ଢେଙ୍କାନାଳରେ ହାତୀ କୋଉଠି ମାରୁଛି, କୋଉଠି ମରୁଛି

ମହିଳା ମୃତ, ଗୁରୁତର ଅବସ୍ଥାରେ ସ୍ବାମୀ କଟକ ସ୍ଥାନାନ୍ତର, ଖାତରେ ପଡ଼ି ହାତୀଛୁଆର ମୃତ୍ୟୁ

ଢେଙ୍କାନାଳ/ ଓଡ଼ାପଡ଼ା/ରାସୋଳ : କେଉଁଠି ହାତୀ ମାରିଛି ତ କେଉଁଠି ମରିଛି। ଏହିଭଳି ଭିନ୍ନଭିନ୍ନ ଦୃଶ୍ୟ ଢେଙ୍କାନାଳରେ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ସ୍ଥାନରେ ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବାବନ୍ଧ ମାଟିଆ ସାହିରେ ଗତକାଲି ରାତି ପ୍ରାୟ ୩ଟାରେ ହାତୀପଲ ପଶି ଉନ୍ମତ୍ତକାଣ୍ତ ଘଟାଇଥିଲେ। ସାହିବାସୀଙ୍କ ଘରଦ୍ବାର ଭାଙ୍ଗି ଦଳିଚକଟି ମାଟିରେ ମିଶାଇ ଦେଇଥିଲେ। ଏଥିସହିତ, ଲୋକଙ୍କୁ ଆକ୍ରମଣ କରିଥିଲେ। ହାତୀ ଆକ୍ରମଣରେ ଭରତ ପ୍ରଧାନ (୬୫) ଓ ତାଙ୍କ ସ୍ତ୍ରୀ ସଜନୀ ପ୍ରଧାନ (୬୦) ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ଆର୍ତ୍ତଚିତ୍କାର ଶୁଣି ଗ୍ରାମବାସୀ ଆସି ପାଟିତୁଣ୍ତ କରିବାରୁ ହାତୀପଲ ଜଙ୍ଗଲ ଆଡ଼କୁ ପଳାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଂଚି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଭରତ ଓ ସଜନୀଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେଇଥିଲେ। ସେଠାରେ ସଜନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଭରତଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ପୋଡ଼ାପଡ଼ାଠାରେ ରେଳ ଲାଇନ୍ ଠାରୁ ୧୦୦ ମିଟର ଦୂରରେ ଏକ ଦେଢ ମାସର ମାଈ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି । ରେଳ ଲାଇନ୍ ଠାରୁ ୧୦୦ ମିଟର ଦୂରରେ କେବୁଲ୍ ଲାଇନ୍ ପାଇଁ ଖୋଳାଯାଇଥିବା ୩ ଫୁଟ ଗଭୀର ଗାତରେ ଏକ ହାତୀ ଛୁଆ ମରିପଡିଥିବା ଆଜି ସକାଳୁ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ସୂଚନା ଅନୁଯାୟୀ, ସେହି ସ୍ଥାନରେ ରେଳ ବିଭାଗ ପକ୍ଷରୁ ଟ୍ରେନ୍ ଲାଇନ୍ କଡରେ ୩ ଫୁଟ ଗଭୀରର କେବଲ୍ ଲାଇନ୍ ଖୋଳାଯାଇଛି । ଗତ ଦୁଇଦିନ ଧରି ବର୍ଷା ଯୋଗୁଁ କେବଲ୍ ପାଇଁ ଖୋଳାଯାଇଥିବା ଗାତରେ ପାଣି ସହ କାଦୁଅ ରହିଥିଲା। ଆଜି ସକାଳେ ଘନ କୁହୁଡ଼ି ହୋଇଥିବା ବେଳେ ହାତୀପଲ ସେହି କେବଲ୍ ଲାଇନ୍ ପାର୍ ହେଉଥିଲେ। କେବଲ୍ ଲାଇନ୍ ଗାତକୁ ଡେଇଁ ହାତୀମାନେ ଯାଉଥିବା ବେଳେ ହାତୀଛୁଆଟି ସେଥିରେ ଖସି ପଡିଥିଲା । କାଦୁଅ ଯୋଗୁଁ ଏହା ଆଉ ଭିତରୁ ଉଠି ପାରିନଥିଲା। ସେହି ବାଟ ଦେଇ ଯାଉଥିବା ଅନ୍ୟ ହାତୀମାନେ ତାର ମୁଣ୍ଡ ଉପରେ ଚଢି ଚାଲିଯାଇଥିବାରୁ ତା ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶୁଣ୍ଢ କ୍ଷତାକ୍ତ ହୋଇଥିଲା। ଫଳରେ ତାର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମାତ୍ର, କୌଣସି ଟ୍ରେନ୍‌ରେ ବାଡ଼େଇ ହୋଇଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର