ଯାଜପୁର: ପାଣିକୋଇଲି ଥାନା ଶଙ୍ଖଚିଲା ଗୋଡ଼ିପାଟଣା ଗାଁରେ ଗୁରୁବାର ସନ୍ଧ୍ୟାରେ ଜଙ୍ଗଲୀ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ନାମ ଈଶ୍ୱର ଦାସ(୫୫) ଓ ଚିନ୍ତାମଣି ରାମ(୬୫) ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶଙ୍ଖଚିଲା ଗୋଡ଼ିପାଟଣା ଗାଁ ନିକଟସ୍ଥ ବିଲ ଭିତରକୁ ଏକ ଜଙ୍ଗଲୀ ହାତୀ ପଶି ଆସିଥିଲା। କିଛିଲୋକ ଏହି ହାତୀକୁ ବିଲ ଭିତରୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଏପରି ଅଘଟଣ ଘଟିଥିଲା। ଈଶ୍ୱର ଦାସ(୫୫) , ଚିନ୍ତାମଣି ରାମ(୬୫), ମନୋରଞ୍ଜନ ପରମାଣିକ (୨୯) ଓ ପବନା ଗୁରୁ (୫୨)ଙ୍କ ସମେତ ଆଉ ଦୁଇଜଣ ଏହି ଜଙ୍ଗଲୀ ହାତୀ ଆକ୍ରମଣର ଶିକାର ହୋଇଥିଲେ।
ଈଶ୍ୱର ଦାସ ଓ ଚିନ୍ତାମଣି ରାମଙ୍କୁ ଘଟଣାସ୍ଥଳରେ ହାତୀ ଦଳି ଦେଇଥିବା ବେଳେ ମନୋରଞ୍ଜନ, ପବନା ଓ ଅନ୍ୟ ଦୁଇଜଣ ଏଥିରେ ଗୁରୁତର ଆହତ ହୋଇଥିଲେ। ଈଶ୍ୱର ଦାସ ଓ ଚିନ୍ତାମଣିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଯାଜପୁର ରୋଡ ଚିକିତ୍ସାଳୟକୁ ଆଣାଯାଇ ଥିଲେ ହେଁ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ପ୍ରକାଶ ଯେ, ଗତ ଦୁଇ ଦିନ ହେଲାଣି ଯାଜପୁର ରୋଡ, ରଗଡ଼ ଆଖପାଖ ଅଞ୍ଚଳରେ କେତୋଟି ଜଙ୍ଗଲି ହାତୀ ପଶି ଆସି ଉପଦ୍ରବ କରିବା ସହ ଫସଲ ନଷ୍ଟ କରୁଥିଲେ। ଏହି ହାତୀକୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଉଦ୍ୟମ କରୁଥିବା ବେଳେ ବନ ବିଭାଗକୁ ବି ଖବର ଦିଆଯାଇଥିଲା। ବନ ବିଭାଗ ବି ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛି।