ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଘର ଭାଙ୍ଗି ଚୂରମାର କଲେ ଗାଡ଼ି, ଆତଙ୍କରେ ଗ୍ରାମବାସୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ବନାଞ୍ଚଳ ଅଧୀନର ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ିଚାଲିଛି। କଦମଗୁଡ଼ା ପଞ୍ଚାୟତ ଆମଝିରି ଗାଁ ଓ କୁମଖାଲ ପଞ୍ଚାୟତର ପିଡେଲବାଜୁ ଗାଁରେ ହାତୀପଲ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ସୋମବାର ଭୋର୍‌ ୫ଟାରେ ଆମଝିରି ଗାଁର ରଞ୍ଜନ ମାଝୀ (୬୪ ବର୍ଷ) ଜଙ୍ଗଲ ରାସ୍ତାରେ ଯାଉଥିଲେ। ଏହି ସମୟରେ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ରଞ୍ଜନଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଁକୁ ଅଣାଯାଇଥିଲା। ପରେ ବନ ବିଭାଗ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ରେଞ୍ଜର ଲକ୍ଷ୍ୟ ମହାନନ୍ଦ ମେଡିକାଲ୍‌ ଖର୍ଚ୍ଚ ପାଇଁ ନିଜ ତରଫରୁ ୫ହଜାର ଟଙ୍କା ଦେଇଛନ୍ତି। ପରେ ପ୍ରଶାସନ ପକ୍ଷରୁ ଯାହା ସୁବିଧା ଅଛି ଯୋଗାଇ ଦିଆଯିବ ବୋଲି କହିଥିଲେ।

ସେହିପରି ଅନ୍ୟ ଏକ ହାତୀପଲ ରବିବାର ବିଳମ୍ବିତ ରାତିରେ କୁମଖାଲ ପଞ୍ଚାୟତ ନିକଟସ୍ଥ ହାତୀଶାଳ ଜଙ୍ଗଲରୁ ପିଡେଲବାଜୁ ଗାଁ ଭିତରକୁ ପଶିବାରୁ ଭୟରେ ଗାଁ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ହାତୀପଲ ଗାଁର ମନୋଜ ନାଗ ଓ ମନହର ନାଗଙ୍କ ଘର ଭାଙ୍ଗିବା ସହ ଘରେ ବିଭିନ୍ନ ଆସବାପତ୍ର ନଷ୍ଟ କରିଛନ୍ତି। ପରେ କଦମ ହରିଜନଙ୍କ ଘର ଭାଙ୍ଗି ଗୋଟିଏ ମଟର ସାଇକଲ, ସ୍କୁଟିକୁ ନଷ୍ଟ କରିଛନ୍ତି। ଗ୍ରାମର ୨ଟି ନଳକୂପକୁ ଭାଙ୍ଗି ଦେଇଛନ୍ତି। ତୁଳସୀ ହରିଜନଙ୍କ ୨ ଏକର ଧାନ ବିଲକୁ ହାତୀପଲ ନଷ୍ଟ କରିଦେଇଛନ୍ତି।

ରବିବାର ସକାଳୁ ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଖବର ପାଇ କିଛି କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ବନବିଭାଗ ପକ୍ଷରୁ ସ୍କ୍ବାଡ୍‌ ଗଠନ କରି ହାତୀପଲଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ଗାଁ ଲୋକ କ୍ଷୟକ୍ଷତି ପାଇଁ ବିଶ୍ୱନାଥପୁର ରେଞ୍ଜର ଓ ସ୍ଥାନୀୟ ତହସିଲଦାର ମୁନୀନ୍ଦ୍ର ହୁନ୍ନାଗାଙ୍କୁ ସାକ୍ଷାତ କରିଛନ୍ତି। ୩ଟି ପରିବାର ବେସାହାରା ହୋଇ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ପଞ୍ଚାୟତ ତରଫରୁ କିଛି ସାହାଯ୍ୟ କରାଯିବ ବୋଲି କୁମଖାଲ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର