ଘଟଗାଁ/ ପଣ୍ତାପଡ଼ା : କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇଗଲେଣି ଲୋକେ। ଗତକାଲି ରାତିରେ ଘଟଗାଁ ବ୍ଲକ୍ ବିନିଦା ଗ୍ରାମରେ ହାତୀପଲ ପଶି ଖଳାରେ ଥିବା ଧାନ ଖାଇଯାଇଛନ୍ତି। ବିନିଦା ଗ୍ରାମର ଘାସିନାଥ ମହାପାତ୍ରଙ୍କର ପ୍ରାୟ ଗୋଟିଏ ଟ୍ରାକ୍ଟର ଧାନବିଡ଼ା ଖାଇ ଦେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ସେ କହିଛନ୍ତି। ଧାନ ଅମଳ ପରେ ସେ ଦୁଇତିନି ଟ୍ରାକ୍ଟର ଧାନ ବିଡ଼ାକୁ ଆଣି ଖଳାରେ ରଖିଥିଲେ। ଆଜି ଥ୍ରେସର ମେସିନ ଲଗାଇ ଅମଳ କରିଥାନ୍ତେ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଘରବାଡ଼ିରେ ଥିବା ଧାନଖଳାରେ ପଶି ଧାନବିଡ଼ା ଖାଇ ଦେଇଛନ୍ତି। ଏନେଇ ଘାସିନାଥ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି।

Advertisment

publive-image

ସେହିପରି ପଣ୍ତାପଡ଼ା ଥାନା ଅଧୀନ ବକ୍ସିବାରିଗାଁ କାଣିଝରୀ ନଦୀ ନିକଟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବିଜେପି ରେଞ୍ଜ ଆଡୁ ହାତୀ ଆସି ଜୁଙ୍ଗା ଗ୍ରାମର ଚିତ୍ରସେନ ନାଏକ(୪୬)ଙ୍କ କଦଳୀ ବଗିଚାରେ ପଶିଥିଲେ। ସେଠାରେ କଦଳୀ ଖାଇବା ସହ ଗଛ ଓ କାନ୍ଦି ଭାଙ୍ଗି ନଷ୍ଟ କରିଦେଇଥିଲେ। ୧୪ଟି କଦଳୀ କାନ୍ଦିକୁ ମାଡ଼ିଦଳି ଦେଇଥିଲେ। ନିକଟରେ ହୋଇଥିବା ଫୁଲକୋବି ଚାଷକୁ ମଧ୍ୟ ଦଳି ପକାଇଛନ୍ତି। ବଗିଚାରେ ଥବା ଘରର କାନ୍ଥ ଭାଙ୍ଗି ଦେଇଥିଲେ। ନିକଟସ୍ଥ ଜୁଙ୍ଗା ପଞ୍ଚାୟତ ନୂଆଗାଁ ଗ୍ରାମର ରମେଶ ମହାନ୍ତ(୪୭)ଙ୍କ ବଗିଚାରେ ପଶି ପନିପରିବା ଫସଲକୁ ନଷ୍ଟ କରିଥିବା ଜଣାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି।