ଆସନ୍ତା ୨ ଦିନ ମଧ୍ୟରେ ବିଦ୍ୟୁତ ଯ଼ୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ : ଟାଟା ପାଓ୍ବାର

ଭୁବନେଶ୍ୱର: ୟାସ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଟାଟା ପାଓ୍ବାର ନିୟନ୍ତ୍ରଣାଧିନ ବିଦ୍ୟୁତ ସର୍କଲ ଓ ଡିଭିଜନଗୁଡ଼ିକର ଯ଼ୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ମରାମତି କାମ ଚାଲିଛି ଓ ଆସନ୍ତା ଦୁଇଦିନ ମଧ୍ୟରେ ବିଦ୍ୟତ ଯ଼ୋଗାଣ ସଂପୂର୍ଣ୍ଣ ସ୍ବାଭାବିକ ହେବ ବୋଲି କମ୍ପାନି ପକ୍ଷରୁ କୁହାଇଛି ।

କମ୍ପାନି ପକ୍ଷରୁ କୁହାଯ଼ାଇଛି ଯ଼େ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ସର୍କଲ୍ ଓ ଡିଭିଜନ ଗୁଡ଼ିକୁ ଆଗୁଆ ଚିହ୍ନଟ କରାଯାଇଥିଲା । ସେଥିପାଇଁ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବାରେ ଏହା କଂପାନି ପାଇଁ ବେଶ୍ ସହାୟକ ହୋଇଥିଲା ।

ନେଟଓ୍ବାର୍କ ବିଭ୍ରାଟ ହୋଇଥିବା ଅଞ୍ଚଳରେ ପହଞ୍ଚିବା ଓ ଶୀଘ୍ର ବିଦ୍ୟୁତ ଯୋଗାଣକୁ ପୁନରୁଦ୍ଧାର କରିବା ଲାଗି ଟିପିସିଓଡିଏଲ୍ ଓ ଟିପିଏନ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୩,୦୦୦ରୁ ଅଧିକ କର୍ମଚାରୀ ଓ କର୍ମୀଙ୍କୁ ନିୟୋଜିତ କରାଯ଼ାଇଛି ।

ଟିପି ନର୍ଦର୍ନ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଗୁରୁତର ଭାବେ ପ୍ରଭାବିତ ହୋଇଛି ଓ କ୍ଷୟକ୍ଷତିର ଆକଳନ ଜାରି ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସହରରେ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ୍ କେୟାର୍ ସେଣ୍ଟର ଓ ହସ୍ପିଟାଲ୍ ଗୁଡ଼ିକୁ ବିଦ୍ୟୁତ ଯୋଗାଣ କରିବା ଲାଗି ଟିପିଏନ୍ଓଡିଏଲ୍ ଚବିଶ ଘଣ୍ଟା କାର୍ଯ୍ୟ ଜାରି ରଖିଛି । ସ୍ଥିତି ଉପରେ ନଜର ରଖିବା ଲାଗି କଂପାନି ତରଫରୁ ସ୍ୱତନ୍ତ୍ର ଟିମ୍ ମୂତୟନ କରାଯାଇଛି ଓ ଏକ ଉତ୍ସଗୀକୃତ କଂଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି ।

ଟିପିସିଓଡିଏଲ୍ ପକ୍ଷରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ କେତେକ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଥିଲା ଓ ମେ’ ୨୬ ସନ୍ଧ୍ୟାରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରାଯାଇଥିଲା । ଟିପିସିଓଡିଏଲର ଟିମ୍ ତରଫରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ପାଟ୍ରୋଲିଂ ଜରିଆରେ ନିୟମିତ ଯାଞ୍ଚ କରାଯାଇଥିଲା । ଏହି ଟିମ୍ ବନ୍ୟା ଭଳି ସ୍ଥିତିରେ କାର୍ଯ୍ୟ କରିଥିଲେ ଏବଂ ରାଜକନିକା, ରାଜନଗର ଓ ମହାକାଳପଡ଼ାର ବନ୍ୟାଞ୍ଚଳରେ ଅତ୍ୟଧିକ ସୁରକ୍ଷା ସତର୍କତା ଅବଲମ୍ବନ କରି ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କରିଥିଲେ । ଟିପିସିଓଡିଏଲ୍ ତରଫରୁ ଏହାର ୮୦% ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରାଯାଇଛି । ସବ୍ ଡିଭିଜନ୍ ମଧ୍ୟରେ ଦ୍ରୁତ ପୁନରୁଦ୍ଧାର ଟିମ୍ ଗଠନ କରାଯାଇଛି ଓ ଖୁବ କମ୍ ସମୟ ଭିତରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ରଖାଯ଼ାଇଛି ।

ସମ୍ବନ୍ଧିତ ଖବର