ବଣାଇଗଡ଼ : କିଛିଦିନର ବିରତି ପରେ ବଣାଇ ଅଞ୍ଚଳକୁ ପୁଣି ଫେରିଛି ଗୋଠଛଡ଼ା ଦନ୍ତାହାତୀ। ବଣାଇ ଉପଖଣ୍ତର ବିଭିନ୍ନ ଗ୍ରାମରେ କିଛିଦିନ ହେଲା ଏକ ଗୋଠଛଡ଼ା ଦନ୍ତାହାତୀ ଲୋକଙ୍କୁ ନାକେଦମ କରି ଦେଇଥିଲା। ହାତୀଟି ଖାଦ୍ୟ ଅନ୍ବେଷଣରେ ବଣାଇ ରେଞ୍ଜର ବିଭିନ୍ନ ଗ୍ରାମରେ ପଶି ଘରଭାଙ୍ଗିବା ସହିତ ଧାନଚାଉଳ ଖାଇ ଦେଉଥିଲା। ବନବିଭାଗ ବହୁ ଚେଷ୍ଟାକରି ଏହି ଦନ୍ତାକୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇ ଦେଇଥିଲା। ଏବେ ପୁଣି ଏହି ଦନ୍ତାହାତୀଟି ଦେବଗଡ଼ ପଟୁ ଆସି ଜମ୍ଭିରପୋଷ, କନ୍ତସରା ଅଞ୍ଚଳରେ କିଛି ଘର ଭାଙ୍ଗିଦେଇଛି। ପରେ ଧରଣୀଧରପାଲି ଦେଇ ଦେଓଗାଁସ୍ଥ ବାବା ବାଣେଶ୍ବର ମନ୍ଦିର ଦେଇ ସିଂହଟୋଲାକୁ ପଶି ଆସିଥିଲା। ବନବିଭାଗ ପକ୍ଷରୁ ହାତୀଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରିରହିଛି।