କେନ୍ଦୁଝରର ବିଭିନ୍ନ ସ୍ଥାନରେ ହାତୀ ଉତ୍ପାତ: ଧାନ ଓ ପରିବା ଖାଇଲେ, ଘର ଭାଙ୍ଗିଲେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହାତୀ ଉତ୍ପାତ ଦେଖିବାକୁ ମିଳିଛି। କେଉଁଠି ଧାନ ଓ ପରିବା  ଖାଇବା ସହ କେଉଁଠି ଘର ଭାଙ୍ଗିଛି ହାତୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ବିଜେପି ରେଞ୍ଜରେ ଥମୁନି ଗୋଠଛଡ଼ା ଦନ୍ତାର ଉତ୍ପାତ। ହାତୀପଲରୁ ବାହାରି ଏକୁଟିଆ ଘୁରି ବୁଲୁଥିବା ଦନ୍ତାଟି ପ୍ରତିଦିନ ବିଭିନ୍ନ ଗ୍ରାମରେ ପଶି ଘରଦ୍ବାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି। ୨ ତାରିଖ ରାତିରେ ଦନ୍ତାହାତୀଟି ରେଙ୍ଗାଳବେଡ଼ା ଗ୍ରାମରେ ପଶି ଘରଦ୍ବାର ଭାଙ୍ଗିଛି। ହାତୀ ଭୟରେ ଉକ୍ତ ଗ୍ରାମର ୪ଟି ପରିବାର ଗାଁ ଛାଡ଼ି ପାଖ ଗାଁରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ହାତୀ ଭୟରେ ଉକ୍ତ ଗ୍ରାମରେ ରହିବାକୁ ସମ୍ପୃକ୍ତ ପରିବାର ନିରାପଦ ମଣିନାହାନ୍ତି। ଗତକାଲି ବୁଧୁ, ଗଙ୍ଗ‌ା, ଜାନୁ ଓ ସୁବନଙ୍କ ପରିବାର ଘରର ସମସ୍ତ ଆସବାବପତ୍ର ଧରି ଗାଁ ଛାଡ଼ିଛନ୍ତି। ସେମାନେ ନିକଟସ୍ଥ କାଇଯୋଡ଼ା ଗ୍ରାମରେ ନିଜନିଜ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି।

ସେହିଭଳି ତେଲକୋଇ ବନାଞ୍ଚଳ ଖୁଣ୍ଟାପଡ଼ା ଗାଁରେ ଗତକାଲି ରାତିରେ ଏକ ଦନ୍ତାହାତୀ ପଶି ଧାନ ଓ ପରିବା ଖାଇଛି। ରାତି ପ୍ରାୟ ଗୋଟାଏ ବେଳେ ହାତୀଟି ପ୍ରଦୀପ କୁମାର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ରମେଶ ଚନ୍ଦ୍ର ସାହୁ, ଯୁଧିଷ୍ଠିର ପ୍ରଧାନ, ବାମଦେବ ସାହୁ, ଦିଲୀପ କୁମାର ପ୍ରଧାନ, ଭଗବାନ ବେହେରା ଓ ଭିକାରି ସାହୁଙ୍କ ବାରଣ୍ଡା ଏବଂ ଖଳାରେ ଥିବା ଧାନ ଖାଇଥିଲା। ବଗିଚାରେ ପଶି ଆଳୁ, କୋବି, ବିଲାତି, ମଟର, ଗାଜର, ବାଇଗଣ, ମକା ଆଦି ପରିବା ଖାଇବା ସହ ମାଡ଼ିଦଳି ଫସଲ ନଷ୍ଟ କରିଛି। ଏନେଇ ଚାଷୀମାନେ ବନ ବିଭାଗ ପାଖରେ ଅଭିଯୋଗ କରିଛନ୍ତି। ଉକ୍ତ ହାତୀଟି କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଛି। ଖୁଣ୍ଟାପଡ଼ା, କନ୍ତଲେଇ, କୁଲାଡେରା, ଦୁଲ୍ଲଭପୁର, ବନବିହାରୀପୁର, ବାଲେଶ୍ଵର, ଉଦୟଗିରି, ଦେଉଳଡିହା, ଭୀମକାଣ୍ଡ, ଆକୁଳ, ଗୋଳାଗାଡ଼ିଆ, ନୂଆଗଡ଼, ଦୋବଲାପାଳ, ତେଲକୋଇ ପ୍ରଭୃତି ଗ୍ରାମରେ ପଶି ଉତ୍ପାତ କରୁଛି।

ସମ୍ବନ୍ଧିତ ଖବର