୧୫ରୁ ଓଇଆରସି ଜନଶୁଣାଣି: ବଢ଼ିବ ବିଜୁଳି ଶୁଳ୍କ!

ଜନ ଆନ୍ଦୋଳନ ପାଇଁ ସମାଜବାଦୀ ପାର୍ଟିର ଚେତାବନୀ

ଭୁବନେଶ୍ୱର  ଆସନ୍ତା ୧୫ ତାରିଖରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବିଜୁଳି କମ୍ପାନିମାନଙ୍କର ୨୦୨୨- ୨୩ ବର୍ଷ ପାଇଁ ବାର୍ଷିକ ଆୟବ୍ୟୟର ଅଭିଯୋଗ ଶୁଣାଣି କରିବାକୁ ଯାଉଛନ୍ତି। ଏହି ଜନଶୁଣାଣିକୁ ଢାଲ କରି ଆସନ୍ତା ଆର୍ଥିକବର୍ଷ ପାଇଁ ବିଜୁଳି ଶୁଳ୍କ ବଢ଼ିବ ବୋଲି କୁହାଯାଉଛି। ଯେତେବେଳେ ରାଜ୍ୟବାସୀ କରୋନା ସଂକ୍ରମଣ ଯୋଗୁ ଆର୍ଥିକ ସଙ୍କଟଦେଇ ଗତି କରୁଛନ୍ତି, ସେହି ସମୟରେ ଓଇଆରସିକୁ ଢାଲ କରି ବିଜୁଳି କମ୍ପାନିମାନେ ଶୁଳ୍କ ବଢାଇ ୯୨ ଲକ୍ଷ ଖାଉଟିଙ୍କୁ ଶୋଷଣ କରିବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ଯଦି ଆଗାମୀ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବଢେ, ଏହା ବିରୋଧରେ ରାଜରାସ୍ତାରେ ଜନ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜୁଳି କମ୍ପାନି, ଓଇଆରସି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।

ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ବ ଯେତେବେଳେ କରୋନା ସଙ୍କଟ ଭିତର ଦେଇ ଗତି କରୁଥିଲା, ସେ ସମୟରେ ଓଡ଼ିଶାର ବିଜୁଳି କମ୍ପାନିମାନେ ଓଇଆରସିକୁ ଢାଲ କରି ୟୁନିଟ୍ ପିଛା ୨ ଦଫାରେ ୫୦ ପଇସା ବଢାଇଥିଲେ। ସେତେବେଳେ ୫୦ ୟୁନିଟ୍ ପର୍ଯ୍ୟନ୍ତ ୨.୫୦ ଥିଲାବେଳେ ତାହା ବୃଦ୍ଧି ପାଇ ଏବେ ୩ଟଙ୍କା ଆସି ପହଞ୍ଚିଛି। ପୁନଶ୍ଚ ନିଜର ପରିବହନଜନିତ କ୍ଷତି କମାଇ ନପାରି ନିଜର ଅପାରଗତା ଓ ଦୁର୍ନୀତିକୁ ଭରଣା କରିବାପାଇଁ ବିଜୁଳି କମ୍ପାନିମାନେ ଆଗାମୀ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଶୁଳ୍କ ବଢାଇବା ପାଇଁ ଜନଶୁଣାଣିକୁ ଆଳ ଭାବରେ ବ୍ୟବହାର କରୁଛନ୍ତି ।

ଏଠାରେ ପ୍ରକାଶଥାଉକି, ସମଗ୍ର ଭାରତବର୍ଷରେ ୧୯୯୪-୯୫ ମସିହାରେ ଓଡ଼ିଶା ଥିଲା ଦେଶର ପ୍ରଥମ ରାଜ୍ୟ, ଯିଏ ବିଶ୍ବବ୍ୟାଙ୍କରୁ ଋଣ ଆଣି ବିଜୁଳିର ଘରୋଇକରଣ ଆରମ୍ଭ କରିଥିଲା। ସେତେବେଳେ ୫୬ ପ୍ରତିଶତ ପରିବହନ ଜନିତ କ୍ଷତି କରୁଥିବା ଓ ୩୦୦କୋଟି ଟଙ୍କାର ଆର୍ଥିକ କ୍ଷତିର ବୋଝ ମୁଣ୍ଡାଇଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ଼କୁ ଭାଙ୍ଗି ଦେଇଥିଲେ। ଉତ୍ପାଦନ, ଆବଣ୍ଟନ ଓ ପରିବହନକୁ ତିନିଭାଗରେ ବିଭକ୍ତ କରାଯାଇ ବିଜୁଳି କ୍ଷେତ୍ରରେ ସଂସ୍କାର ଅଣାଯାଇଥିଲା ଏବଂ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଦୁଃଖର କଥା ୨୬ ବର୍ଷର ସଂସ୍କାର ପରେ ମଧ୍ୟ ଆଜି ପରିବହନ ଜନିତ କ୍ଷତି ବା ( ଏଟି ଆଣ୍ଡ ସି) ୨୯ ପ୍ରତିଶତ ରହିଛି। ଅପରାଗତା, ଦୁର୍ନୀତି ଓ ପାରଦର୍ଶିତା ଅଭାବରୁ କ୍ଷତି ଭରଣା ହୋଇପାରୁନାହିଁ । ଯାହାଫଳରେ ଏହାକୁ ଭରଣା କରିବା ପାଇଁ କମ୍ପାନିମାନେ ଓଇଆରସି ଜନଶୁଣାଣିକୁ ଆଳ କରି ପ୍ରତିବର୍ଷ ଗ୍ରାହକଙ୍କ ମୁଣ୍ଡ ଉପରେ ସେହି କ୍ଷତିକୁ ଭରଣା କରିଚାଲିଛନ୍ତି। କେତେବେଳେ ସ୍ମାର୍ଟ ମିଟର ବଦଳାଇବା ନାମରେ ତ ଆଉ କେତେବେଳେ ନିର୍ଦ୍ଦିଷ୍ଟ ତାରିଖ ଠାରୁ ବିଳମ୍ବରେ ବିଲ୍ ଦେଇ ଅତିରିକ୍ତ ଟିକସ ଆକାରରେ ଗ୍ରାହକଙ୍କୁ କମ୍ପାନିମା‌େନ ଶୋଷଣ କରିଗଲିଛନ୍ତି। ପ୍ରତିବାଦ କଲେ ଶୁଣିବାକୁ କେହି ନାହିଁ। ସରକାର ମଧ୍ୟ ଏହି କମ୍ପାନିମାନଙ୍କ ସମ୍ମୁଖରେ ସତେ ଯେମିତି ଅସହାୟ ହୋଇଯାଇଛନ୍ତି। ଆସନ୍ତା ୧୫ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବାକୁ ଥିବା ଜନଶୁଣାଣିକୁ ଆଳ କରି ଯଦି ପୁଣିଥରେ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝ ଲଦି ଦିଆଯାଏ, ତେବେ ରାଜ୍ୟବାସୀ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ଶ୍ରୀ ବେହେରା ଚେତାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର