ହାତୀ ମଣିଷ ଲଢ଼େଇ ଚିନ୍ତା: ‘ସମ୍ବାଦ’ ସମ୍ପାଦକଙ୍କୁ ପୁସ୍ତକ ଅର୍ପଣ କଲା ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ

ଭୁବନେଶ୍ବର: ହାତୀ ମଣିଷ ଲଢ଼େଇରେ ଯେଭଳି ଶୂନ କ୍ଷୟକ୍ଷତି ହେବ ସେ ନେଇ ପ୍ରୟାସ ଜାରି ରଖିଛି ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେସନ। ଆଜି ବିଶ୍ବ ପୁସ୍ତକ ଦିବସ ଅବସରରେ ଫାଉଣ୍ଡେସନର ସଦସ୍ୟ ଜିତଶତ୍ରୁ ମହାନ୍ତି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବାଦ ଭବନରେ ଭେଟି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ ପାଇଥିବା ଦୁଇଟି ପୁସ୍ତକ ପ୍ରଦାନ କରିଛନ୍ତି। ଏହା ଆହୁରି କିଭଳି ବ୍ୟାପକ ହୋଇ ପାରିବ ସେ ନେଇ ଶ୍ରୀ ପଟ୍ଟନାୟକ ତାଙ୍କୁ ପରାମର୍ଶ ଦେଇଛନ୍ତି।

ପୁସ୍ତକ ଦୁଇଟି ହେଉଛି ହାତୀ ଆମର ସାଥୀ(ଓଡ଼ିଆ) ଓ ଦ ସିକ୍ରେଟ୍‌ ଅଫ୍‌ ଶିମିଳିପାଳ(ଇଂରାଜୀ)। ହାତୀ ଆମର ସାଥୀରେ ୩ଟି ପ୍ରବନ୍ଧ ରହିଛି। ‘ହାତୀ ପାଇଁ ହାତଟିଏ’କୁ ଅବସରପ୍ରାପ୍ତ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକ ଲେଖିଥିବା ବେଳେ ଅବସରପ୍ରାପ୍ତ ବନ ସଂରକ୍ଷକ ଜିତଶତ୍ରୁ ମହାନ୍ତି ‘ହାତୀ ପାଇଁ ସାଥୀଟିଏ’ ଲେଖିଛନ୍ତି। ସେହିଭଳି ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ ‘ହାତୀ ପାଇଁ ସଂସ୍ଥାଟିଏ’ ଲେଖିଛନ୍ତି। ହାତୀ-ମଣିଷଙ୍କ ମଧ୍ୟରେ ଥିବା ସମସ୍ୟା ଓ ତାର ସମାଧାନ ଦିଗରେ ରହିଥିବା ପ୍ରତ୍ୟେକ ପ୍ରସଙ୍ଗକୁ ଏହି ତିନୋଟି ଆଲେଖ୍ୟରେ ବୁଝାଇବାକୁ ଉଦ୍ୟମ କରାଯାଇଛି। ‘ଦ ସିକ୍ରେଟ୍‌ ଅଫ୍‌ ଶିମିଳିପାଳ’ ରେ ଶିମିଳିପାଳରେ ସବୁଠାରୁ ଅଧିକ ହାତୀ ରହିଥିବା‌ରୁ ସେମାନଙ୍କର ସୁରକ୍ଷାକୁ ନେଇ ରହିଥିବା ସମସ୍ୟା ଓ ସମାଧାନର ବାଟ ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି। ହାତୀ ଓ ମଣିଷ ଲଢ଼େଇ ଯେଭଳି ନ ହୁଏ ବା ଏହି ପ୍ରସଙ୍ଗରେ ଯେଭଳି କ୍ଷୟକ୍ଷତି ଶୂନ ହୁଏ ସେଥିପାଇଁ ଫାଉଣ୍ଡେସନ ଉଦ୍ୟମ କରୁଛି। ଏଥିପାଇଁ ବିଭିନ୍ନ ହଟ୍‌ସ୍ପଟ୍‌ରେ ‘ହାତୀ ପାଇଁ ସାଥୀ’ ଗଠନ ହୋଇଛି। ଯେଉଁଥିପାଇଁ ହାତୀ ମଣିଷ ଲଢ଼େଇର ହଟ୍‌ସ୍ପଟ୍‌ ପାଲଟିଥିବା ଖୁଣ୍ଟୁଣି ଅଞ୍ଚଳରେ ଗତ ଦୁଇବର୍ଷରେ ମୃତାହତଙ୍କ ସଂଖ୍ୟା ଶୂନ ରହିଥିବା ଫାଉଣ୍ଡେସନ ଦାବି କରିଛି। ସମସ୍ତଙ୍କର ସହଯୋଗରେ ଆଗକୁ କିଭଳି ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ଉଦ୍ୟମ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଲକ୍ଷ୍ୟ ପୂରଣ ପାଇଁ ଆଜି ସମ୍ବାଦ ସମ୍ପାଦକ ଶ୍ରୀ ପଟ୍ଟନାୟକ ଦେଇଥିବା ପରାମର୍ଶ ଉପଯୋଗୀ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର