର ବୋଧହୁଏ ଏହି କେଳେଙ୍କାରୀ ଜାଣିଛନ୍ତି ବା ଆଉ କୌଣସି କ୍ଷମତାଶାଳୀ ବ୍ୟକ୍ତିଙ୍କ କାରସାଦିକୁ ଘଣ୍ଟ ଘୋଡ଼ାଉଛନ୍ତି। ଯଦି ଏସବୁ ଠିକ୍ ନୁହେଁ, ତେବେ ଟାଟା କଂପାନିର ଆୟୋଗ ନିକଟରେ ଦାଖଲ ରିପୋର୍ଟ ମିଛ ଏକଥା ସରକାର କହିବାକୁ କୁନ୍ଥ କୁନ୍ଥ କାହିଁକି?

ସମ୍ବନ୍ଧିତ ଖବର