ବଣାଇ ଉପଖଣ୍ଡରେ ହାତୀ-ମଣିଷ ଲଢ଼େଇରେ ଯାଉଛି ନିରୀହ ଲୋକଙ୍କ ଜୀବନ

ଉଜୁଡିଯାଉଛି ଶହ ଶହ ଏକର ଫସଲ, ଗୃହଶୂନ୍ୟ ହେଉଛନ୍ତି ଶତାଧିକ ପରିବାର

ରାଉରକେଲା/ବଣାଇଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷ ତମାମ ଜାରି ରହିଛି ହାତୀ-ମଣିଷ ଲଢ଼େଇ। ହାତୀ ଆକ୍ରମଣରେ ଯାଉଛି ନିରୀହ ଲୋକଙ୍କ ଜୀବନ। ପୁଣି କେତେବେଳେ ମଣିଷଙ୍କ ସଂଘବଦ୍ଧ ଆକ୍ରମଣରେ ହେବା ଅନ୍ୟ କାରଣରୁ ହାତୀଙ୍କ ମୃତ୍ୟୁ ହେଉଛି। ଉଜୁଡିଯାଉଛି ଶହ ଶହ ଏକର ଚାଷୀଙ୍କ ଫସଲ। ଗୃହଶୂନ୍ୟ ହେଉଛନ୍ତି ଶତାଧିକ ଆଦିବାସୀ ପରିବାର। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନଖଣ୍ଡରେ ଏମିତି ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି।

ବଣ ପାହାଡ଼ ଘେରା ବଣାଇ ବନଖଣ୍ଡ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଲଗାତାର ଜାରି ରହୁଛି। ଏହା ଭିତରେ ଯାଉଥିବା ଓ ବ୍ୟାପକ ଖଣି ଥିବା କୋଇଡା ରେଞ୍ଜରେ ସ୍ଥିତି ଭାରି ସାଂଘାତିକ। ଏଠାରେ ଜଙ୍ଗଲ ସୃଷ୍ଟି କରିବାକୁ ବନବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଚାରାରୋପଣ କରାଯାଉଥିବା କାଗଜପତ୍ରରେ ଦର୍ଶାଯାଉଛି। ଖଣି ଅଞ୍ଚଳରେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ହିସାବ ଅନୁସାରେ ଚାରା ରୋପଣ ତ ହେଉନାହିଁ, ପୁଣି ଖଣି ଓ ଶିଳ୍ପ ମାଲିକମାନଙ୍କର ଅବାଧ ଗଛକଟା ଓ ବେଆଇନ ଖଣି ଖନନ ମଧ୍ୟ ଚାଲିଛି। ଯାହାକୁ ରୋକିବାଲାଗି ବନ ବିଭାଗ ବା ଖଣି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ଜଙ୍ଗଲ ଓ ଜଙ୍ଗଲ ଭୂଇଁ କମିବାରୁ ହାତୀଙ୍କ ରହିବାସ୍ଥଳ ନଷ୍ଟ ହେଉଛି। ସେମାନଙ୍କ ଚଲାପଥରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି। ଆବଶ୍ୟକ ଖାଦ୍ୟ, ପାଣି ମିଳୁ ନଥିବାରୁ ହାତୀପଲ ସର୍ବଦା ବସ୍ତିମୁହାଁ ହେଉଛନ୍ତି। ବନବିଭାଗ ପକ୍ଷରୁ ଯେତେ ଘଉଡାଇକୁ ଯେତେ ପ୍ରୟାସ କରାଯାଉଥିଲେ ହେଁ ତାହା ବିଫଳ ହେଉଛି।

କେବଳ ବଣାଇ ବନଖଣ୍ଡରେ ହାତୀପଲଙ୍କ ଉତ୍ପାତରୁ ଗତ ୫ ବର୍ଷ ମଧ୍ୟରେ ୨୦୫ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଅର୍ଥାତ୍‌ ୨୦୫ ପରିବାର ଗୃହଶୂନ୍ୟ ହୋଇଛନ୍ତି। ଆହୁରି ୨୮୪ ଘର ୫୦%ରୁ କ୍ଷତିଗ୍ରସ୍ତ ହୋଇଛି। ୨୦୧୮-୧୯ରେ ୧୩, ୨୦୧୯-୨୦ରେ ୪୬, ୨୦୨୦-୨୧ରେ ୩୩, ୨୦୨୧-୨୨ରେ ୭୨ ଓ ୨୦୨୨-୨୩ରେ ୪୧ ପରିବାର ଘର ହାତୀପଲଙ୍କ ଆକ୍ରମଣରେ ମାଟିରେ ମିଶିଯାଇଛନ୍ତି। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଓ ୫୦% ଘର ଭାଙ୍ଗିଥିବା ପରିବାରକୁ ବନ ବିଭାଗ ପକ୍ଷରୁ ମୋଟ ୨୬ ଲକ୍ଷ ୧୮ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଯାହା କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପରି। ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିବା ୨୦୫ ପରିବାର ମଧ୍ୟରୁ କିଛି ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଆଉ କିଛି ପରିବାର ହାତୀପଲଙ୍କ ଭୟରେ ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ସେମିତି ଗତ ୫ ବର୍ଷ ମଧ୍ୟରେ ହାତୀପଲ ୧୨୭୭ ଏକର ଧାନ ଓ ପନିପରିବାକୁ ଦଳି ଚକଟି ନଷ୍ଟ କରିଛନ୍ତି। ଫଳରେ ଝାଳବୁହା ପରିଶ୍ରମ କରି ଦି’ ପଇସା ରୋଜଗାର କରିବାକୁ ଆଶା ରଖିଥିବା ଚାଷୀଙ୍କ ସ୍ବପ୍ନ ଧୂଳିସାତ ହୋଇଯାଉଛି। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି। ୨୦୧୮-୧୯ରେ ୨୫୮. ୭୯ ଏକର ଫସଲ ନଷ୍ଟ କରିଥିବାବେଳେ ୨୦୧୯-୨୦ରେ ୩୦୧.୯୯ ଏକର, ୨୦୨୦-୨୧ରେ ୧୭୨.୮୦ ଏକର, ୨୦୨୧-୨୨ରେ ୪୬୭.୯୯ ଏକର, ୨୦୨୨-୨୩ରେ ୭୬.୨୫ ଏକର ଚାଷ ଜମି ‌ନଷ୍ଟ କରିଛନ୍ତି।

Scroll.in

ପନିପରିବା ଫସଲ ଓ ଧାନ କ୍ଷେତକୁ ବଞ୍ଚାଇବାକୁ ଯାଇ ହେଉ ଅବା ଗାଁକୁ ପଶି ଆସୁଥିବା ହାତୀପଲକୁ ଘଉଡାଇବାକୁ ଯାଇ ଅନେକ ପୁରୁଷ ଓ ମହିଳାଙ୍କ ଜୀବନ ଯାଇଛି। କିଛି ଲୋକ ହାତ ଗୋଡ ହରାଇ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଛନ୍ତି। ଏମିତି ଭାବେ ଗତ ୫ ବର୍ଷ ମଧ୍ୟରେ ବଣାଇ ବନଖଣ୍ଡ ଅଞ୍ଚଳରେ ୧୯ ଜଣଙ୍କ ଜୀବନ ଯାଇଛି। ୬ ଜଣ ଆହତ ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨୦୧୮-୧୯ରେ ହାତୀଙ୍କ ଆକ୍ରମଣରେ ୩, ୨୦୧୯-୨୦ରେ ୩, ୨୦୨୧-୨୧ରେ ଜଣେ, ୨୦୨୧-୨୨ରେ ସର୍ବାଧିକ ୯ ଜଣ ଓ ୨୦୨୨-୨୩ରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ୧୯ ଜଣ ପରିବାରକୁ କ୍ଷତିପୂରଣ ବାବଦରେ ସରକାର ୭୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଅଦ୍ୟାବଧି ୬୮ ଲକ୍ଷ ୮୦ ହଜାର ଟଙ୍କା କ୍ଷତିପୂରଣ ମିଳିଛି। ଅବଶିଷ୍ଟ ୭ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଇ ନାହିଁ। ବଣଜଙ୍ଗଲଘେରା କୋଇଡା, ବଣାଇ ସମେତ ଅନ୍ୟାନ୍ୟ ରେଞ୍ଜରେ ହାତୀପଲ ସୁରକ୍ଷା ପାଇଁ କେତେ କ’ଣ ଯୋଜନା ଚାଲିଥିବା କୁହା ଯାଉଛି, କିନ୍ତୁ, ବିଭାଗୀୟ ଅଧିକାରୀମାନଙ୍କର ନିଷ୍ଠା ନଥିବାରୁ ସବୁ ବିଫଳ ହେଉଛି। ଯାହା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ବଣାଇ ଉପଖଣ୍ଡକୁ ଛାଡ଼ିଦେଲେ ସୁନ୍ଦରଗଡ଼ ଜିଲ୍ଲାରେ ଆହୁରି ଦୁଇଟି ବନଖଣ୍ଡ ରହିଛି। ହାତୀ ଉତ୍ପାତରେ ପୂରା ଜିଲ୍ଲାର ସ୍ଥିତି ଏଥିରୁ ଅନୁମାନ କରା ଯାଇପାରେ!

ସମ୍ବନ୍ଧିତ ଖବର