ମାତିଛି ହାତୀ, ଭାଂଗୁଛି ଘର, ଏଯାଏ ମିଳିନି ଗତ ବର୍ଷର କ୍ଷତିପୂରଣ

ମାନେଶ୍ୱର : ସମ୍ବଲପୁର ଜିଲ୍ଲା ବତେମୁରା ପଞ୍ଚାୟତ କୀର୍ତ୍ତୀପୁର ମୂଷାବେନି ପଡ଼ାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦନ୍ତାହାତୀ ‘ଡନ୍‌’ ପୁଣି ଘର ଭାଂଗିଛି। ମୂଷାବେନିପଡ଼ାର ସୁଦାମ ଦୀପ ତାଙ୍କ ୫ ସନ୍ତାନ ଓ ପତ୍ନୀଙ୍କ ସହିତ ଶୋଇଥିବା ବେଳେ ‘ଡନ୍’ ଘରକୁ ପଶିଥିଲା। ସୁଦାମ ହାତୀ ପଶିଥିବା ଜାଣିବା ପରେ ନିଜ ପିଲାଛୁଆଙ୍କ ସହିତ ଜୀବନ ବିକଳରେ ଦୌଡ଼ି ପଳାଇ ଥିଲେ। ସେହି ରାତିରେ ‘ଡନ୍’ ଗାଁର ସନ୍ତୋଷ ଦୀପ, କଳ୍ପନା ଲୁହା, ଲଳିତ ଲୁହା, ଅକ୍ରୁର ଲୁହାଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିଲା। ଭୟରେ ଲୋ‌କ ଶନିବାରଠାରୁ ଅନ୍ୟ ଗାଁ ଲୋକଙ୍କ ଭଳି ରାତିରେ ଘରର ଛାତ ଉପରେ ଶୋଉଥିବା ଜଣାପଡ଼ିଛି।

ଗୋଟିଏ ପଟେ ହାତୀର ଉତ୍ପାତ ବଢ଼ିବାରେ ଲାଗିଛି। ଘରଦ୍ବାର ଭାଂଗିଯିବା ପରେ ରହିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ବନ ବିଭାଗ କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରୁଛି। କୀର୍ତ୍ତିପୁର ଗାଁ ଅର୍ଜୁନ ଭୋଇ କହିଛନ୍ତି ଯେ, ଆଉ ଏଠି ରହିହେବ ନାହିଁ। ଦନ୍ତା ହିଂସ୍ର ହୋଇଗଲାଣି। ଶୁକ୍ରବାର ରାତିରେ ଘରେ ଥିବା ଧାନ ବସ୍ତା ନେବା ପାଇଁ ଘର ଭାଙ୍ଗି ଚାଲିଗଲା। ଖାଇବା ପାଇଁ ଧାନ ଚାଉଳ ବି ଘରେ ରଖି ହେଉ ନାହିଁ ବୋଲି ସେ କହିଛନ୍ତି। ବଲାରଂଗା ଗାଁର କିଶୋରୀ ନାଏକ କହନ୍ତି, ହାତୀ ଆମ ଘର ଭାଙ୍ଗିବା ଆଜିକୁ ବର୍ଷେ ପୁରି ଗଲାଣି। ହେଲେ କ୍ଷତିପୂରଣ ମିଳି ନାହିଁ। ବନ ବିଭାଗର ଅଫିସର ଓ କର୍ମଚାରୀମାନେ ଆସି ଭଂଗାଘରର ଫଟୋ ଉଠେଇ ନେଇ ଚ‌ାଲିଗଲେ। ଆଜି ବି ଭଙ୍ଗାଘର ସେମିତି ପଡିଛି। କ୍ଷତିପୂରଣ ମିଳିନଥିବାରୁ ଘର ତିଆରି କରିପାରୁନାହିଁ ବୋଲି କହିଛନ୍ତି।

ବେହେରାପାଲିର ଯଶୋଦା ବାଗ କହିଲେ, ଦେଢ଼ ବର୍ଷ ଆଗରୁ ହାତୀ ଘର ଭାଂଗିଥିଲା। ଧାନବସ୍ତା ବି ନେଇଯାଇଥିଲା। ବନ ବିଭାଗ, ବିଡିଓଙ୍କୁ ଲେଖି ଜଣେଇଲୁ। ଆମେ ଗରିବ ଲୋକ, ଆମ ଗୁହାରି କେହି ଶୁଣନ୍ତି ନାହିଁ ବୋଲି ସେ କହିଛନ୍ତି। ସୁଡ୍‌ଡ଼ା ଗାଁ କ୍ଷୀରୋଦ ପାତ୍ର କହନ୍ତି, ବନ ବିଭାଗ ହାତୀ ଘଉଡ଼ିବାରେ ବିଫଳ ହୋଇଛି। ହାତୀ ଗାଁକୁ ପଶିଲେ ବନବିଭାଗକୁ ଖବର କଲେ ଟିକେ ଦୂର ଘଉଡ଼ିଦେଇ ଚାଲି ଯାଉଛି। ବିଦ୍ୟୁତ ତାର ତଳକୁ ଝୁଲି ରହୁଥିବା କାରଣରୁ ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସିବାର ସମ୍ଭାବନା ରହିଛି। ଅପରପକ୍ଷରେ ଶୀଘ୍ର କ୍ଷତିପୂରଣ ଅର୍ଥ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର