ଜଗତପୁର ଶିଳ୍ପାଞ୍ଚଳକୁ ଏଯାଏ ଆସିଲାନି ବିଜୁଳି : ୮ ଦିନରେ ୨ଶହ କୋଟି ଟଙ୍କାର କାରବାର ଠପ୍‌, ୨୦ ହଜାର ଶ୍ରମିକଙ୍କ ଜୀବନଜୀବିକା ସଙ୍କଟରେ

କଟକ : ଜଗତପୁର ଶିଳ୍ପାଞ୍ଚଳକୁ ଏଯାଏ ହୋଇପାରିନି ବିଦ୍ୟୁତ ସଂଯୋଗ। ଫନି ଅତିକ୍ରାନ୍ତକୁ ବିତିଗଲାଣି ୮ ଦିନ। ଅଧିକାଂଶ ଶିଳ୍ପସଂସ୍ଥାରେ ଏବେ ତାଲା ଝୁଲୁଛି। ଶିଳ୍ପାଞ୍ଚଳର ୫୦୦ରୁ ଅଧିକ ଛୋଟବଡ ସଂସ୍ଥା ବନ୍ଦ ହୋଇ ପଡିଥିବା ଫଳରେ ଗଲା ୮ ଦିନ ଭିତରେ ୨ଶହ କୋଟିରୁ ଅଧିକ ଟଙ୍କାର କାରବାର ବନ୍ଦ ହୋଇଯାଇଛି। ଜଗତପୁର ଶିଳ୍ପାଞ୍ଚଳ ଓଡ଼ିଶାର ସର୍ବବୃହତ ଶିଳ୍ପାଞ୍ଚଳ। ପ୍ରତିଦିନ ରାଜ୍ୟ ଏବଂ ରାଜ୍ୟ ବାହରକୁ ଏମିତିକି ଦେଶ ବାହାରକୁ ଖାଦ୍ୟ ସାମଗ୍ରୀ, ପ୍ରସାଧନ ସାମଗ୍ରୀ ଠାରୁ ଆରମ୍ଭକରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏହିଠାରୁ ପ୍ରସ୍ତୁତ ହୋଇଥାଏ। ଦିନକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପ୍ରସ୍ତୁତ ହେବାସହ ଏଠାରୁ ବଜାରକୁ ଯାଇଥାଏ। ଶିଳ୍ପାଞ୍ଚଳର ବିଭିନ୍ନ ସଂସ୍ଥାରେ ୨୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି।

ବାତ୍ୟା ଫନି ପ୍ରଭାବରେ ଏହି କଳକାରଖାନା ଗୁଡିକର ଆଜବେଷ୍ଟ ସିଟ୍‌ ଉଡିଯାଇଥିବା ବେଳେ କିଛି ସ୍ଥାନରେ ଗଛ ପଡି ପାଚେରି ଭାଙ୍ଗି ଯାଇଛି। ବତ୍ୟା ସମୟରେ ବାର୍ଷା ପାଣି ପଶି ଅନେକ ସଂସ୍ଥାର କଞ୍ଚାମାଲ ନଷ୍ଟ ହୋଇଯାଇଛି। କିନ୍ତୁ ବାତ୍ୟା ସମୟର କ୍ଷତିଠାରୁ ବଳିପଡିଛି ୯ ଦିନ ହେଲା ବିଦ୍ୟୁତ୍‌ ସରବାରହ ବନ୍ଦର କ୍ଷତି। କଳ କାରଖାନାରେ ତାଲା ଝୁଲୁଛି। କର୍ମଚାରୀ ମାନେ କାମ ନକରି ହାତ ବାନ୍ଧି ବସିଛନ୍ତି। ମାଲିକ ମାନଙ୍କର କୋଟି କୋଟି ଟଙ୍କାର କ୍ଷତି ହୋଇଥିବାବେଳେ କର୍ମଚାରୀ ମାନେ କାମ ନ ପାଇ ଘରେ ଚୁଲି ଜଳୁ ନାହିଁ। ହେଲେ ଏହି ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ ସେସୁ କର୍ତ୍ତୁପକ୍ଷ ତରଫରୁ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏ ବାବଦରେ ଶିଳ୍ପାଞ୍ଚଳ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଜିଲ୍ଳାପାଳ ତାହାକୁ ଅଗ୍ରାଧିକାର ନ ଦେବାରୁ ଶିଳ୍ପ ସଂଘର ସଦସ୍ୟ ମାନେ ହତାଶ ହୋଇ ଫେରିଛନ୍ତି। ଓଡ଼ିଶା ଶିଳ୍ପସଂଘର ଚେୟାରମ୍ୟାନ ଅବନି କାନୁନ୍‌ଗୋ କହିଛନ୍ତି ଯେ ବିଦ୍ୟୁତ୍‌ ଆସିବାରେ ସେସୁ କର୍ତ୍ତୁପକ୍ଷ କୌଣସି ତତ୍ପରତା ଦେଖାଉନାହାନ୍ତି। ଶିଳ୍କାଞ୍ଚଳ ବନ୍ଦ ଫଳରେ କ୍ଷତି ବଢି ଚାଲିଛି। ସଂଘର ସାଧାରଣ ସଂପାଦକ ବିନୋଦ ଭୁତ୍ କହିଛନ୍ତି ଯେ ଶିଳ୍ପାଞ୍ଚଳ ବନ୍ଦ ହୋଇ ପଡିବା ଫଳରେ ବହୁତ କଞ୍ଚାମାଲ ନଷ୍ଟ ହେଉଥିବା ବେଳେ ବହୁତ କ୍ଷତି ବଢୁଛି। କର୍ମଚାରୀ ମାନେ ସମସ୍ତେ ଘରକୁ ପଳାଇ ଯାଇଥିବା ବେଳେ ରାତିରେ ଚୋରି ଆଶଙ୍କା ବଢୁଛି। ଠିକା କର୍ମଚାରୀ କାମ ନପାଇ ଶୋଚନୀୟ ସ୍ଥିତିରେ ଅଛନ୍ତି। ନିର୍ଦ୍ଦିଷ୍ଟ କେତେକ ବଡ ଶିଳ୍ପ ସଂସ୍ଥା ଜେନେରେଟର ବ୍ୟବହାର କରି ଇତିମଧ୍ୟରେ କାମ ଆରମ୍ଭ କରିଥିଲେ ବି ଅଧିକାଂଶ ଶିଳ୍ପ ସଂସ୍ଥା ପାଇଁ ସେଭଳି ସୁଯୋଗ ନଥିବାରୁ ପ୍ରତିକ୍ରିୟା ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର