ଇଲେକ୍ଟ୍ରୋ ହୋମିଓପ୍ୟାଥିକୁ ସରକାରୀ ମାନ୍ୟତା ଦାବି

ଭୁବନେଶ୍ବର : ଇଲେକ୍ଟ୍ରୋ ହୋମିଓପ୍ୟାଥିକୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛି ରାଜ୍ୟ ଇଲେକ୍ଟ୍ରୋପ୍ୟାଥିକ ଫିଜିସିଆନ୍‌ସ ଆସୋସିଏସନ୍ ବା ଏସ୍‌ଇପିଏ। ରାଜସ୍ଥାନ ସରକାର ଏହାକୁ ମାନ୍ୟତା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଆଗେଇ ଆସନ୍ତୁ ବୋଲି ଡା.ସରୋଜ କୁମାର ସାହୁ କହିଛନ୍ତି।

ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା.ସାହୁ କହିଲେ, ଜାତୀୟ ଇଲେକ୍ଟ୍ରୋ ହୋମିଓପ୍ୟାଥିକ ମେଡିକସ୍ ବା ଏନ୍‌ଇଏଚ୍‌ଏମ୍ ପକ୍ଷରୁ ଦେଶବ୍ୟାପୀ ଇଲେକ୍ଟ୍ରୋ ହୋମିଓପ୍ୟାଥିକ ଡାକ୍ତରଙ୍କୁ ପ୍ରାକ୍ଟିସ୍ କରିବାର ଅନୁମତି ଦିଆଯାଇଛି। ରାଜ୍ୟରେ ୩ ହଜାରରୁ ଅଧିକ ଓ ଦେଶରେ ପ୍ରାୟ ୧ଲକ୍ଷ ଇଲେକ୍ଟ୍ରୋ ହୋମିଓପ୍ୟାଥିକ୍ ଡାକ୍ତର ରହିଛନ୍ତି। ଇଲେକ୍ଟ୍ରୋ ହୋମିଓପ୍ୟାଥିକର କୌଣସି ପ୍ରକାର ପ୍ରତିକ୍ରିୟା ନାହିଁ। ବିଶ୍ବରେ ଯେତେ ପ୍ରକାର ଚିକିତ୍ସା ରହିଛି ଇଲେକ୍ଟ୍ରୋ ହୋମିଓପ୍ୟାଥିରେ ହର୍ବାଲ ଔଷଧ ବ୍ୟବହାର କରାଯାଇଥାଏ। ଶ୍ବାସ, କର୍କଟ, ବୃକକ୍, ଚକ୍ଷୁ, ଗଳା, ନାଶା, ସିଫିଲିସ୍ ଓ ଅନ୍ୟାନ୍ୟ ରୋଗ ଇଲେକ୍ଟ୍ରୋ ହୋମିଓପ୍ୟାଥି ଦ୍ବାରା ଚିକିତ୍ସା ହୋଇପାରୁଛି। ମାତ୍ର ରାଜ୍ୟରେ ଇଲେକ୍ଟ୍ରୋ ହୋମିଓପ୍ୟାଥିକ ଡାକ୍ତରଙ୍କ ପଞ୍ଜୀକରଣ ପାଇଁ କୌଣସି କାଉନ୍‌ସିଲ ନାହିଁ। ରାଜ୍ୟରେ ଠିକ୍‌ରେ ଏହାର ପ୍ରଚାର ପ୍ରସାର ହୋଇପାରୁ ନାହିଁ, ଫଳରେ ସାଧାରଣ ଲୋକଙ୍କ ନିକଟରେ ଏହି ଚିକିତ୍ସା ପହଞ୍ଚି ପାରୁନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ଡା.ମନୋଜ କୁମାର ମହଲା, ସର୍ବଭାରତୀୟ ‌ଇଲେକ୍ଟ୍ରୋହୋମିଓପ୍ୟାଥିକ ସଂଘର ଉପଦେଷ୍ଟା ଡା.ଏସ୍.ହକ୍ ଦୁରାନି ଓ ପଶ୍ଚିମବଙ୍ଗ ଇଲେକ୍ଟ୍ରୋହୋମିଓପ୍ୟାଥିକ ଫିଜିସିଆନ୍‌ ସଂଘର ସଭାପତି ଡା.ଆନନ୍ଦ ପ୍ରସାଦ ମୌର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର