ବାଂଶପାଳ : ବାଂଶପାଳ ବ୍ଲକ ବିଜେପି ରେଞ୍ଜର ପଣସୁଆଁ, କାଦକଳା, ପାଟପାଣି, ବିନିଦା, ପୋଡାଡିହୀ, କାଦକଳା, ସୁଣ୍ଡରା ଆଦି ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ବଢିବଢ଼ି ଚାଲିଛି। ଗତ କିଛି ଦିନ ହେବ ୧୫ ଟିକିଆ ହାତୀପଲଙ୍କ ଭିତରୁ ଏକୁଟିଆ ବୁଲୁଥିବା ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ଦନ୍ତା ଆତଙ୍କରେ ଅଞ୍ଚଳବାସୀ ଭୟଭୀତ ହୋଇ ରାତି କାଟୁଛନ୍ତି। କିଛି ଦିନ ହେବ ଦନ୍ତାଟି ବିଭିହ୍ନ ଗ୍ରାମରେ ଏକାଧିକ ଘର ଭାଙ୍ଗିଦେବା ସହ ଧାନ ଚାଉଳ ଖାଇ ନଷ୍ଟ କରୁଛି।
ଗତକାଲି ବିଳମ୍ୱିତ ରାତିରେ ଗୋଠଛଡା ଦନ୍ତାଟି ପଣସୁଆଁ ଗ୍ରାମକୁ ପଶି ଆସି ଉର୍ମିଳା ମହାନ୍ତ (୭୦)ଙ୍କ ଘର କାନ୍ଥ ଭାଙ୍ଗି ଦେବା ସହ ଚାଉଳ ୫୦ କେଜି ଓ ୧୦ କେଜି କୋଳଥ ଡାଲି ଖାଇବା ସହ ନଷ୍ଟ କରିଦେଇଛି। ଘରେ ଏକାକୀ ଶୋଇଥିବା ଉର୍ମିଳାଙ୍କ ଉପରେ କାନ୍ଥ ପଡ଼ିଯିବାରୁ ଉର୍ମିଳାଙ୍କ ଅଣ୍ଟା ଓ ପିଠିରେ ଗଭୀର ଆଘାତ ଲାଗିଛି। ଗୁରୁତର ହୋଇ ରାତି ସାରା ଛଟପଟ ହେଉଥିଲେ ହେଁ ହାତୀଟି ବହୁ ସମୟ ଘୂରି ବୁଲୁଥିବାରୁ ସାହସ କରି ବାହାରକୁ ବାହାରି ପାରି ନଥିଲେ। ସକାଳେ ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରିଥିଲେ। ସକାଳେ କରାଳପଶି ବିଟର ବନରକ୍ଷୀ ବୁଲୁ ନାହାକ ଓ ବନବିଭାଗ ଟିମ ପହଞ୍ଚି ସ୍ଥିତି ପରଖିବା ସହ ତାଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲରେ ଭର୍ତ୍ତି କରିଛନ୍ତି। ବନବିଭାଗ ଟିମ ଓ ଗ୍ରାମବାସୀ ନିୟମିତ ହାତୀଙ୍କୁ ଘୋଉଡାଉଥିଲେ ହେଁ ବିଫଳ ହେଉଛନ୍ତି। ଅସହାୟ ବିଧବା ବୃଦ୍ଧା ଊର୍ମିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/eleattack.jpg)