ଘଟଗାଁ : ୫ ଦିନ ହେଲା ଉପରଡିହା ଓ ଘଟଗାଁ ଗ୍ରାମରେ ଏକ ଗୋଠଛଡ଼ା ଦନ୍ତାହାତୀ ଉତ୍ପାତ ଚଳାଇଛି। ଧାନ ମଣ୍ଡିରେ ପଶି ଧାନ ଖାଇବା ସହିତ କେତେକ ଘର ଭାଙ୍ଗି ଦେଇଛି। ସ୍ଥାନୀୟ ରେଂଜ୍ ଅଫିସ୍ ଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଏହି ଦନ୍ତା ହାତୀଟି ଉତ୍ପାତ ଚଳାଇଥିବା ବେଳେ ଦୁଇ ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗ୍ରାମବାସୀ ରାତି ଉଜାଗର ରହି ଦନ୍ତାହାତୀର ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି।
ସୂଚନା ଅନୁଯାୟୀ ଦନ୍ତାହାତୀଟି ୫ ଦିନ ହେଲା ଉପରଡିହା ଗ୍ରାମ, ବାଇପାସ୍, ଦୁଃଖାବାହାଳୀ, କୁସୁନପୁର ଗ୍ରାମରେ ରାତିସାରା ବୁଲୁଛି। କାହାର କଦଳୀ ବଗିଚା ନଷ୍ଟ କରୁଛି ତ କାହାର ଧାନ ଚାଉଳ ଖାଉଛି। ଉପରଡିହା ସାଉଁତି ସାହି ମଧ୍ୟରେ ଦୁଇଦିନ ତଳେ ହାତୀଟି ପଶି ଉପଦ୍ରବ ଚଳାଇଥିଲା। ଗତକାଲି ରାତିରେ ହାତୀଟି ଉପରଡିହା ଛାଡ଼ି ଘଟଗାଁ ଗ୍ରାମକୁ ପଶିଆସିଥିଲା। ଘଟଗାଁ ଅଫିସକୁ ଲାଗିଥିବା ଘଟଗାଁ ଧାନମଣ୍ତିର ଗେଟ୍ ଭାଙ୍ଗି ପ୍ରାୟ ୭ ବସ୍ତା ଧାନ ଖାଇଯିବା ସହ ଗୋଟିଏ ବସ୍ତା ଧାନ ବୋହି ନେଇ ପୋଖରୀ ଆଡ଼କୁ ଚାଲି ଯାଇଥିଲା। ମଣ୍ତିରେ ଧାନ ବିକିବାକୁ ଆସିଥିବା ହାତିନୋଟା ଗ୍ରାମର ଚନ୍ଦ୍ରମଣି ନାଏକ ଧାନବସ୍ତା ଉପରେ ଶୋଇଥିବା ବେଳେ ହାତୀ ଧାନ ଖାଇବା ଦେଖି ଜୀବନ ବିକଳରେ ଲୁଚି ଯାଇଥିଲେ। ହାତୀଟି ଧାନ ଖାଇବା ପରେ ଗୋଟିଏ ବସ୍ତାଧରି ଚାଲିଯିବା ପରେ ଚନ୍ଦ୍ରମଣିଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲା।
ଖବର ଅନୁଯାୟୀ ଘଟଗାଁ ଗ୍ରାମର ଦିଲୀପ୍ ପ୍ରହରାଜ ଧାନ ମଣ୍ତିରେ ଆଣି ରଖିଥିଲେ। ଗତକାଲି ରାତି ଗୋଟାଏ ପର୍ଯ୍ୟନ୍ତ ଧାନକିଣାଯାଇ ବନ୍ଦ କରାଯାଇଥିଲା। ରବିବାର ସକାଳେ ବଳକା ଧାନ କିଣାଯାଇଥାନ୍ତା। ସେହିପରି ଦନ୍ତା ହାତୀଟି ରାତିରେ ନିକଟସ୍ଥ କେନ୍ଦୁଆପଡା ସାହିରେ ପଶି ଚାଉଳ ଖାଇବା ସହ ୩ ଜଣଙ୍କ ଘର ଭାଙ୍ଗିଦେଇଛି। ଗ୍ରାମର ଭାସ୍କର ମହାନ୍ତଙ୍କ ଘରର କାନ୍ଥ ଭାଙ୍ଗି ଚାଉଳ ଖାଇଦେଇ ଥିବା ବେଳେ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମିଶ୍ର ମହାନ୍ତଙ୍କ ଘର ଭାଙ୍ଗିଦେଇଥିବା ବେଳେ ଚିଂଟୁ ମହାନ୍ତଙ୍କ ଘରର କବାଟ ଭାଙ୍ଗିଦେଇଛି। ଆଜି ସକାଳୁ ବନବିଭାଗ ପକ୍ଷରୁ ଶବଣ ପାତ୍ର, ସଂଜୀବ ବେହେରା ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହିତ ବିବରଣୀ ସଂଗ୍ରହ କରିଛନ୍ତି। ୫ ଦିନ ହେଲା ଦନ୍ତା ହାତୀଟି ଦୁଇଗ୍ରାମରେ ପଶି ଆତଙ୍କ ଖେଳାଉଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଗାଁ ଗ୍ରାମକୁ ହାତୀ ପଶି ନପାରିବା ପାଇଁ ୧୯ ଲକ୍ଷ ଟଙ୍କା ବ୍ୟୟରେ ଟ୍ରେଞ୍ଚ ଖୋଳାଯାଇଛି। ଏତେସତ୍ତ୍ବେ ହାତୀଟି ଘଟଗାଁ, କେନ୍ଦୁଆପଡ଼ା ଗ୍ରାମରେ ପଶି ଉପଦ୍ରବ ଚଳାଇବା ଘଟଣା ସମସ୍ତଙ୍କୁ ବିବ୍ରତ କରିଛି।