ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ରେଞ୍ଜ ଅନ୍ତର୍ଗତ ହଳଦୀ ଜଙ୍ଗଲକୁ ଲାଗି ରହିଥିବା ଗାଁରେ ବାଘ ଆତଙ୍କ ପରେ ପୁଣି ହାତୀ ଜଣଙ୍କୁ ଦଳି ମାରି ଦେଇଛି। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀପଲ ଉକ୍ତ ଜଙ୍ଗଲରେ ଥିବାରୁ ଲୋକଙ୍କ ନିଦ ହଜି ଯାଇଛି। ସୋମବାର ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ସାରାବଂଗ ପଂଚାୟତ ଅନ୍ତର୍ଗତ ଭଇଁଷମୁଣ୍ଡି ଗ୍ରାମ ଉରେଇବାହାରା ପଡ଼ାରେ ଏକ ହାତୀପଲ ପଶି ଆସିଥିଲେ। ଏଥିରେ ୮ରୁ ୯ଟି ହାତୀ ଥିବା ବନ ବିଭାଗ ସୂଚନା ଦେଇଛି। ଉକ୍ତ ଗାଁର ଲଟି ପାଣ୍ଡେ (୬୫) ଶୈାଚ ହେବାକୁ ଯାଉଥିବା ବେଳେ ଘର କିଛି ଦୂରରେ ହିଁ ହାତୀ ପଲ ତାଙ୍କୁ ଦଳି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଉକ୍ତ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ମୃତ ଲଟିଙ୍କ ସାନଭାଇ କ୍ରିଷ୍ଣା ଦାବି କରିଛନ୍ତି। ସ୍ଥାନୀୟ ସରପଂଚ ଭରତଲାଲ ରାଉତ ଉଭୟ ଗ୍ରାମର ସୁରକ୍ଷା ସକାଶେ ଜଙ୍ଗଲର ଚାରି ପଟେ ତାରବାଡ଼ ଘେରାଉ କରିବାକୁ ଦାବି କରିଛନ୍ତି। କିଛି ଦିନ ପୂର୍ବରୁ ହାତୀପଲ ସୀମାନ୍ତ ଛତିଶଗଡ଼ରେ ବୁଲାବୁଲି କରୁଥିବା ଆମେ ଶୁଣୁଥିଲୁ। ଏଣୁ ଉକ୍ତ ସୀମାନ୍ତବର୍ତ୍ତୀ ଜାଗାରେ ଆମ ଷ୍ଟାଫ ପାଟ୍ରୋଲିଂ କରୁଥିଲେ ବୋଲି ଡିଏଫଓ ଗଦାଧର ପାତ୍ର ପ୍ରକାଶ କରିଛନ୍ତି। ଏହାଛଡ଼ା ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସର୍ତକ ରହିବା ପାଇଁ ସୂଚନା ଦିଆଯାଉଛି ବୋଲି ଶ୍ରୀ ପାତ୍ର କହିବା ସହ ମୃତକଙ୍କ ପରିବାରକୁ ଶୀଘ୍ର କ୍ଷତିପୂରଣ ଦେବା ପାଇଁ ପଦକ୍ଷେପ ନେଉଛୁ ବୋଲି କହିଥିଲେ।
ଦନ୍ତା ଆକ୍ରମଣରେ ଜଣେ ମୃତ
/sambad/media/post_attachments/wp-content/uploads/2017/11/download-1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)