ଲକ୍ଷ୍ୟ ଛୁଇଁନି ବିଜୁଳି ଯୋଗାଣ, ଏବେ ପୁରୀର ପୁନରୁଦ୍ଧାର ପାଇଁ ଅଗ୍ରାଧିକାର

ଆଜିଠାରୁ ପର୍ଯ୍ୟାୟ କ୍ରମେ ପୁରୀରେ ଜଳିବ ବିଜୁଳି

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ ବିଜୁଳି ଯୋଗାଣ ସ୍ବାଭାବିକ ହେବ। ଆସନ୍ତାକାଲି ସୁଦ୍ଧା ସମସ୍ତଙ୍କୁ ମିଳିବ ବିଜୁଳି। ଆଜି କାଲି ଏହିପରି କହି କହି ସାମୁଦ୍ରିକ ବାତ୍ୟା ଫନି ଆସିବାର ୧୨ ଦିନ ଗଡ଼େଇଲେଣି ସରକାର। କିନ୍ତୁ ସ୍ବାଭାବିକ ହୋଇପାରୁନି ବିଦ୍ୟୁତ୍‌ ବ୍ୟବସ୍ଥା। ଭୁବନେଶ୍ବରର କିଛି ଅଞ୍ଚଳରେ ବିଜୁଳି ଜଳିପାରୁ ନାହିଁ। ବିଜୁଳି ପାଇବାରୁ ବଞ୍ଚିତ ଲୋକମାନଙ୍କ ଦୁଃଖ ଦୁର୍ଦଶା ସୀମା ଟପିଲାଣି। ରାଜଧାନୀର ଅବସ୍ଥା ଏମିତି। ପୁରୀର ସ୍ଥିତି ଆହୁରି ସାଂଘାତିକ। ସେଠି ଖାଲି ବିଜୁଳି ନୁହେଁ, ପାଣି, ମୋବାଇଲ୍‌, ବ୍ୟାଙ୍କ ସେବା ସବୁ ବିପର୍ଯ୍ୟସ୍ତ। ଅବଶ୍ୟ, ବିଳମ୍ବରେ ହେଲେ ବି ପୁରୀରେ ଏ ସମସ୍ତ ସେବାର ପୁନରୁଦ୍ଧାର ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ବାତ୍ୟା ପ୍ରଭାବିତ ଗ୍ରାମାଞ୍ଚଳ ଦ୍ବୀପ ତଳ ଅନ୍ଧାର ଭଳି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ଗ୍ରାମବାସୀମାନଙ୍କ ଦୁଃଖ କେବେ ଦୂର ହେବ ସେ ନେଇ କାହାରି ପାଖରେ ଉତ୍ତର ନାହିଁ।

ଭୁବନେଶ୍ବରରେ ୨ ଦିନରେ ମୋବାଇଲ୍‌ ସେବା ସ୍ବାଭାବିକ, ଦକ୍ଷତା ବିକାଶ ବିଭାଗର କ୍ଷତି ୩୦.୫୭ କୋଟି

ପ୍ରତିଦିନ ଭଳି ଆଜି ଜୟଦେବ ଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ କୁମାର ସିଂହ ସାମ୍ବାଦିକମାନଙ୍କୁ ବାତ୍ୟା ପରବର୍ତୀ ରିଲିଫ ଓ ପୁନଃନିର୍ମାଣ ସଂପର୍କିତ ସୂଚନା ଦେଇଥିଲେ। ଭୁବନେଶ୍ବରରେ ବିଦ୍ୟୁତ୍‌ ଯୋଗାଣ ସଂପର୍କରେ ତଥ୍ୟ ଉପସ୍ଥାପନ କରି ସେ କହିଲେ ଯେ ଆଜି ମଧ୍ୟ ଭୁବନେଶ୍ବର କଳିଙ୍ଗ ନଗର କଲୋନୀର କିଛି ଅଂଶ, ଏସ୍‌ବିଆଇ କଲୋନୀ, ବାରଙ୍ଗ, ଗୋଠପାଟଣା, ଚନ୍ଦକା ଶିଳ୍ପାଞ୍ଚଳ, ଇନ୍‌ଫୋସିଟି, ଉତ୍ତରା ଆଦି ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରି ନାହିଁ। ଗତକାଲି ସେ ସମାନ ସ୍ଥିତି ସୂଚାଇଥିଲେ। ସେହିପରି ନିଆଳି, ଫୁଲନଖରା ଭଳି ଅଞ୍ଚଳରେ ବିଦ୍ୟୁତ୍‌ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିଲେ ବି ଅବସ୍ଥା ପୂର୍ବଭଳି ରହିଛି।

ଭୁବନେଶ୍ବରର ସହରାଞ୍ଚଳର ବିସିଡିଡି-୧ ଅନ୍ତର୍ଗତ ସମସ୍ତ ୪୪ଟି ଫିଡର କାର୍ଯ୍ୟକ୍ଷମ ହୋଇସାରିଛି। ଏହି ଡିଭିଜନ ଅନ୍ତର୍ଗତ ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ବିସିଡିଡି-୨ ଅନ୍ତର୍ଗତ ୬୬ ଫିଡର ଅନ୍ତର୍ଭୁକ୍ତ ୯୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୯୫ ହଜାର ବିଜୁଳି ସେବା ପାଇଛନ୍ତି। ବିସିସିଡି-୨ର ଗ୍ରାମୀଣ ଫିଡର ପୁନରୁଦ୍ଧାର କାର୍ଯ୍ୟ ଆସନ୍ତାକାଲି ସୁଦ୍ଧା ସାରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ସେହିପରି ବିଇଡି ଅଞ୍ଚଳରେ ଆଜି ସୁଦ୍ଧା ଅଧିକ ୩ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

କଟକ ସହରର ସିଡିଡି-୧ ଅନ୍ତର୍ଭୁକ୍ତ ୭୧୮୭୬ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ବେଳେ ସିଡିଡି-୨ରେ ୭୦ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୪୮୦୦୦ ଉପଭୋକ୍ତା ପାଇଛନ୍ତି ବିଦ୍ୟୁତ୍‌ ସେବା। କଟକ ସିଇଡି ଡିଭିଜନ ଅନ୍ତର୍ଭୁକ୍ତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୪୫୭୮୫ଜଣଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି। ୧୫ ତାରିଖ ସୁଦ୍ଧା ଜଗତ୍‌ପୁର ଶିଳ୍ପାଞ୍ଚଳ, ନିଆଳୀ ସବ୍‌ଷ୍ଟେସନର ଅଧୀନ ଅଞ୍ଚଳରେ ବିଦ୍ୟୁତ୍ ସେବା ଉପଲବ୍ଧ ହେବ ବୋଲି ଗତକାଲି ‌େସ କହିଥିଲେ। କିନ୍ତୁ ଏସବୁ ଅଞ୍ଚଳ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ବିଦ୍ୟୁତ୍‌ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସମୟ ଲାଗିବ ବୋଲି ଶ୍ରୀ ସିଂହ କହିଥିଲେ।

ଆସନ୍ତାକାଲି ଅର୍ଥାତ୍‌ ୧୫ ତାରିଖରେ ବଡ଼ଦାଣ୍ଡ, ପୁରୀ ଓ କୋଣାର୍କ ସହରରେ ବିଜୁଳି ଜଳିବ ବୋଲି ସେ ଦୋହରାଇ‌ଥିଲେ। ପୁରୀ ଜିଲ୍ଲାକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ରହିଥିବା ୨୨୦ କେଭିର ଗୋଟିଏ ଓ ୧୩୨ କେଭିର ୨ଟି ଟ୍ରାନ୍ସମିସନ ଲାଇନ୍‌ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ୩ଟି ଲାଇନ ଅଧୀନରେ ଥିବା ପ୍ରାୟ ୧୦୦ଟି କ୍ଷତିଗ୍ରସ୍ତ ଟାୱାରକୁ ମରାମତି କାର୍ଯ୍ୟାରମ୍ଭ ହୋଇଛି। ତେବେ ଏହା ଦୀର୍ଘ ସମୟ ଲାଗିବ। ଏଥିମଧ୍ୟରୁ ୧୩୨ କେଭିର ଲାଇନକୁ କାର୍ଯ୍ୟକ୍ଷମ କରିବାକୁ ପିଜିସିଆଇଏଲ୍‌ ତତ୍ତ୍ବାବଧାନରେ ୪୫ଟି ଗ୍ୟାଙ୍ଗ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ଆସନ୍ତାକାଲି ସୁଦ୍ଧା ଗୋଟିଏ ଟ୍ରାନ୍ସମିସନ ଲାଇନ ଚାଲୁ ହେବାର ସମ୍ଭାବନା ଅଧିକ। ଏହା କାର୍ଯ୍ୟକାରୀ ହେବା ଦ୍ବାରା ୧୫ ତାରିଖରୁ ହିଁ ପୁରୀ ସହରରେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ସ୍ଥାପନ ଜୋରଦାର କରାଯିବ। ଏହା ସହିତ ଖୋର୍ଧା-ପୁରୀ ପୁରୁଣା ଟ୍ରାନ୍ସମିସନ ଲାଇନକୁ କାର୍ଯ୍ୟକ୍ଷମ କରିବା ପାଇଁ ନୂଆ ଟାୱାର ବସାଯିବ ବୋଲି ସେ କହିଥିଲେ। ଟେଲି ଯୋଗା‌େଯାଗ ଓ ମୋବାଇଲ୍‌ ସଂପର୍କରେ ସୂଚନା ଦେଇ ଶ୍ରୀ ସିଂହ କହିଲେ, ଖୋର୍ଧାର ୯୯ଟି ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୯୨ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀରେ ୨୯ଟି, କଟକର ସମସ୍ତ ୭୭ଟି ଏକ୍ସଚେଞ୍ଜ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଓଡ଼ିଶାରେ ଉଭୟ ଟେଲିକମ୍‌ ଓ ବିଦ୍ୟୁତ୍‌ ଭିତ୍ତିଭୂମି କିପରି ବିପର୍ଯ୍ୟୟ ପ୍ରତିରୋଧୀ ହୋଇପାରିବ ସେଥିପାଇଁ ଭୂତଳ କେବଲ୍‌ ଓ ବାତ୍ୟା ନିରୋଧକ ଟାୱାର ସ୍ଥାପନ କରିବା ଉପରେ କେନ୍ଦ୍ର ସରକାରଙ୍କ ଟେଲିକମ୍‌ ସଚିବ ଓ ଅତିରିକ୍ତ ସଚିବ ଗୁରୁତ୍ବାରୋପ କରିଛନ୍ତି। ଭୁବନେଶ୍ବରରେ ମୋବାଇଲ୍‌ କ୍ଷେତ୍ରରେ ଉନ୍ନତି ଦେଖାଦେଇଥିବାରୁ ଆଗାମୀ ଦୁଇଦିନ ମଧ୍ୟରେ ପୂର୍ବାବସ୍ଥା ଫେରିଆସିବ ବୋଲି ସୂଚନା ସଚିବ ଆଶାପ୍ରକାଶ କରିଥିଲେ। ପୁରୀରେ ୭୯.୭୩ ପ୍ରତିଶତ ବ୍ୟାଙ୍କ ଶାଖା ଖୋଲିଥିବା ବେଳେ ୨୨.୧୮ ପ୍ରତିଶତ ଏଟିଏମ୍‌ କାର୍ଯ୍ୟକ୍ଷମ ହୋଇଛି।

ରିଲିଫ ବଣ୍ଟନ ସଂପର୍କରେ ସୂଚନା ଦେଇ ସେ କହିଲେ ଯେ ମୋଟ ୧୭ ଲକ୍ଷ ୯୨ ହଜାର ୧୨୫ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୬ ଲକ୍ଷ ୧୦ ହଜାର ୯୬୮ଜଣଙ୍କୁ ରିଲିଫ ଟଙ୍କା, ୧୫.୪୪ ଲକ୍ଷଙ୍କୁ ଚାଉଳ ମିଳିଛି। ଏହାଛଡ଼ା ୪ ଲକ୍ଷ ୧୪ ହଜାର ୩୦୬ଜଣଙ୍କୁ ପଲିଥିନ କିମ୍ବା ତା’ ବଦଳରେ ଟଙ୍କା ଦିଆଯାଇଛି। ବୋଲଗଡ଼ର ୪ଟି ସାହିରେ ଝାଡ଼ାବାନ୍ତି ହୋଇଥିବାରୁ ସେଠାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ଦଳ ନିୟୋଜିତ ହୋଇଛନ୍ତିି। ପୁରୀରେ ଜ୍ବର ବ୍ୟାପିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହା ଉଦ୍‌ବେଗଜନକ ସ୍ଥିତିରେ ନାହିଁ। ଏହାଛଡ଼ା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସରକାରୀ ଆଇଟିଆଇ, ପଲିଟେକ୍‌ନିକ୍‌, ସରକାରୀ ଇଞ୍ଜିନିୟରିଂ ସ୍କୁଲ ଓ କଲେଜ, ନିୟୋଜନ ନିର୍ଦେଶାଳୟ, ଦକ୍ଷତା ବିକାଶ କେନ୍ଦ୍ର ଗୃହ ଆଦି କ୍ଷତିଗ୍ରସ୍ତ ହୋଇଛନ୍ତିି। ଫଳରେ ବିଭାଗ ପକ୍ଷରୁ ପ୍ରାୟ ୩୦.୫୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ସବୁଜିମା ଧ୍ବଂସ ହୋଇଛି। ତେବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧା ଉପୁଡ଼ି ପଡ଼ିଥିବା ୨୩୬୪ଟି ଗଛକୁ ପୁ‌ନଃରୋପଣ କରାଯାଇଛି। ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ଥିବା ସର୍ବାଧିକ ୧୧୯୩ଟି ଏଭଳି ଗଛ ପୁନଃରୋପିତ ହୋଇଛି। ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୬୪ରେ ସୀମିତ ରହିଛି ବୋଲି ସୂଚନା ଦେଇଥିଲେ ଶ୍ରୀ ସିଂହ।

ସମ୍ବନ୍ଧିତ ଖବର