ବିପଦରେ ହାତୀ

କେନ୍ଦୁଝର/ଦଶପଲ୍ଲା: ଘଟଗାଁ ରେଞ୍ଜ ପୁରୁମୁଣ୍ଡା ପଞ୍ଚାୟତ ଅସନବାହାଳି ଗ୍ରାମ ନିକଟ ବାରବାଙ୍କ ସଂରକ୍ଷିତ ଜଙ୍ଗଲରୁ କେନ୍ଦୁଝର ବନ ବିଭାଗ ଆଜି ଏକ ମାଈହାତୀର ମୃତଦେହ ଉଦ୍ଧାର କରିଛି। ହାତୀଟି ଏକ ଗଛମୂଳେ ମରି ପଡ଼ିଥିବା ବେଳେ ଶରୀର ଫୁଲି ଯାଇଥିଲା। ମୃତ ହାତୀର ଜିଭ କଳା ପଡ଼ିଯାଇଛି। କେତେକ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତକାଲି ହାତୀଟି ବହୁତ ଜୋର୍‌ରେ ଗର୍ଜନ କରୁଥିଲା। ଆଜି ସକାଳେ ତା’ର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ‌କରାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ନୟାଗଡ଼ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ଛାମୁଣ୍ତିଆ ବନାଞ୍ଚଳର ବଡ଼ମୂଳ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ୩୦ ତାରିଖ ଦିନ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ହାତୀ ହାତୀ ମଧ୍ୟରେ ମାଡ଼ଗୋଳ ଲାଗି ହାତୀଟି କ୍ଷତବିକ୍ଷତ ହେବା ସହ ସଂକ୍ରମଣ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ଛାମୁଣ୍ତିଆ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ପ୍ରକାଶ କରିଛନ୍ତି। ତେବେ, ହାତୀଟିକୁ ଶିକାରୀମାନେ ଗୁଳି କରିଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର