ଓଡ଼ାପଡ଼ା : ଅନୁଗୁଳ ଜିଲ୍ଲା ତାଳଚେର ସହରରେ ଆଜି ପ୍ରତ୍ୟୁଷରୁ ଏକ ବଣୁଆ ହାତୀର ଦୌରାତ୍ମ୍ୟରେ ସହରବାସୀ ଥରହର ହେଉଥିଲା ବେଳେ ଠିକ୍ ସେତିକି ବେଳେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଅଂଚଳରେ ଅନ୍ୟ ଏକ ହାତୀର ଉପଦ୍ରବ ଅଂଚଳବ୍ୟାପୀ ଆତଙ୍କ ଖେଳାଇ ଦେଇଛି। ଏହି ବ୍ଲକ୍‌ର ଗୁଡ଼ିଆକାଟେଣୀରେ ଜଣେ ବ୍ୟକ୍ତି ସକାଳେ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲା ବେଳେ ଏକ ଦନ୍ତାହାତୀ ତାଙ୍କୁ ତଳେ କଚାଡ଼ି ନିର୍ମମ ହତ୍ୟା କରିଛି। କେବଳ ସେତିକି ନୁହେଁ, ଅନ୍ୟ ଜଣେ ମହିଳା ମଧ୍ୟ ଏହି ହାତୀ ହାବୁଡ଼ରେ ପଡ଼ି ଆହତ ହୋଇଛନ୍ତି। ତାଳଚେରରେ ରାଜରାସ୍ତାରେ ଜଣେ ବୃଦ୍ଧଙ୍କୁ ହାତୀଟି ଗୋଡ଼ାଇ ମାରିବା ସହ କେତେକ ଘରର ପାଚେରି ମଧ୍ୟ ଭାଙ୍ଗିଦେଇଛି।

Advertisment

ସୂଚନା ଅନୁଯାୟୀ, ହାତୀପଲ ଅପରାହ୍ଣରେ ଓଡ଼ାପଡ଼ା ଜଙ୍ଗଲରୁ ବାହାରି ୫୫ ନମ୍ବର ଜାତୀୟ ରାଜପଥ ପାରିହୋଇ ଗ୍ରାମାଞ୍ଚଳକୁ ଯାଇ ପୁଣି ଭୋରରେ ଜଙ୍ଗଲକୁ ଫେରିଥାଆନ୍ତି। ଗୁଡ଼ିଆକାଟେଣୀ ଅଞ୍ଚଳରେ ପଲେ ହାତୀ ଆଜି ଭୋରରେ ରାଜପଥ ପାରିହୋଇ ଜଙ୍ଗଲ ଅଭିମୁଖେ ଯାଇଥିଲେ। ହେଲେ ପଛରେ ଏକ ଦନ୍ତାହାତୀ ରହିଯାଇଥିଲା। ସକାଳ ପ୍ରାୟ ୬ଟାବେଳେ ଗୁଡ଼ିଆକାଟେଣୀ ଗାଁର ଦୟାନିଧି ସାହୁ(୮୨) ଗାଁ ନିକଟ ପୋଖରୀକୁ ଗାଧୋଇ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ହାତୀ ଟେକି କଚାଡ଼ି ଦେବାରୁ ଘଟଣାସ୍ଥଳରେ ଦୟାନିଧିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେହିପରି ଗାଁର ହିରଣ୍ୟ ସାହୁଙ୍କ ପତ୍ନୀ ରଶ୍ମିତା ସାହୁ ଗାଧୋଇ ଯାଇଥିବାବେଳେ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଗୁଡ଼ିଆକାଟେଣୀଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ସେହିପରି ତାଳଚେର ସହରରେ ଆଜି ଏକ ହାତୀର ‌େଦୗରାତ୍ମ୍ୟ ସହରବାସୀଙ୍କ ନିଦ ହଜାଇ ଦେଇଛି। ଦିନ ତମାମ ତାଳଚେର ପୌରାଞ୍ଚଳର ବାଘୁଆବୋଲ, ଆଇଟିଆଇ କଲୋନି, ହାଟତୋଟା, ଶର୍ମାଛକ, ଦେଉଳବେଡ଼ା ଅଞ୍ଚଳରେ ଏହି ବଣୁଆ ହାତୀ ଉପଦ୍ରବରେ ଆତଙ୍କ ଖେଳିଯାଇଛି। ହାତୀଟି ଗତ ରାତିରେ ସନ୍ଥପଡ଼ା ଅଞ୍ଚଳରୁ କେନାଲ ରାସ୍ତା ଓ ବାଘୁଆବୋଲ ଗ୍ରାମ ଦେଇ ଆଇଟିଆଇ କଲୋନି ଅଞ୍ଚଳରେ ପ୍ରବେଶ କରିଥିଲା। ପାହାନ୍ତା ବେଳକୁ ଏହି ବଣୁଆ ହାତୀ ଶର୍ମା ଛକ ମୁଖ୍ୟ ରାସ୍ତା ଦେଇ ଦେଉଳବେଡ଼ା ଅତିକ୍ରମ କରୁଥିବା ବେଳେ ହଠାତ୍ ସ୍ଥାନୀୟ ଅଞ୍ଚଳର କେଦାରନାଥ ପ୍ରସାଦ (୭୯) ତା’ ସାମନାକୁ ଆସିଯାଇଥିଲେ। ହାତୀଟି ତାଙ୍କୁ ଦଳିଚକଟି ଦୁଇଖଣ୍ଡ କରିଦେଇଥିଲା।