ଢେଙ୍କାନାଳ: ଜିଲ୍ଲାରେ ହାତୀ ଉପଦ୍ରବ ଏବଂ ହାତୀ ମଣିଷ ଲଢେଇ ଦିନକୁ ଦିନ ବଢିବାରେ ଲାଗିଛି । ନିୟମିତ ବ୍ୟବଧାନରେ ହାତୀ ମଣିଷର ଜୀବନ ନେବା ଘଟଣା ସଂପ୍ରତି ଚିନ୍ତାର ବିଷୟ ପାଲଟିଛି । ସଦର ରେଞ୍ଜ ଦିନବନ୍ଧୁପୁର ହନୁମାନ ମନ୍ଦିର ନିକଟରେ ଆଜି ସଂଧ୍ୟାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ୪ଦିନ ମଧ୍ୟରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସଦର ଥାନା କାଳିକାପ୍ରସାଦଗ୍ରାମ ପଂଚାୟତ କରଡାମଡା ଗ୍ରାମର ଶରତ ଦେହୁରୀ (୫୦) ଆଜି ସଂଧ୍ୟାରେ ଗ୍ରାମ ନିକଟସ୍ଥ ଆମ୍ବ ବଗିଚାକୁ ଆମ୍ବ ଗୋଟେଇବା ଲାଗି ଯାଇଥିଲେ। ଦିନବନ୍ଧୁପୁର ହନୁମାନ ମନ୍ଦିର ନିକଟରେ ଏକ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ଖବର ପାଇ ବନ ବିଭାଗକର୍ମଚାରୀ ଘଟଣା ସ୍ଥଳରେ ପହଂଚିଥିବା ଏସିଏଫ୍ ସୁବ୍ରତ ପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଗତ ୨୯ ତାରିଖ ରାତ୍ରିରେ ସଦର ରେଞ୍ଜ୍ ବଳଦିଆବନ୍ଧ ଗ୍ରାମପଂଚାୟତର କୁରୁମଟାଙ୍ଗର ଗ୍ରାମର ଶ୍ରୀକାନ୍ତ ପରିଡାଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଗତ ୬ ତାରିଖରେ ଗଁଦିଆ ଥାନା ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ନେଉଳପୋଇ ଗ୍ରାମର କ୍ଷୀରୋଦ ସାମଲ (୩୮) ଆମ୍ବ ତୋଳିବାକୁ ଯାଇଥିବା ବେଳେ ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରି ବୀଭତ୍ସ ଭାବେ ମାରିଥିଲା ।