ହିନ୍ଦୋଳ: ଢେଙ୍କାନାଳଜିଲ୍ଲା ହିନ୍ଦୋଳରେ ହାତୀ-ମଣିଷ ଲଢ଼େଇ ଚରମ ସୀମାରେ ପହଞ୍ଚିଛି। ଆଜି ଭୋର୍ରେ ହାତୀ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି। କ୍ଷତିପୂରଣ ସାଙ୍ଗକୁ ଅଞ୍ଚଳବାସୀଙ୍କୁ ହାତୀଦାଉରୁ ରକ୍ଷା କରିବାକୁ ସାତମାଇଲ ଛକଠାରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ୫ ଘଣ୍ଟା କାଳ ଯାତାୟାତ ଠପ୍ ହୋଇଯାଇଥିଲା। ହାତୀ ଆକ୍ରମଣରେ ମୃତକମାନେ ହେଲେ ନୂଆବାଗ ପଞ୍ଚାୟତ ବାଘଧରିଆ ଗାଁର ପ୍ରଦ୍ୟୁମ୍ନ ଦେହୁରୀଙ୍କ ପତ୍ନୀ ଝୁଲଣ ଦେହୁରୀ (୫୫), ଝୁଲଣଙ୍କ ଦେଡ଼ଶୁର କରୁଣାକର ଦେହୁରୀ (୬୦) ଓ ବେଣୁଧର ସାହୁଙ୍କ ପତ୍ନୀ ଶଶି ସାହୁ(୬୦)। ଏହି ଘଟଣା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଗଭୀର ଦୁଃଖପ୍ରକାଶ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟର୍ ଲୁସ୍ମିତା ସିଂହ ଓ ରେଞ୍ଜର ଗୌତମ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି।
ନିକଟସ୍ଥ ଜଙ୍ଗଲରୁ ମା’, ଛୁଆ ଓ ଏକ ଦନ୍ତାହାତୀ ବାଘଧରିଆ ଗାଁକୁ ପଶି ଆସିଥିଲେ। ଆଜି ଭୋର୍ରେ ଝୁଲଣ ଦେହୁରୀ ଫୁଲ ତୋଳୁଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତା ତାଙ୍କୁ ଶୁଣ୍ଢରେ କଚାଡ଼ି ମାରିଥିଲା। ହୋହଲ୍ଲା ଶୁଣି ଝୁଲଣଙ୍କ ଦେଡ଼ଶୁର କରୁଣାକର ଦେହୁରୀ ଆସିଯିବାରୁ ଏକ ମାଈହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ କରୁଣାକରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ସେହିପରି ଗାଁର ବେଣୁଧର ସାହୁଙ୍କ ପତ୍ନୀ ଶଶି ସାହୁ ମଧ୍ୟ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନା ଓ ପରେ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅନୁଗୁଳ ଡାକ୍ତରଖାନାରେ ଶଶିଙ୍କର ମୃତ୍ୟୁ ହୋଇଥିଲା।
ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଗାଁ ଚାରିପାଖରେ ସୌରବାଡ଼ ବ୍ୟବସ୍ଥା କରିବା ଦାବିରେ ଗ୍ରାମବାସୀ ସାତମାଇଲ ମୁଖ୍ୟ ରାସ୍ତାରେ ଶବ ରଖି ଧାରଣା ଦେଇଥିଲେ। ଏଥିରେ ଆଖପାଖ ଗାଁର ଲୋକ ମଧ୍ୟ ସାମିଲ ହୋଇଥିଲେ। ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଖବରପାଇ ଏସ୍ଡିପିଓ ସତ୍ୟକୁମାର ନନ୍ଦ, ଆଇଆଇସି ଚାରୁଲତା ବେହେରା, ରେଞ୍ଜର୍ ଗୌତମ ପ୍ରଧାନ, ନୂଆବାଗ ସରପଞ୍ଚ ମାନସ ଦେହୁରୀ, ଜିଲ୍ଲା କଂଗ୍ରେସ ସଂଯୋଜକ ଛବିରାଜ ବିଶ୍ୱାଳ, ସମାଜସେବୀ ତ୍ରିନାଥ ବେହେରା ଓ ସୁଜନ ବିଶ୍ୱାଳଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁରେ ସୌରବାଡ଼ ବ୍ୟବସ୍ଥା କରାଇବା ସହ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ରେଞ୍ଜର୍ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେବା ସହ ଏସ୍ଡିପିଓ ଶ୍ରୀ ନନ୍ଦ ପ୍ରଶାସନ ପକ୍ଷରୁ ଅତିଶୀଘ୍ର ସହାୟତା ଦିଆଯିବ ବୋଲି କହିଥିଲେ। ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓ ତହସିଲଦାର ଦିଲୀପ କୁମାର ସେଠୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା, ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ସହ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦିଆଯିବ ବୋଲି କହିଥିଲେ। ସେହିପରି ଗାଁ ଚାରିପଟେ ସୌରବାଡ଼ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସୁଧୁରିଥିଲା।
ଉଲ୍ଲେଖଯୋଗ୍ୟ ଯେ ହିନ୍ଦୋଳରେ ହାତୀ-ମଣିଷ ଲଢ଼େଇ ଚରମସୀମାରେ ପହଞ୍ଚିଛି। ହାତୀ ଆକ୍ରମଣରେ ଶହେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବିଭିନ୍ନ କାରଣରୁ ୫୦ରୁ ଅଧିକ ହାତୀଙ୍କର ଜୀବନ ଯାଇଛି। ଆଜି ଗାଁ ଶ୍ମଶାନରେ ଗୋଟିଏ ସ୍ଥାନରେ ୩ ଜଣଙ୍କର ଜୁଇ ଜଳିଛି। ଗାଁରେ ଏହା ପ୍ରଥମ ଘଟଣା ବୋଲି ଗ୍ରାମବାସୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/01/sffss-2025-08-01-02-06-36.jpg)