ହାତୀ ଆକ୍ରମଣ କଥା ଶୁଣିଲେନି: ୫ ବନକର୍ମଚାରୀଙ୍କୁ ମାଡ଼ ଓ ନିଆଁହୁଳା ଚେଙ୍କ

ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ସ୍ଥାନାନ୍ତର ଦାବି

ରାଉରକେଲା: ସଙ୍କଟରେ ଦୁଇଟି ଦନ୍ତାହାତୀଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜରେ ଗ୍ରାମବାସୀଙ୍କ ବର୍ଚ୍ଛା ଆକ୍ରମଣରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟଣାକୁ ମାତ୍ର ମାସେ ନ ପୁରୁଣୁ ବଣାଇଁ ରେଞ୍ଜରେ ସମାନ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି। ଦୁଇ ଦନ୍ତା ହାତୀଙ୍କ ଜୀବନ ପ୍ରତି ବିପଦ ରହିଛି। ଖାଦ୍ୟ ଅନ୍ବେଷଣରେ ବାରମ୍ବାର ଗାଁ ମୁହାଁ ଦୁଇ ଦନ୍ତାଙ୍କୁ ଗ୍ରାମବାସୀ ଘଉଡ଼ାଇବାଲାଗି ନିଆଁ ଚେଙ୍କ ‌ଦେଉଛନ୍ତି। ଘଉଡାଇବାରେ ବନବିଭାଗର ସମସ୍ତ ଯୋଜନା ମଧ୍ୟ ଫେଲ ମାରିଛି। ମାତ୍ର ଦେଢ଼ମାସରେ ଦୁଇ ଦନ୍ତାଙ୍କ ଉତ୍ପାତରେ ନୟାନ୍ତ ହେଲେଣି  ବଣାଇ, କୁର୍ଡା ଓ ଝାରବେଡାର ପାଖାପାଖି ୨୦୦ ଗାଁର ଗ୍ରାମବାସୀ। ସେମାନେ ଦୁଇ ଦନ୍ତାଙ୍କ ଘଉଡାଇବାକୁ ରାତି ଅନିଦ୍ରା ହୋଇ ବନକର୍ମଚାରୀଙ୍କୁ ସହଯୋଗ କରୁଛନ୍ତି ସତ କିନ୍ତୁ କୌଣସି ସୁଫଳ ମିଳୁନି।

ଏଥିପାଇଁ ସେମାନେ ଦୁଇ ଦନ୍ତାଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ସ୍ଥାନ୍ତାନ୍ତର କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ବନବିଭାଗର କୌଣସି ଉଚ୍ଚ ଅଧିକାରୀ ସେମାନଙ୍କ କଥାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଫଳରେ ସ୍ଥିତି ସାଂଘାତିକ ହୋଇଛି। ଦନ୍ତା ଦୁଇଟି ଖାଦ୍ୟ ପାଇଁ ଥରକୁ ଥର କୌଣସି ନା କୌଣସି ଗାଁର ନିକଟବର୍ତ୍ତୀ ହେଉଛନ୍ତି ଓ ନିଆଁଚେଙ୍କ ତଥା ଅନ୍ୟ ଅସ୍ତ୍ରଶସ୍ତ୍ରର ସମ୍ମୁଖୀନ ହେଉଛନ୍ତି। ଫଳରେ ସେମାନଙ୍କର ଜୀବନ ପ୍ରତି ବିପଦ ରହିଛି। ସେପଟେ ଉକ୍ତ ଗାଁଗୁଡ଼ିକର ଲୋକେ ମଧ୍ୟ ଭୟଭୀତ ହୋଇ ରହୁଛନ୍ତି। କିନ୍ତୁ ବଣାଇ ବନ ବିଭାଗର ଉଚ୍ଚ ଅଧିକାରୀମାନେ ସେଥିପାଇଁ ଆଦୌ ଚିନ୍ତା କରୁଥିବା ଭଳି ମନେ ହେଉନାହିଁ। ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ସେ ଅସନ୍ତୋଷର ଫଳ ଆଜି ଦେଖିବାକୁ ମିଳିଥିଲା। ନିରାଶ ଗ୍ରାମବାସୀ ବଣାଇ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ହାତୀ ଘଉଡାଇବାକୁ ଯାଇଥିବା ବନକର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଗତକାଲି ରାତିରେ ହାତୀ ଘଉଡାବାରେ ନିୟୋଜିତ ୨୦ରୁ ଅଧିକ କର୍ମଚାରୀଙ୍କୁ ଟେକାପଥର ମାରିଥିଲେ।

ଉତ୍ତେଜିତ କିଛି ଗ୍ରାମବାସୀ ହାତୀ ଘଉଡାଇବାରେ ବ୍ୟବହୃତ ନିଆଁହୁଳାକୁ ବନ କର୍ମଚାରୀଙ୍କଠୁ ଛଡାଇ ହାତୀ ପରିବର୍ତ୍ତେ ବନକର୍ମଚାରୀଙ୍କୁ ଚେଙ୍କ ଦେଇଥିବାର ସୂଚନା ରହିଛି। ଗ୍ରାମବାସୀଙ୍କ ମାଡ଼ ଓ ନିଆଁହୁଳା ଚେଙ୍କରେ ୫ ବନକର୍ମଚାରୀ ଆହତ ହୋଇଛନ୍ତି। ଆଶ୍ଚର୍ଯ୍ୟ କଥା ନିଜର ପାରିବାପଣିଆକୁ ଲୁଚାଇବାକୁ ଯାଇ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) କୌଣସି ବନକର୍ମଚାରୀ ଆହତ ହୋଇନଥିବା ସଫେଇ ଦେଉଛନ୍ତି। କିନ୍ତୁ ବଣାଇ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର ବନକର୍ମଚାରୀଙ୍କ ମାଡ଼ ଘଟଣାକୁ ସ୍ବୀକାର କରିଛନ୍ତି। ମାଡ଼ ସହ ନିଆଁ ଚେଙ୍କ ଦେଇଥିବା ଗ୍ରାମବାସୀଙ୍କ ବିରୋଧରେ ବଣାଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଆଗାମୀ ଦିନରେ ଦୁଇ ଦନ୍ତା ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ସ୍ଥାନାନ୍ତର ନକଲେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଉଲ୍ଲେଖନୀୟ ଯେ  ଗତ ଦେଢ଼ ମାସ ଧରି ବଣାଇ ବନଖଣ୍ଡ ଅଞ୍ଚଳରେ ଏହି ଦୁଇ ଦନ୍ତାହାତୀଙ୍କ ଉତ୍ପାତ ଜାରି ରହିଛି। ସେମାନେ ନିୟମିତ ଭାବେ ଜନବସତି ପାଖକୁ ଚାଲି ଆସୁଛନ୍ତି। ବଣାଇ, କୁର୍ଡା ଓ ଝାରବେଡା ତିନି ରେଞ୍ଜରେ ପାଖାପାଖି ୨୦୦ରୁ ଅଧିକ ଘର ସେମାନେ ଭାଙ୍ଗି ସାରିଲେଣି।

ଶତାଧିକ ଏକର ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରି ସାରିଲେଣି। ତିନିଟି ରେଞ୍ଜର ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ହାତୀ ‌ଘଉଡାଇବା ଯୋଜନା ଫେଲ ହେଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ମାସକ ତଳେ ରାଉରକେଲା ବନଖଣ୍ଡ ବାଙ୍କି‌ ରେଞ୍ଜରେ ଫସଲ ନଷ୍ଟ କରୁଥିବା ଦନ୍ତାହାତୀକୁ ସ୍ଥାନୀୟ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ବର୍ଚ୍ଛା ଓ ତୀରରେ ଆକ୍ରମଣରେ ଦନ୍ତାହାତୀ ମୃତ୍ୟୁ ହୋଇଥିଲା। ବଣାଇ ଅଞ୍ଚଳରେ ଉତ୍ପାତ ଚଳାଇଥିବା ଦୁଇ ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର ନ କଲେ ବାଙ୍କି ରେଞ୍ଜ ଘଟଣାର ପୁନରାବୃତ୍ତି ଯେ ନ ହେବ, ତାହା କିଏ କହିବ? ପୁଣି ସେମାନଙ୍କ ଆକ୍ରମଣରେ ଲୋକଙ୍କର ଜୀବନ ଯିବାର ତ ସବୁବେଳେ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର