ନାକଟିଦେଉଳ: ସମ୍ବଲପୁରଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ଟିକିଲିପଡ଼ା ଗ୍ରାମ ଜଙ୍ଗଲ ଚାଷଜମି ନିକଟରେ ଶନିବାର ରାତିରେ ଏକ ମାଈହାତୀର ବିଦ୍ୟୁତ୍‌ ଆଘାତ‌ରେ ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୭ ବର୍ଷ ହେବ ବୋଲି ବନ ବିଭାଗ କହିଛି। ଘଟଣାସ୍ଥଳରେ ଆର୍‌ସିସିଏଫ୍‌ ଟି. ଅଶୋକ କୁମାର, ରେଢ଼ାଖୋଲ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡ. ଏଲାବରେସନ କେ., ଏସିଏଫ୍‌ ଗଜେନ୍ଦ୍ର ଅନ୍ଦାଜ, ମାଳତୀଲତା ହାଁସଦା, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା, ବନପାଳ ଅରୁଣ ବେହେରା ପ୍ରମୁଖ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। 

Advertisment

sfhhfshfs

ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଭୁବନେଶ୍ବରରୁ ଅତିରିକ୍ତ ପିସିସିଏଫ୍‌ଙ୍କ ସହ ଏକ ସ୍ବତନ୍ତ୍ର ଟିମ୍ ନାକଟିଦେଉଳ ଅଭିମୁଖେ ଗସ୍ତ କରିଛନ୍ତି। ଏହି ଘଟଣାରେ ବନ ବିଭାଗ ଜଣକୁ ଅଟକ ରଖିଛି। ନାକଟିଦେଉଳ ଅଞ୍ଚଳରେ ବହୁଦିନ ହେଲା ହାତୀପଲ ଉପଦ୍ରବ କରୁଛନ୍ତି। ବନ ବିଭାଗ ପକ୍ଷରୁ ସ୍ଥାୟୀ ପଦକ୍ଷେପ କିଛି ନିଆଯାଉ ନାହିଁ। ଏପରିକି ଠିକ୍‌ ଭାବେ ପାଟ୍ରୋଲିଂ ମଧ୍ୟ ହେଉନି। ସ୍ଥାନୀୟ ଲୋକେ ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ସୌରଚାଳିତ ତାରବାଡ଼ ଘେରାଉଛନ୍ତି। ଫଳରେ ହାତୀ ଅଳ୍ପ ବିଦ୍ୟୁତ୍‌ ଝଟ୍‌କା ପାଇ ପଳାଇଯାଆନ୍ତି। କିନ୍ତୁ ଗତରାତିରେ କେହି ଜଣେ ଗାଁକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‌ ତାରରୁ ସିଧାସଳଖ ତାର ଟାଣି ବିଛାଇ ଦେଇଥିଲା। ଫଳ‌ରେ ହାତୀଟିର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବାରମ୍ବାର ନାକଟିଦେଉଳ ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟିବା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ନାକଟିଦେଉଳ ରେଞ୍ଜ ଅଞ୍ଚଳରେ ଏହା ପୂର୍ବରୁ ଗତ ଅଗଷ୍ଟ ୨୦୨୪ରେ ଏକ ମାଈହାତୀ, ୧୮ ନଭେମ୍ବର ୨୦୨୪ରେ ବୋରମାଲ ପଞ୍ଚାୟତରେ ଶିକାରୀଙ୍କ ଦ୍ବାରା ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବାଟଗାଁ ସେକ୍ସନ୍‌ ଅନ୍ତର୍ଗତ ସାଲେଭଟା ପଞ୍ଚାୟତ ଅଞ୍ଚଳରେ ମଧ୍ୟ ବର୍ଷକ ତଳେ ଗୋଟିଏ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା।