ହାତୀ ଉପଦ୍ରବ : ଘର ଭାଙ୍ଗିଲେ, ଧାନଚାଉଳ ଖାଇଲେ

ସ୍କୁଲରେ ଆଶ୍ରୟ ନେଲେ ପରିବାର

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଆଜି ହାତୀପଲଙ୍କ ଉପଦ୍ରବ ଆତଙ୍କ ଖେଳାଇ ଦେଇଛି। ଟିକରଗଡ଼ିଆର ଗୋଟିଏ ସାହି ପୂରା ଛାରଖାର ହୋଇଯାଇଛି। ୭ଟି ଘର ଏକାଥରକେ ଭାଙ୍ଗିଛନ୍ତି ହାତୀପଲ। ଘର ଭାଙ୍ଗି ତା’ ମଧ୍ୟରୁ ଧାନଚାଉଳ ଖାଇ ଯାଇଛନ୍ତି। ବାଡ଼ିରେ ଥିବା କଦଳୀ ଓ ଅନ୍ୟ ଫଳଗଛକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ହାତୀ ଭୟରେ ଗାଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଭୟରେ କେତେକ ପରିବାର ଆସି ଟିକରବାଟି ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଛନ୍ତି।

ଟିକରଗଡ଼ିଆରେ ମାଣତ୍ରୀ ମହାନ୍ତ, ହେମେନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ମକରୁ ମହାନ୍ତଙ୍କ ଘର ଭାଙ୍ଗିଛି। ସେହିପରି କଇଁଫୁଲିଆର ସୂର୍ଯ୍ୟନାରାୟଣ ହେମ୍ବ୍ରମ, ଧନେଶ୍ୱର ମାଝୀ, ସୂର୍ଯ୍ୟ ମାରାଣ୍ଡି ଏବଂ କେନ୍ଦୁଆ ପଞ୍ଚାୟତ ଭିତରଶୋଳର ରାମଧନ ମାରାଣ୍ଡିଙ୍କ ଘରକୁ ହାତୀପଲ ଭାଙ୍ଗିବା ସହ ଧାନଚାଉଳ ଖାଇଯାଇଛନ୍ତି। ଘରେ ଥିବା ଲୋକମାନେ କୌଣସିମତେ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଧାନକ୍ଷେତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏକାଥରକେ ଗୋଠ ଗୋଠ ହାତୀ ଧାନବିଲରେ ପଶୁଥିବାରୁ ସବୁ ନଷ୍ଟ ହେଇଯାଉଛି। ଖାଇବା ଯେତିକି ନହେଉଛି ମଡ଼ାଦଳାରେ ତତୋଧିକ ନଷ୍ଟ ହେଉଛି। ଟିକରଗଡ଼ିଆ, ନଡ଼ପୁର, କୃଷ୍ଣଚନ୍ଦ୍ରପୁର, କଇଁଫୁଲିଆ, ଖୁଣ୍ଟା, ଫୁଲଝରୀ ଗାଁର ଲୋକମାନେ ମୁଗେଇ ଧାନଚାଷ କରିଥିଲେ। ସବୁ ହାତୀପେଟରେ ଯାଇଛି। ନାରାୟଣ ମହାକୁଡ, ଶତପଥୀ ମହାକୁଡ, ସୁଲୋଚନା ମହାକୁଡ, ସୁରେଶ ମହାକୁଡ, ମୁରଲୀ ମହାକୁଡ, ବୁଦ୍ଧିଆ ସ, ପୂର୍ଣ୍ଣଚନ୍ଦ୍ର ସିଙ୍କ ବିଲରୁ ଆଉ ଧାନ ଆସିବାର ନାହିଁ ବୋଲି ସେମାନେ କହିଛନ୍ତି। ଆଜି ଅପରାହ୍ନରେ ହାତୀପଲ ଟିକରଗଡ଼ିଆ ନିକଟରେ ବାହାରି ଧାନକ୍ଷେତରେ ପଶିଥିଲେ। ଦୁଇଟି ଦନ୍ତାହାତୀ ବଡ଼କ୍ଷୀରପଦାରେ ପଶିଥିଲେ। କଇଁଫୁଲିଆ ଓ ଫୁଲଝରି ତଳଶୋଳରେ ଧାନ ଖାଉଥିଲେ।

ବେତନଟୀ ରେଞ୍ଜର ଘନଶ୍ୟାମ ସିଂ, ଫରେଷ୍ଟ ସୁଶାନ୍ତ କୁମାର ବାଗଙ୍କ ସମେତ ବାରିପଦା ଡିଭିଜନର କର୍ମଚାରୀମାନେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନାହାନ୍ତି।

ସମ୍ବନ୍ଧିତ ଖବର