ଶଠିଲୋ ଗ୍ରାମରେ ୪ ଘଣ୍ଟା ବିଦ୍ୟୁତ କର୍ମଚାରୀ ଅଟକ

ବାଲିଅନ୍ତା:ସ୍ଥାନୀୟ ଶଠିଲୋ ଗ୍ରାମରେ ବିଦ୍ୟୁତ ଲାଇନ କାଟିବାକୁ କେନ୍ଦ୍ର କରି ଭୀଷଣ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଉପଭୋକ୍ତା ଏବଂ ତାଙ୍କ ସମର୍ଥକମାନେ ଦୀର୍ଘ ୪ଘଣ୍ଟା ଧରି ବାଲିପାଟଣା ବିଦ୍ୟୁତ ସେକସନର ୭ ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଥିଲେ। ପୁଲିସ ହସ୍ତକ୍ଷେପ କରିବା ପରେ ଘଟଣାର ଆପୋଷ ସମାଧାନ ହୋଇଥିଲା। ନିର୍ଦ୍ଧାରିତ ବକେୟା ବିଦ୍ୟୁତ ବିଲ ପୈଠ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏବଂ ଅଟକ ବିଦ୍ୟୁତ କର୍ମଚାରୀ ଯାଇ ମୁକୁଳି ଥିଲେ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପାଉଁରୁଟି ଫ୍ୟାକ୍ଟ୍ରି କରିଥିବା ଜଣେ ଉପଭୋକ୍ତଙ୍କ ଉପରେ ଲକ୍ଷାଧିକ ଟଙ୍କା ବିଦ୍ୟୁତ ବିଲ ଥିବା ବେଳେ ନିୟମିତ ବିଲ ପୈଠ କରୁନଥିଲେ।

ତେଣୁ ଆଜି ଅପରାହ୍ନ ୨ଟା ସମୟରେ ଗାଁରେ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ଖୁଣ୍ଟରୁ  ଲାଇନ କାଟି ଦେଇଥିଲେ। ସୂଚନା ଅନୁସାରେ ବିଭାଗୀୟ କର୍ମଚାରୀ ବକେୟା ବିଦ୍ୟୁତ ବିଲର ୫୦ ପ୍ରତିଶତ ଦେବାକୁ ଦାବି କରିଥିଲେ। ହେଲେ ସଂପୃକ୍ତ ଉପଭୋକ୍ତା ୩୫ ହଜାର ଟଙ୍କା ଦେବାକୁ ଅନୁରୋଧ କରିଥିଲେ।  କର୍ମଚାରୀମାନେ ଜୋରଜବରଦସ୍ତି ଖୁଣ୍ଟରୁ ଲାଇନ ବିଚ୍ଛିନ୍ନ କରି ଦେବାରୁ ଉତ୍ତେଜନା ଦେଖାଦେଇଥିଲା। ଏନେଇ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଫ୍ୟାକ୍ଟ୍ରି ମାଲିକଙ୍କ ସମେତ ତାଙ୍କ ସଂପର୍କୀୟ ଦୀର୍ଘ ୪ ଘଣ୍ଟା ଧରି କର୍ମଚାରୀଙ୍କୁ ଅଟକାଇ ରଖିଥିଲେ। ଖବର ପାଇ ବାଲିଅନ୍ତା ପିସିଆର ପୁଲିସ ପହଞ୍ଚିପରେ ପରେ ଘଟଣାର ଆପୋଷ ସମାଧାନ ହୋଇଥିଲା। ଉପଭୋକ୍ତା ଦାବି ମୁତାବକ ୫୦ ହଜାର ଟଙ୍କା ବିଲ ଦେବା ପରେ ବିଦ୍ୟୁତ ସଂଯୋଗ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର