ଟାଙ୍ଗୀ ଅଞ୍ଚଳରେ ହାତୀ ଉପଦ୍ରବ : ଘର ଭାଙ୍ଗିଲା, ବାଛୁରୀକୁ କଚାଡ଼ି ମାରିଲା

ଟାଙ୍ଗୀ : ବନ ବିଭାଗର ଡାଳିଯୋଡ଼ା ରେଞ୍ଜ ଅଧୀନ ଟାଙ୍ଗୀ ଅଞ୍ଚଳରେ ଗତକାଲି ରାତିରେ ପୁଣି ହାତୀ ଉପଦ୍ରବ କରିଛନ୍ତି। କହ୍ନେଇପୁର ପଞ୍ଚାୟତର ବରପଦା ଗ୍ରାମରେ ହାତୀ ପଶି ରାସ୍ତାପାର୍ଶ୍ୱରେ ଥିବା ବହୁ ଗଛ ଓ ଶ୍ରୀଧର ଖିଲାର ନାମକ ବ୍ୟକ୍ତିଙ୍କ ଗୁହାଳ ଘରକୁ ଭାଙ୍ଗି ଦେଇଛନ୍ତି। ଗୁହାଳରେ ଥିବା ଏକ ଦୁଇବର୍ଷର ବାଛୁରୀକୁ ହାତୀ କଚାଡ଼ି ମାରି ଦେଇଛି। ଏହାକୁ ନେଇ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ ଯେ ଟାଙ୍ଗୀ ଅଞ୍ଚଳର କରଞ୍ଜି, ସଫା, ଗରୁଡ଼ଗାଁ, କହ୍ନେଇପୁର, ଉଚ୍ଚପଦା ଆଦି ପଞ୍ଚାୟତରେ ବର୍ଷସାରା ହାତୀ ଉପଦ୍ରବ ଲାଗିରହୁଛି। ହାତୀପଲ ଦିନବେଳା ନିକଟସ୍ଥ ହାଟୁଆରି ଓ ଆମ୍ବିଳିଝରୀ ଜଙ୍ଗଲ, ପଞ୍ଚଭାୟା ପାହାଡ଼ ଓ ପ୍ରମୋଦ ଉଦ୍ୟାନ ଜଙ୍ଗଲରେ ରହି ସନ୍ଧ୍ୟା ପରେ ଜନବସତିରେ ପଶୁଛନ୍ତି। ମୁଖ୍ୟତଃ ବରପଦା ଗ୍ରାମରେ ହାତୀ ଉପଦ୍ରବ ଯୋଗୁ ଫସଲ ନଷ୍ଟ ହେବା ସହ ଧନଜୀବନ କ୍ଷୟକ୍ଷତିର ଭୟ ଲାଗି ରହୁଛି। ଏହାର ପ୍ରତିକାର ପାଇଁ ବନ ବିଭାଗ ଗ୍ରାମର ଚାରିପଟକୁ ସୌରବାଡ଼ରେ ଆବଦ୍ଧ କରିବା ସହିତ ହାତୀ ପଲଙ୍କୁ ଘଉଡ଼ାଇବା ନିମନ୍ତେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର