ଠାକୁରମୁଣ୍ଡା : ରାତିରେ ବୋଲେରୋ ଭିତରେ ଦୁଇ ଭାଇ ଶୋଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ଗାଡ଼ି ପାଖରେ ପହଞ୍ଚି ଆକ୍ରମଣ କଲା। ବେଶ୍ କିଛି ସମୟ ଶୁଣ୍ଡରେ ଗାଡ଼ିଟିକୁ ଠେଲି ଓଲଟାଇବାକୁ ଚେଷ୍ଟାକଲା। ସାରା ରାତି ହାତୀ ଭୟରେ ଗାଡ଼ିରେ ବସି ରହିଲେ ଦୁଇଭାଇ। ଭାଗ୍ୟକୁ ହାତୀଟି ପଳାଇଲା ଓ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ଦୁଇଭାଇ। ଏପରି ଏକ ଘଟଣା ଘଟିଛି ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତ ମାଙ୍କଡ଼ବେଡ଼ା ଗ୍ରାମରେ।
ମାଙ୍କଡ଼ବେଡ଼ା ଗ୍ରାମର ଟୁଲୁ ମହାନ୍ତ ନିଜ ବୋଲେରୋକୁ ଏକ ପଡ଼ିଆରେ ରଖିଥିଲେ। ଗତକାଲି ଲଗାଣ ବର୍ଷା ହେବାରୁ ଗାଡ଼ିଟି କାଦୁଅରେ ଫସିଯାଇଥିଲା। ଯେତେ ଚେଷ୍ଟା କଲେ ବି ଗାଡ଼ିଟି ବାହାରିପାରି ନ ଥିଲା। ତେଣୁ ଟୁଲୁ ଓ ତାଙ୍କର କକା ପୁଅ ଭାଇ ଗତକାଲି ରାତିରେ ଗାଡ଼ି ଭିତରେ ହିଁ ଶୋଇଥିଲେ। ତେବେ ରାତି ପ୍ରାୟ ୧୧ଟା ବେଳେ ଗୋଟିଏ ଦନ୍ତାହାତୀ ଆସି ଗାଡ଼ିକୁ ଆକ୍ରମଣ କରିଥିଲା। ଗାଡ଼ିଟି ଦୋହଲିବାରୁ ଦୁଇଭାଇ ନିଦରୁ ଉଠି ପଡ଼ିଥିଲେ। ବାହାରେ ଦନ୍ତାକୁ ଦେଖି ଭୟରେ ଥରିଥିଲେ ଦୁଇଭାଇ। ବାହାରକୁ ବାହାରିବାର କୌଣସି ଉପାୟ ନଥିଲା। ତେବେ ଭାଗ୍ୟକୁ କିଛି ସମୟ ପରେ ହାତୀଟି ଶାନ୍ତ ପଡ଼ି ଯାଇଥିଲା ଓ ସେଠାରୁ ପଳାଇଥିଲା।
ହେଲେ ହାତୀଟି କେତେ ଦୂର ଯାଇଛି ବୋଲି ଜାଣି ନଥିବାରୁ ରାତିତମାମ ଗାଡ଼ିରୁ ବାହାରି ନଥିଲେ ଦୁଇଭାଇ। ରାତିସାରା ଭୟରେ ଜଡ଼ସଡ଼ ହୋଇ ଗାଡ଼ିରେ ବସି ରହିଥିଲେ। ସକାଳ ହେବାରୁ ଗାଡ଼ିରୁ ବାହାରି ଗ୍ରାମବାସୀ ଓ ବନ ବିଭାଗକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଚମ୍ପାଝର ସେକ୍ସନ ଫରେଷ୍ଟର ଲୋକନାଥ ରାଉତ ଏବଂ ବନରକ୍ଷୀ କିଶୋର ମହାନ୍ତ ପହଞ୍ଚି ଗାଡ଼ିର କ୍ଷୟକ୍ଷତିର ଆକଳନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/031f01f4-8fb2-4b35-aed1-319e11e3a1d4.jpg)