ଖଜୁରିଆକଟା : ଶୌଚ ପାଇଁ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣ ଯାଉଛି! ହିନ୍ଦୋଳ ଉପଖଣ୍ଡରେ ୬ମାସ ମଧ୍ୟରେ ଯେଉଁ ୨୦ଜଣଙ୍କର ପ୍ରାଣହାନି ଘଟିଛି, ସେମାନଙ୍କ ମଧ୍ୟରୁ ଅଧାଅଧି ଲୋକଙ୍କର ଏହି ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରଶ୍ନ ଉଠୁଛି, ଏହିସବୁ ଲୋକଙ୍କ ପାଇଁ ପାଇଖାନା ନିର୍ମାଣ ହୋଇନି ନା ପାଇଖାନା ଥିଲେ ମଧ୍ୟ ସଚେତନତା ଅଭାବରୁ ବାହାରକୁ ଶୌଚ ହେବାକୁ ଯାଉଛନ୍ତି? ହାତୀ ମୃତ୍ୟୁ ଘଟଣା ସହିତ ଏହା ଏବେ ଉଦ୍ବେଗର କାରଣ ହୋଇଛି।
ଆଜି ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତ ଜଣକ ହେଉଛନ୍ତି, ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ମାଗୁବେରେଣୀ ଗାଁର ସାହେବ ରାଉତ (୭୫)। ଭୋର୍ ସମୟରେ ସାହେବ ଘର ପାଖ ଖୋଲାପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। ହେଲେ, ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ହାତୀ ସାହେବଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଛାତିରେ ଦାନ୍ତ ଭୁସି ଦେଇଥିଲା। ଫଳରେ, ଘଟଣାସ୍ଥଳରେ ସାହେବଙ୍କର ମୃତ୍ୟୁ ହୋଇଯାଇଥିଲା। ଲୋକେ ପାଟି କରିବାରୁ ହାତୀଟି ସେଠାରୁ ଚାଲି ଯାଇଥିଲା। ଖବରପାଇ ପୁଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହାକୁ ଦେଇ ଗଁାରେ ଦୀର୍ଘସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ବନବିଭାଗର ସହାୟତା ପ୍ରତିଶ୍ରୁତି ପରେ ଏହା ପ୍ରଶମିତ ହୋଇଛି।