ବସ୍‌କୁ ଗୋଡ଼ାଇ ଆତଙ୍କ ଖେଳାଇଲା ଦନ୍ତା; କାଚ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

ଆମ୍ବତୁମ୍ବା ଗ୍ରାମରେ ୪ ଦିନ ହେଲା ଚୁଲି ଜଳିନି

ଜଳେଶ୍ବର/ଓଲମରା/ରାସଗୋବିନ୍ଦପୁର/ମାଣିଦା : ବାଲେଶ୍ବର ଜିଲ୍ଲା ଜଳେଶ୍ବର ରେଞ୍ଜ ଓ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ମଧ୍ୟସ୍ଥଳରେ ଥିବା ଲୁହାପଡ଼ା ଓ ଘାସମାରୀ ଜଙ୍ଗଲରେ ଗତ ୩ ଦିନ ଧରି ୬୮ ଟିକିଆ ହାତୀପଲ ରହିଥିବାରୁ ବନ ବିଭାଗ ଓ ରାଇବଣିଆ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି। ଏହିଭଳି ପରିସ୍ଥିତିରେ ହଠାତ୍‌ ଏକ ଦନ୍ତାହାତୀ ରାସ୍ତା ଉପରକୁ ଆସି ଏକ ଯାତ୍ରୀବାହୀ ବସ୍‌କୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି। ବସ୍‌ର କାଚ ଭାଙ୍ଗି ଯାଇଥିବାବେଳେ ୨୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ରବିବାର ସକାଳେ ଓଲମରାରୁ ବାଲେଶ୍ବର ଅଭିମୁଖେ ଯାଉଥିବା ତାରିଣୀ ନାମକ ଏକ ଯାତ୍ରୀବାହୀ ବସକୁ ଲୁହାପଡ଼ା ଟିକପଦା ମଧ୍ୟସ୍ଥଳରେ ଥିବା ଜଙ୍ଗଲରୁ ଏକ ଦନ୍ତା ଅଚାନକ ବାହାରି ପଛରୁ ଗୋଡ଼ାଇଥିଲା। ଦନ୍ତାର ଉଗ୍ର ରୂପ ଦେଖି ବସରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ। ଦନ୍ତାଟି ପାଖାପାଖି ୬୦୦ ମିଟର ବସକୁ ପିଛା କରିବା ପରେ ଶୁଣ୍ଢରେ କାଚ ଭାଙ୍ଗି ଦେଇଥିଲା। ବସଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି। ସେହିପରି ଜଙ୍ଗଲକୁ ଲାଗି ଆମ୍ବତୁମ୍ବା ଗ୍ରାମ ରହିଥିବାରୁ ହାତୀ ଆତଙ୍କରେ ଗାଁରେ ଗତ ୪ ଦିନ ଧରି ଲୋକଙ୍କ ଘରେ ଚୁଲି ଜଳି ନାହିଁ। ରାତି କଥା ଅଲଗା, ଦିନ ଦ୍ବିପ୍ରହରରେ ମଧ୍ୟ ଲୋକେ ହାତୀ ଭୟରେ ତାଟି କବାଟ ବନ୍ଦ କରି ଭୋକ ଉପାସରେ ରହୁଥିବା ଲବ ବାସ୍କେ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ୬୮ ଟିକିଆ ହାତୀପଲକୁ ପଶ୍ଚିମବଙ୍ଗର ପାଇକା ରାସ୍ତାରେ ତପୋବନ ଜଙ୍ଗଲକୁ ଫେରାଇବା ପାଇଁ ଆଜିଠାରୁ ସ୍ବତନ୍ତ୍ର ଅପରେସନ ଆରମ୍ଭ ହେଉଛି। ଏସିଏଫ ସୁଶାନ୍ତ ଜେନା ଗତ ଦୁଇଦିନ ଧରି ଜଳେଶ୍ବରରେ ଡେରା ପକାଇବା ସହ ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର