ବେତନଟୀ/ଛେଣ୍ଡିପଦା: ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରେ ଆଜି ଦନ୍ତାହାତୀ ଆକ୍ରମଣରେ ୨ ଜଣ ବୃଦ୍ଧ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ୍ ଦାନ୍ତିଆମୁଁହା ପଞ୍ଚାୟତ ଜାମୁଗୋଧା ଗ୍ରାମର ଗଜେନ୍ଦ୍ର ମହାନ୍ତ(୬୫)ଙ୍କର ଏକ ଦନ୍ତା ଆକ୍ରମଣରେ ଜୀବନ ଯାଇଛି। ସ୍ଥାନୀୟ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଥିବା ଗଜେନ୍ଦ୍ର ଭୋର ସମୟରେ ନିକଟସ୍ଥ ଜଙ୍ଗଲ ବୁଲିବା ସହ ଚାଷ ଜମିଆଡ଼କୁ ଯାଉଥିଲେ। ବାଟରେ ହଠାତ୍ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଗଜେନ୍ଦ୍ରଙ୍କୁ ଶୁଣ୍ଢରେ ଟେକିନେଇ ଏକାଧିକ ଥର କଚାଡ଼ି କଚାଡ଼ି ମାରିଦେଇଥିଲା। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ସେହିଭଳି, ଅନୁଗୁଳ ଜିଲ୍ଲା ଟାଙ୍ଗିରି ପଞ୍ଚାୟତ ବାରମଞ୍ଚା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ନାୟକ(୭୦) ଏକ ଦନ୍ତାହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ହୃଷୀକେଶ ସାଇକେଲରେ ଯାଉଥିବାବେଳେ ଧାଙ୍ଗରୁମୁଣ୍ଡା ଗ୍ରାମର ଆମ୍ବତୋଟାରୁ ଏକ ଦନ୍ତା ହାତୀ ବାହାରି ତାଙ୍କୁ ଆକ୍ରମଣ କରିବା ସହ ସାଇକେଲକୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହୃଷୀକେଶଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଓ ଛେଣ୍ଡିପଦା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି।