ବୃଦ୍ଧିର ପୁନର୍ବିଚାର ପାଇଁ ଓଇଆର୍ସିକୁ କହିଲେ ନାହିଁ
ଗୃହରେ ହୋହାଲ୍ଲା ହେଲା, ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ
ପିଟିସନ୍ ପକାଇଲେ ଶକ୍ତି ସମୀକ୍ଷକ, ୨୯ରେ ଶୁଣାଣି
ଭୁବନେଶ୍ବର : ୩୧ ମାର୍ଚ୍ଚ ୨୦୨୧। ବିଜୁଳି ଦର ବୃଦ୍ଧିକୁ ନେଇ ବିଧାନସଭା ଉଠିଲା ପଡ଼ିଲା। ତୁହାକୁ ତୁହା ମୁଲତବୀ ହେଲା। ସର୍ବଦଳୀୟ ବୈଠକ ବସିଲା। ଶକ୍ତି ମନ୍ତ୍ରୀ ଗୃହରେ ବିବୃତି ଦେଲେ ଯେ ବିଦ୍ୟୁତ୍ ଦର ବୃଦ୍ଧିର ପୁନର୍ବିଚାର ପାଇଁ ଓଇଆର୍ସିକୁ ଚିଠି ଲେଖାଯିବ। ତାହା ପରେ ସ୍ଥିତି ସ୍ବାଭାବିକ ହେଲା।
ଏହା ମଧ୍ୟରେ ଅଢ଼େଇ ମାସ ବିତିଗଲା। କିନ୍ତୁ ରାଜ୍ୟ ସରକାର ଓଇଆର୍ସିକୁ ଚିଠି ଲେଖିଲେ ନାହିଁ। ଶକ୍ତି ବିଭାଗ କାର୍ଯ୍ୟଭାରରେ ଏତେ ଭାରାକ୍ରାନ୍ତ ଯେ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ସ୍ବାର୍ଥ ରକ୍ଷା ପାଇଁ ଚିଠି ଖଣ୍ଡେ ପ୍ରସ୍ତୁତ କରିପାରିଲା ନାହିଁ। ବିଧାନସଭାରେ ମନ୍ତ୍ରୀ ଦେଇଥିବା ବିବୃତି କେବଳ ବିବୃତିରେ ହିଁ ରହିଗଲା। ବିରୋଧୀ ବି ଏହା ଉପରେ ଆଉ ପ୍ରଶ୍ନ କଲେ ନାହିଁ। ବିଧାନସଭାରେ ହୋହାଲ୍ଲା, ଗୃହ ଅଚଳ ହେବାର କିଛି ମୂଲ୍ୟ ରହିଲା ନାହିଁ। ଗୃହର ଗୋଟିଏ ଦିନ ଯାହା ବରବାଦ ହେଲା। ମନ୍ତ୍ରୀଙ୍କ ଉତ୍ତର, ବିରୋଧୀଙ୍କ ହୁଙ୍କାର ସବୁ ଅପ୍ରାସଙ୍ଗିକ ହୋଇଗଲା। ଉପଭୋକ୍ତାଙ୍କ ଉପରେ ପଡ଼ିଲା ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ବୋଝ।
କରୋନା ସମୟରେ ଦୁଇ ଦୁଇ ଥର ବିଦ୍ୟୁତ ଦର ବୃଦ୍ଧି କରାଯାଇଛି। ୨୦୨୦ ସେପ୍ଟେମ୍ବର ମାସରେ ଓଇଆର୍ସି ବିଦ୍ୟୁତ୍ ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିଲେ। ପୁଣି ୬ ମାସ ପରେ ଅର୍ଥାତ ମାର୍ଚ୍ଚ ଶେଷ ସପ୍ତାହରେ ଆଉ ଥରେ ବଢ଼ିଲା। ଏଥର ୟୁନିଟ୍ ପିଛା ୩୦ ପଇସା(୫.୬ ପ୍ରତିଶତ) ବୃଦ୍ଧି ହେଲା। ଅର୍ଥାତ ଗୋଟିଏ ବର୍ଷ ଭିତରେ ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି ପାଇଛି। ଅବଶ୍ୟ ବିପିଏଲ୍ ଉପଭୋକ୍ତା, ଜଳସେଚନ ପାଇଁ ବ୍ୟବହୃତ ବିଜୁଳି ଦର ଅପରିବର୍ତ୍ତିତ ରଖାଯାଇଥିଲା। ଏପ୍ରିଲ୍ ୪ ତାରିଖରୁ ଏହି ବର୍ଦ୍ଧିତ ଦର ତତ୍କ୍ଷଣାତ ଲାଗୁ କରାଗଲା।
କରୋନା ମହାମାରୀ ଲୋକଙ୍କ ଜୀବନ ଜୀବିକାକୁ ଶକ୍ତ ପ୍ରହାର ଦେଇଛି। ପୁଣି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଠିକ୍ ଏହି ସମୟରେ ବିଜୁଳି ଦର ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଥିଲା। ବିରୋଧୀ ରାଜନୈତିକ ଦଳଗୁଡ଼ିକ ରାସ୍ତାକୁ ଓହ୍ଲାଇଲେ।ଓଇଆର୍ସି ଅଫିସ୍ ଘେରାଉ ହେଲା। ସେହି ସମୟରେ ବିଧାନସଭା ଅଧିବେଶନ ଚାଲିଥିବାରୁ ବିରୋଧୀ ଦଳମାନେ ଜୋର୍ଦାର୍ ପ୍ରତିବାଦ କରିଥିଲେ। ଆରମ୍ଭରୁ ସରକାର ରକ୍ଷଣାତ୍ମକ ଢଙ୍ଗରେ କାର୍ଯ୍ୟ କଲେ। ବିଦ୍ୟୁତ୍ ଦର ବୃଦ୍ଧିରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ, ଏହା ଓଇଆର୍ସି କରନ୍ତି ବୋଲି ଶକ୍ତି ମନ୍ତ୍ରୀ ସଫେଇ ଦେଲେ। ସରକାରୀ ଦଳ ମଧ୍ୟ ଏହି ଧାରାରେ ଯୁକ୍ତି ଉପସ୍ଥାପନ କଲେ। କିନ୍ତୁ ବିରୋଧୀ ଦଳ ଏହି ସଫେଇକୁ ଗ୍ରହଣ କଲେ ନାହିଁ। ବିଭିନ୍ନ ରାଜ୍ୟର ଚିତ୍ର ଦେଖାଇ ସରକାରଙ୍କୁ ଘେରିଲେ। ଶେଷରେ ଓଇଆର୍ସିଙ୍କୁ ପୁନର୍ବିଚାର ପାଇଁ ଚିଠି ଲେଖିବେ ବୋଲି ଶକ୍ତି ମନ୍ତ୍ରୀ କହିଥିଲେ। କିନ୍ତୁ ତାହାର କିଛି ଲାଭ ହେଲା ନାହିଁ। ଖାଉଟିଙ୍କ ସ୍ବାର୍ଥ ରକ୍ଷା ପାଇଁ କାହାରି ଯେ ଆନ୍ତରିକତା ନାହିଁ, ତାହା ସ୍ପଷ୍ଟ ବାରି ହୋଇପଡ଼ିଲା।
ସରକାର ନିଜ କଥା ରଖି ନ ଥିଲେ ମଧ୍ୟ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଏପ୍ରିଲ୍ ୨୬ ତାରିଖରେ ଓଇଆର୍ସିରେ ତିନିଟି ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। ଚାରି ବିତରଣ କମ୍ପାନିର ତାରିଫ ବୃଦ୍ଧି, ଗ୍ରିଡ୍କୋର ବଲ୍କ୍ ସପ୍ଲାଏ ପ୍ରାଇସ୍(ବିଏସ୍ପି) ବୃଦ୍ଧି ଏବଂ ଓପିଟିସିଏଲ୍ର ଟ୍ରାନ୍ସମିସନ୍ ତାରିଫ୍ ବୃଦ୍ଧି ପ୍ରତିବାଦରେ ସେ ଏହି ତିନିଟି ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ବିଜୁଳି ଦର ୟୁନିଟ୍ ପିଛା ୩୦ ପଇସା, ବିଏସ୍ପି ୟୁନିଟ୍ ପିଛା ୮ ପଇସା ଓ ଟିଟି ୟୁନିଟ୍ ପିଛା ୩ ପଇସା ବୃଦ୍ଧି ପ୍ରତିବାଦରେ ଏହି ପିଟିସନ୍ ଦାଖଲ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବିଜୁଳି ଦର କମାଇବା ପାଇଁ ଅନେକ ବଳିଷ୍ଠ ଯୁକ୍ତି ସେ ଉପସ୍ଥାପନ କରିଛନ୍ତି। ମେ’ ୨୧ ତାରିଖରେ ଶ୍ରୀ ମହାପାତ୍ର ଏକ ଅନ୍ତରୀଣ ପିଟିସନ୍ ଦାଖଲ କରିଥିଲେ। ଯେହେତୁ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ପିଟିସନ୍ ଦାଖଲ ହୋଇଛି, ତେଣୁ ମାମଲାର ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଥିବା ବର୍ଦ୍ଧିତ ଦରକୁ ସାମୟିକ ଭାବେ ସ୍ଥଗିତ ରଖାଯାଉ। ତେବେ କମିସନ୍ ଏହି ସ୍ଥଗିତାଦେଶ ଜାରି କରି ନ ଥିଲେ ମଧ୍ୟ ରିଭ୍ୟୁ ପିଟିସନ୍କୁ ବିଚାର ପାଇଁ ଗ୍ରହଣ କରି ଜୁନ୍ ୨ ତାରିଖରେ ବିଭିନ୍ନ ପକ୍ଷକୁ ନୋଟିସ୍ କରିଛନ୍ତି। ଜୁନ୍ ୨୯ ତାରିଖରେ ଏହାର ଶୁଣାଣି ପାଇଁ ତାରିଖ ସ୍ଥିର କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସରକାରଙ୍କ ତରଫରୁ ଯେଉଁ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତି କିମ୍ବା ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରାଇବା କଥା। ନଚେତ ତାହା ଗୃହରେ ସ୍ବାଧିକାର ଭଙ୍ଗ ବୋଲି ବିବେଚନା କରାଯିବ। ଗୃହରେ ଦେଇଥିବା ବିବୃତି ମୁତାବକ ସରକାର ପଦକ୍ଷେପ ନ ନେଲେ ନିଶ୍ଚିତ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇବେ। ପରବର୍ତ୍ତୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ ମନ୍ତ୍ରୀ ଗୃହରେ ନିଜେ ପ୍ରତିଶ୍ରୁତି ଦେଲା ପରେ ଏ ଯାଏ ଚିଠି ଲେଖା ନ ଯିବା ନିଶ୍ଚିତ ଦୁର୍ଭାଗ୍ୟଜନକ। ଏହି ପ୍ରସଙ୍ଗକୁ ଆମେ ଆଗାମମୀ ବିଧାନସଭା ଅଧିବେଶନରେ ଉଠାଇବୁ। ସ୍ବାଧିକର ଭଙ୍ଗ ନୋଟିସ୍ ବି ଦେବୁ। ସରକାର ବିଜୁଳି ଦର ବୃଦ୍ଧିକୁ କାହିଁକି ଏତେ ସମର୍ଥନ କରୁଛନ୍ତି, ତାହା ବୁଝାପଡ଼ୁ ନାହିଁ। ଏହାକୁ ବିଜେପି ଲଗାତର ବିରୋଧ ଜାରି ରଖିବ।
ଏ ସମ୍ପର୍କରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ ଯେ ଓଇଆର୍ସିଙ୍କୁ ଚିଠି ଲେଖିବା ପାଇଁ ବିଭାଗ ସ୍ତରରେ ଆଲୋଚନା ଚାଲିଛି। କରୋନା ଲକ୍ଡାଉନ୍ ପରେ ଚିଠି ଲେଖାଯିବ।