ଲୋଇସିଂହା : ‘ଆମେ ପ୍ରକଳ୍ପକୁ ବିରୋଧ କରୁନାହୁଁ। କିନ୍ତୁ ସରକାର ଆମକୁ ଅନ୍ୟାୟ ଭାବରେ ନ ତଡ଼ି ସମସ୍ତ ପାଉଣା ଦେବା ସହ ଥଇଥାନ କରିବାକୁ ନିବେଦନ କରୁଛୁ। ୨ ଦିନ ହେଲା ବିଦ୍ୟୁତ୍ ଓ ପାନୀୟଜଳ ଯୋଗାଣ ସେବା ବନ୍ଦ କରି ଆମକୁ ହଇରାଣ କରିବା ସରକାରଙ୍କ ଅମାନବିକତା ନୁହେଁ କି? ଏହାଥିଲା ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ ଗଡ଼ଶଙ୍କର ଡୁଙ୍ଗୁରିପାଲି ଗ୍ରାମବାସୀଙ୍କ କୋହଭରା ପ୍ରଶ୍ନ। ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ମଧ୍ୟ ଘରଦ୍ବାର ଓ ଜମିବାଡ଼ି ଛାଡ଼ି ଯାଉଥିବା ଗ୍ରାମବାସୀଙ୍କ ସମସ୍ୟା ଓ ଦୁଃଖ ନ ଶୁଣି ଜବରଦସ୍ତ ତଡ଼ିଦେବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଏପରି ସମୟରେ ‘ବୁଡ଼ିଯାଉଥିବା ଲୋକକୁ କୁଟାଖିଅ ସାହାରା ଭଳି ଶୁକ୍ରବାର ଗାଁରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଯଜ୍ଞେଶ୍ବର ବିଶ୍ବାଳ, ଅରବିନ୍ଦ ଗଡ଼ତ୍ୟା, ମିତ୍ରଭାନୁ ଛତ୍ରିଆ, ଦୁତିଆ ଗଡ଼ତ୍ୟା, ଗୋପୀନାଥ ପଧାନ ଓ ପାଞ୍ଚାଳି ପଧାନ ପ୍ରମୁଖ ଶତାଧିକ ଗ୍ରାମବାସୀ ସ୍ଥାନୀୟ ମନ୍ଦିର ନିକଟରେ ଜମା ହୋଇଥିଲେ। ସେମାନେ ସରକାରଙ୍କ ବିସ୍ଥାପନ ନୀତିର ତୀବ୍ର ସମାଲୋଚନା କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିସ୍ଥାପିତ ପରିବାରଗୁଡ଼ିକୁ ସମସ୍ତ ପ୍ରାପ୍ୟ ମିଳିନାହିଁ କି ଉପଯୁକ୍ତ ଥଇଥାନ ମଧ୍ୟ କରାଯାଇ ନାହିଁ। ପ୍ରାୟ ୫୦୦ରୁ ର୍ଦ୍ଧ୍ବ ପରିବାର ବିସ୍ଥାପିତ ହେବାକୁ ଥିବାବେଳେ
ଝାଙ୍କରପାଲିଠାରେ ଗୋରୁ ଗୁହାଳ ଭଳି ମାତ୍ର ୫୦/୬୦ ଟି ଟିଣଛପର ଘର ଦିଆଯାଇଛି। ମିତ୍ରଭାନୁ ଛତ୍ରିଆଙ୍କ କହିବା ଅନୁଯାୟୀ, ଡୁଙ୍ଗୁରିପାଲିସ୍ଥିତ ତାଙ୍କର ଘରକୁ ପ୍ରଶାସନ ଭାଙ୍ଗିଦେଇ ଝାଙ୍କରପାଲିଠାରେ ଏକ ଟିଣଛପର ଘର ଦେଇଛି। ଏହାର କାନ୍ଥରେ ଫାଟ ସୃଷ୍ଟି ହେଲାଣି। କୌଣସି ମୂହୁର୍ତ୍ତରେ ଭାଙ୍ଗିଯିବା ଆଶଙ୍କା ଥିବାରୁ ବର୍ଷାଦିନେ ପରିବାରକୁ କେଉଁଠି ରଖିବେ ବୋଲି କୋହଭରା କଣ୍ଠରେ କହିଛନ୍ତି।
ଝାଙ୍କରପାଲିଠାରେ ୧୫/୨୦ ଫୁଟ ଖାଲୁଆ ଜମିରେ ନୂଆମାଟି ପକାଇ ପ୍ରଶାସନ ଥଇଥାନ ଉଦ୍ୟମ କରୁଛି। ଏଭଳି ଜମିରେ ଘର ତିଆରି କରି ରହିବା ସମ୍ଭବ କି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବହୁ ପରିବାରକୁ ସେମାନଙ୍କ ସମସ୍ତ ପ୍ରାପ୍ୟ ଦିଆଯାଇ ନ ଥିବାବେଳେ ପ୍ରକଳ୍ପରେ ଜଳ ଭର୍ତ୍ତି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟଗ୍ରାମକୁ ସ୍ଥାନାନ୍ତର ନିମନ୍ତେ ପରିବହନ ଖର୍ଚ୍ଚ ବାବଦକୁ ପ୍ରାୟ ୪୨ ହଜାର ଟଙ୍କା ଦେବାକୁ ରହିଛି ସରକାରୀ ବ୍ୟବସ୍ଥା। ସେଥିରୁ ମଧ୍ୟ ସରକାରୀ ଅଧିକାରୀମାନେ ବାଟମାରଣା କରୁଥିବା ଭଳି ସଂଗୀନ ଅଭିଯୋଗ ହୋଇଛି। ଉକ୍ତ ପ୍ରକଳ୍ପରେ ଧୀରେ ଧୀରେ ନଦୀଜଳ ବୃଦ୍ଧି ପାଉଥିବା ବେଳେ ଅଧିକ ବର୍ଷା ହେଲେ ହଠାତ୍ ସମସ୍ତ ଘର ବୁଡ଼ିଯିବା ଆଶଙ୍କା ଗ୍ରାମବାସୀଙ୍କୁ ଘାରୁଛି। ଏଭଳି ସ୍ଥିତିରେ ‘ବୋଝ ଉପରେ ନଳିତାବିଡ଼ା ପରି ବିସ୍ଥାପିତ ହେବାକୁଥିବା ଗାଁଗୁଡ଼ିକରେ ପ୍ରଶାସନ ୨ ଦିନ ହେଲା ବିଦ୍ୟୁତ୍ ସେବା ଓ ପାନୀୟ ଜଳ ଯୋଗାଣ ବନ୍ଦ କରି ଦେଇଥିବାରୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହା ବିସ୍ଥାପିତଙ୍କ ପ୍ରତି ସରକାରଙ୍କ ଅମାନବୀୟ ନୀତି କହି ତୀବ୍ର ନିନ୍ଦା କରିଛନ୍ତି।
ଡୁଙ୍ଗୁରିପାଲି ଗ୍ରାମର ମଧୁସୂଦନ ସାହୁ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ତ୍ରୀ ଅମ୍ବିକାଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ମଧ୍ୟ ଘରେ ଅଚଳ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କ ସେବାପାଇଁ କୌଣସି ସହଯୋଗୀ ନ ଥିବାରୁ ହଠାତ୍ ପାଣି ମାଡ଼ିଆସିଲେ କେଉଁଠାକୁ ଯିବେ ବୋଲି କାନ୍ଦି କାନ୍ଦି କହିଛନ୍ତି। ଗ୍ରାମର ବହୁ ଅସହାୟ ବୟସ୍କା ମହଳାଙ୍କ ଅବସ୍ଥା ମଧ୍ୟ ତଦ୍ରୁପ। ସେମାନେ କିପରି ଓ କେଉଁଠାକୁ ଯିବେ ବୋଲି ଚିନ୍ତାଗ୍ରସ୍ତ ଅଛନ୍ତି। ଅନ୍ତତଃ କିଛିମାସ ମଧ୍ୟରେ ସମସ୍ତ ପ୍ରାପ୍ୟ ପ୍ରଦାନ ପୂର୍ବକ ସେମାନଙ୍କୁ ଥଇଥାନ କରି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି।